ନୂଆଦିଲ୍ଲୀ : ପଶ୍ଚିମବଙ୍ଗ, ଆସାମ ଏବଂ ତାମିଲନାଡୁ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଦେଶର ରାଜନୈତିକ ମାନଚିତ୍ରରେ ଅନେକ ପରିବର୍ତ୍ତନ ଆଣିଛି। ଗୋଟିଏ ପଟେ ନୂଆ ରେକର୍ଡ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ସମ୍ପୂର୍ଣ୍ଣ ଚିତ୍ର ବଦଳି ଯାଇଛି। ଏହାର ପ୍ରଭାବ ଆଗାମୀ ଦିନରେ ରାଜ୍ୟସଭାରେ ଦେଖିବାକୁ ମିଳିବ। ରାଜ୍ୟ ଶାସନରେ ମଧ୍ୟ ଗେରୁଆ ଦଳର ପ୍ରତିନିଧିତ୍ୱ ବଢ଼ିବାରେ ଲାଗିଛି। ଏହି ନିର୍ବାଚନରେ କେରଳ, ବଙ୍ଗଳା, ତାମିଲନାଡୁ ଏବଂ ଆସାମରେ ରେକର୍ଡ ବର୍ଷା ହୋଇଛି। ସବୁଠାରୁ ବଡ଼ କଥା ହେଉଛି, ବିଜେପି ପ୍ରଥମ ଥର ପାଇଁ ବଙ୍ଗଳାରେ ସରକାର ଗଠନ କରିବାକୁ ଯାଉଛି, ଯାହା ଦଳ ପାଇଁ ଏକ ସ୍ୱପ୍ନ ସାକାର ହେବା ସଦୃଶ। ବଙ୍ଗଳା ହେଉଛି ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମସ୍ଥାନ। କେବଳ ସେତିକି ନୁହେଁ, ଆରଏସଏସ୍ ବିଚାରଧାରାର ପ୍ରମୁଖ ସ୍ଥାନ ସ୍ୱାମୀ ବିବେକାନନ୍ଦ ମଧ୍ୟ ଏହି ମାଟିର। ତେଣୁ ଏଠାରେ ବିଜେପିର ବିଜୟ ଖୁବ୍ ଗୁରୁତ୍ୱ ରଖୁଛି।
ସତ ହେଲା ଶାହାଙ୍କ ଭବିଷ୍ୟବାଣୀ, ବଙ୍ଗର ମଙ୍ଗ ଧରିଲା ବିଜେପି। କ୍ଷମତାରୁ ବିଦାୟ ନେଲେ ଦିଦି, ଭୁଶୁଡ଼ି ପଡ଼ିଲା ଦେଢ଼ ଦଶନ୍ଧିର ଟିଏମସି ଗଡ଼। ଓଡ଼ିଶା ଓ ବିହାର ପରେ ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ଫୁଟିଲା ପଦ୍ମ। ବଙ୍ଗ ବିଧାନସଭା ନିର୍ବାଚନରେ ଇତିହାସ ରଚି ଶାସନ କ୍ଷମତାରେ ବସିବାକୁ ଯାଉଛି ଭାରତୀୟ ଜନତା ପାର୍ଟି-ବିଜେପି। ଏଥର ୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ସବୁଠୁ ବଡ଼ ଉପଲବ୍ଧି ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଜୟ। କାଣ୍ଟେକା ଟକ୍କର ହୋଇଥିବା ଏ ନିର୍ବାଚନରେ ଲଗାତର ୩ ଥର ଏବଂ ୧୫ ବର୍ଷ ଧରି କ୍ଷମତାରେ ଥିବା ତୃଣମୂଳ କଂଗ୍ରେସକୁ ଧୂଳି ଚଟାଇ ସିଂହାସନ ଦଖଲ କରିବାକୁ ଯାଉଛି ବିଜେପି। ଦେଶର ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଶାସନ କରୁଥିବା ବିଜେପି ଏବେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମାଟିରେ ପ୍ରଥମ ଥର କ୍ଷମତାଶୀନ ହେବାକୁ ଯାଉଛି। ଆଉ ବଙ୍ଗବାସୀଙ୍କୁ ଭେଟିଦେବାକୁ ଯାଉଛି ଡବଲ ଇଂଜିନ ସରକାର।
ସୋମବାର ସକାଳୁ ଭୋଟ୍ ଗଣତି ଆରମ୍ଭ ହେବାର କିଛି ଘଣ୍ଟା ଭିତରେ ହିଁ ବିଜେପିର ବିଜୟ ସମ୍ଭାବନା ଫର୍ଚ୍ଚା ହୋଇ ଆସିବା ବେଳକୁ ଶିଥିଳ ପଡ଼ିଥିଲା ତୃଣମୂଳ ଶିବିର। ସମୟ ଯେତିକି ବଢୁଥିଲା, ସେତିକି ମିଳେଇ ଯାଉଥିଲା ତୃଣମୂଳ କଂଗ୍ରେସର ଚତୁର୍ଥ ଥର ଶାସନ ଗାଦିକୁ ଆସିବାର ସ୍ବପ୍ନ। ଆଉ ମଧ୍ୟାନ୍ନ ବେଳକୁ ସାରା ରାଜ୍ୟରେ ଆରମ୍ଭ ହୋଇ ସାରିଥିଲା ଗେରୁଆ ଦଳର ଗ୍ରାଣ୍ଡ୍ ସେଲିବ୍ରେସନ୍। ଯୁବାଙ୍କଠୁ ମହିଳା ନେତା ଓ କର୍ମୀଙ୍କ କୋଳାହଳରେ କମ୍ପୁଥିଲା କୋଲକାତା। କାହା ହାତରେ ମିଠା ତ ଆଉ କିଏ ଝାଲମୁଢି ଧରି ଉତ୍ସବ ମନାଇଥିଲେ ବିଜେପି ନେତା ଓ କର୍ମୀ। ସତେ ଯେମିତି କୋଲକାତା ପାଳନ କରୁଥିଲା ଅଦିନିଆ ଦଶହରା ଆଉ ବିଜେପି ପାର୍ଟି ଅଫିସରେ ଥିଲା ଅବେଳରେ ହୋଲିର ଉତ୍ସବ। ସେପଟେ ନିଶ୍ଚିତ ପରାଜୟର ସଙ୍କେତ ମିଳି ସାରିବା ପରେ ମଳିନ ପଡ଼ିଥିଲା ଟିଏମସି ନେତାଙ୍କ ମନ। କୋଲାକାତା ସ୍ଥିତ ପାର୍ଟି ମୁଖ୍ୟାଳୟରେ ଖାଁ ଖାଁ ପରିବେଶ ହିଁ ବୟାନ କରୁଥିଲା କେତେ ତିକ୍ତକର କ୍ଷମତାରୁ ଚାଲିଯିବାର ମୂହୂର୍ତ୍ତ।
ତେବେ ଲଗାତର ୭ ଥର ଆଉ ଦୀର୍ଘ ୩୪ ବର୍ଷ ଧରି କ୍ଷମତାରେ ଥିବା ବାମ ଦଳ ହାତରୁ ୨୦୧୧ରେ ପଶ୍ଚିମବଙ୍ଗର ଶାସନ କ୍ଷମତାକୁ ଛଡ଼ାଇ ଆଣି ସାରା ଦେଶବାସୀଙ୍କୁ ଚକିତ କରିଥିଲେ ମମତା। ଆଉ ତା ପରେ ରାଜ୍ୟରେ ଲଗାତର ୩ ଥର ଶାସନ ଗାଦିରେ ରହି ହ୍ୟାଟ୍ରିକ୍ ବି ମାରିଥିଲେ। ବିଗତ ୩ଟି ନିର୍ବାଚନରେ ବଙ୍ଗବାସୀଙ୍କ ମନ ଜିଣୁଥିବା ମମତା କିନ୍ତୁ ୨୦୨୬ରେ କାହିଁକି ମାରିଲେ ଚିତପଟାଙ୍ଗ୍ ? କେଉଁ କାରଣ ପାଇଁ ପରାଜୟ ବରଣ କଲା ତୃଣମୂଳ କଂଗ୍ରେସ ? କୁହାଯାଉଛି ଲମ୍ବା ସମୟ ଧରି ସରକାର ବିରୋଧୀ ହାୱା, ନିଯୁକ୍ତି କ୍ଷେତ୍ରରେ ବଡ଼ ଦୁର୍ନୀତି ଓ ରାଜ୍ୟରେ ମହିଳା ବିରୋଧୀ ହିଂସା ଭଳି ପ୍ରସଙ୍ଗ ମମତାଙ୍କ ପାଇଁ ନିର୍ବାଚନର ମହାଙ୍ଗା ପଡ଼ିଛି। ସେପଟେ ରାଜ୍ୟରେ SIRରେ ୯୧ ଲକ୍ଷ ଭୋଟର ଲିଷ୍ଟ କଟିବା ଓ ଏକଦା ମମତାଙ୍କ ଡାହାଣ ହାତ ଥିଲା ଶୁଭେନ୍ଦୁ ଅଧିକାରୀ ବିଜେପି ଶିବିରକୁ ଆସିବା ବି ବିଜୟର ପଛର ବଡ଼ ଫ୍ୟାକ୍ଟର ବୋଲି ଚର୍ଚ୍ଚା ହେଉଛି। ବିହାର ଓ ଓଡ଼ିଶା ପରେ ପଶ୍ଚିମବଙ୍ଗ ଏବେ ବିଜେପି ଶାସନ ପରେ ସମଗ୍ର ପୂର୍ବ ଭାରତରେ ଗଡ଼ିବାକୁ ଯାଉଛି ଡବଲ ଇଂଜିନ ସରକାର। ତେବେ ଏ ବୃହତ ବିଜୟ ପରେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ କିଏ ହେବେ, ଏବେ ତା ଉପରେ ସମସ୍ତଙ୍କ ନଜର।














