ବୁଗୁଡ଼ା: ବେଆଇନ ମାଙ୍କଡା ପଥର ବୋଝେଇ ଗାଡ଼ିକୁ ଅଟକାଇ ପୁଲିସକୁ ଖବର ଦେବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ପଥର ମାଫିଆମାନେ ମୁଖ୍ୟ ରାସ୍ତାରେ ଆକ୍ରମଣ କରି ହତ୍ୟା କରିବା ସହ ଦୁଇ ହାତ କାଟି ଦେଇଛନ୍ତି l ମୃତ ଯୁବକ ଜଣକ ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ କୁମାର ସାହୁ। ଅଜିତ, ବଜରଙ୍ଗଦଳର ଜଣେ ସକ୍ରିୟ କର୍ମୀ ଥିଲେ। ସେ ନିଜ ସାଙ୍ଗସାଥୀଙ୍କୁ ନେଇ ଅଞ୍ଚଳରେ ଗୋରକ୍ଷା ସହ ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ l ପୂର୍ବରୁ ଅନେକ ଥର, ଅଜିତ ବେଆଇନ ମାଙ୍କଡାପଥରଗାଡ଼ି ଓ ଗୋଚାଲାଣ ଗାଡ଼ିଗୁଡ଼ିକୁ ଅଟକାଇ ପୁଲିସକୁ ସୂଚିତ କରିଛନ୍ତି। ଅଜିତଙ୍କ ଭୟରେ ମାଙ୍କଡ଼ାପଥର ଓ ଗୋ-ମାଫିଆଙ୍କ ବେପାର ମାନ୍ଦା ହୋଇ ଯାଇଥିଲା। ଏଣୁ ସେମାନେ ଅଜିତଙ୍କୁ ରାସ୍ତାରୁ ହଟାଇବାକୁ ଉଦ୍ୟମ କରୁଥିଲେ।
ଗତକାଲି ରାତି ପ୍ରାୟ ସାଢେ ଦୁଇଟା ସମୟରେ, ଏକ ମାଙ୍କଡା ବୋଝେଇ ଟ୍ରକକୁ ସୁରକ୍ଷା ଦେଇ ଏକ କାର୍ରେ ଦୁର୍ବୁତ୍ତମାନେ ମାରଣାସ୍ତ୍ରରେ ସଜ୍ଜିତ ହୋଇ ବାହାରିଥିଲେ l ଓଡ଼ଗାଁ ଥାନାଠାରୁ ମାତ୍ର ଦୁଇ କିମି ଦୂର ଓଡ଼ଗାଁ କଲେଜ ନିକଟ କଦଳୀବନ୍ଧ ଠାରେ ଅଜିତ ମାଙ୍କଡ଼ାପଥର ବୋଝେଇ ଗାଡ଼ିକୁ ଅଟକାଇଥିଲେ। ଏହି ସମୟରେ କାର୍ ଭିତରୁ ପ୍ରାୟ ୬ଜଣ ଦୁର୍ବୃତ୍ତ ଖଣ୍ଡାକାତି ବାହାରି ଅଜିତକୁ ଚାରିପଟୁ ଘେରିଯାଇଥିଲେ। ସଂଘବଦ୍ଧ ଭାବେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଖଣ୍ଡା ଚୋଟରେ ଅଜିତଙ୍କ ବାମ ହାତର ପାପୁଲି ଛିଣ୍ଡି ଖଣ୍ଡେ ଦୂରରେ ପଡ଼ିଥିବା ବେଳେ ଡାହାଣ ହାତ ଭାଙ୍ଗି ଲଟକି ରହିଥିଲା। ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା l ଅଜିତଙ୍କ ସହ ଥିବା ବସନ୍ତ ପ୍ରଧାନ ଜୀବନ ବଞ୍ଚାଇ ଦୌଡ଼ି ଆସି ପୁଲିସକୁ ଖବର ଦେଇଥିଲେ। ତେବେ ପୁଲିସ କିଛି ମିନିଟ୍ ବିଳମ୍ବରେ ପହଞ୍ଚିଥିଲା। ଏତିକି ବେଳକୁ ଅଜିତଙ୍କ ମୃତ୍ୟୁ ହୋଇ ସାରିଥିଲା। ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇସାରିଥିଲେ।














