ଜଟଣୀ: ଖୋର୍ଦ୍ଧାରୋଡ ରେଳମଣ୍ଡଳ ପକ୍ଷରୁ କର୍ମଚାରୀମାନଙ୍କର ନିଷ୍ଠାପର ଉଦ୍ୟମ, ଉତ୍ସର୍ଗୀକୃତ ମନୋଭାବ ଏବଂ କଠିନ ପରିଶ୍ରମକୁ ସମ୍ମାନ ଜଣାଇ ରେତଙ୍ଗ କଲୋନୀସ୍ଥ ରେଳବାଇ କଲ୍ୟାଣମଣ୍ଡପରେ ୭୦ତମ ରେଳ ପୁରସ୍କାର-୨୦୨୫ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡଳର ୬୦ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଖୋର୍ଦ୍ଧାରୋଡ ମଣ୍ଡଳ ରେଳ ପ୍ରବନ୍ଧକ ଡି ସୁନୀଲଙ୍କ ଦ୍ବାରା ସମ୍ମାନିତ କରାଯାଇଛି।
ଏହି ସମାରୋହରେ ପୁରସ୍କାର ବିଜେତାମାନଙ୍କୁ ଉତ୍ସାହିତ କରିବା ପାଇଁ ଖୋର୍ଦ୍ଧାରୋଡ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ସଭାପତି ପ୍ରିୟଙ୍କା ଜିଭିରାଜ, ଏଡିଆରଏମ୍ (ପରିଚାଳନା) ପି.କେ ବେହେରା ଓ ଏଡିଆରଏମ୍ (ଭିତ୍ତିଭୂମି) ରାଜଧାରୀ ଯାଦବ ଓ ଅନେକ ରେଳକର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ। ଭାରତୀୟ ରେଳବାଇରେ ଖୋର୍ଦ୍ଧାରୋଡ ମଣ୍ଡଳ ମାଲପରିବହନ କ୍ଷେତ୍ରରେ ତୃତୀୟସ୍ଥାନ ହାସଲ କରି ପାରିଛି ବୋଲି ଡିଆରଏମ୍ ଡି. ସୁନୀଲ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଖୋର୍ଦ୍ଧାରୋଡର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ପନ୍ନା ଭେଙ୍କଟେଶଙ୍କ ଦ୍ବାରା ସମଗ୍ର କାର୍ଯ୍ୟକ୍ରମ ସଂଯୋଜିତ ହୋଇଥିଲା। ଏଠାରେ ସୂଚନାଯୋଗ୍ୟ, ଖୋର୍ଦ୍ଧାରୋଡ ମଣ୍ଡଳ ଟିଟିଆଇ ଅନୀଲ ମିଶ୍ର ଓ ତାଙ୍କ ଦଳ ବିଭିନ୍ନ ଆଡୁ ଯଥା ବିନା ଟିକେଟ୍ ଓ ଅନ୍ୟାନ୍ୟ କ୍ଷେତ୍ରରୁ ୨୦୨୪ ଓ ୨୦୨୫ ଆର୍ଥିକ ବର୍ଷରେ ୮ କୋଟି ୮୦ ଲକ୍ଷ ଟଙ୍କାର ଆୟ ରେଳବିଭାଗ ନିମନ୍ତେ ଉପାର୍ଜ୍ଜନ କରି ସମ୍ମାନିତ ହୋଇଛନ୍ତି।














