ନୂଆଦିଲ୍ଲୀ : ଆସାମରେ ହ୍ୟାଟ୍ରିକ ବିଜୟ ହାସଲ କରିଛି ବିଜେପି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପରେ ପୁଣି ଆସ୍ଥା ଦେଖାଇଛନ୍ତି ଆସାମବାସୀ। ବିଜେପି ନେତୃତ୍ୱାଧୀନ ଏନଡିଏ କେବଳ ଏଠାରେ ବିଜୟ ହୋଇନାହିଁ, ବରଂ ନିଜର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ଆସାମର ୧୨୬ ବିଧାନସଭା ଆସନରୁ ବିଜେପି ନେତୃତ୍ୱାଧୀନ ଏନଡି ୧୦୧ଟି ଆସନ ଜିତିବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ମେଣ୍ଟ ୭୧ଟି ଆସନ ଜିତି ସାରିଥିବା ବେଳେ ଆଉ ୩୦ଟି ଆସନରେ ଲିଡ୍ କରୁଛି।
ଆଉ ମାତ୍ର କିଛି ରାଉଣ୍ତ ଭୋଟ ଗଣତି ବାକି ରହିଥିବାରୁ ବିଜେପି ଓ ସହଯୋଗୀ ଦଳଗୁଡ଼ିକ ଏଠାରେ ଜିତିବା ଏକପ୍ରକାରର ସ୍ପଷ୍ଟ ହୋଇଛି। ଏଠାରେ ସରକାର ଗଠନ କରିବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୬୪। ଏହାକୁ ବିଜେପି ବେଶ ସହଜରେ ହାସଲ କରିନେଇଛି।
୨୦୨୧ ଆସାମ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ୮୦ଟି ଆସନ ଜିତିଥିଲା। ସେହିପରି କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ୨୩ଟି ଓ ଅଣ କଂଗ୍ରେସ ଏବଂ ଅଣ ବିଜେପି ମେଣ୍ଟ ବାକି ୨୩ଟି ଆସନ ଦଖଲ କରିଥିଲେ।
୨୦୨୬ରେ କଂଗ୍ରେସ ୨୧କୁ ଖସି ଯାଇଛି। ଅନ୍ୟାନ୍ୟ ଦଳ ୪ଟି ଆସନ ପାଇଛନ୍ତି। ବିଜେପି ଏକାକୀ ୮୨ଟି ଆସନ ଜିତିବାକୁ ଯାଉଥିବା ବେଳେ ସହଯୋଗୀ ବିପିଏଫ ୧୦ଟି ଓ ଏଜିପି ୯ଟି ଆସନ ଜିତିବାକୁ ଯାଉଛି। ବିଜେପି ୯୦ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଦଳର ୮୨ ଜଣ ଜିତିବା ମଧ୍ୟ ଗୋଟିଏ ରେକର୍ଡ।














