ଭୁବନେଶ୍ୱର/ଖୋର୍ଦ୍ଧା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଖୋର୍ଦ୍ଧା ଜିଲ୍ଲା ବରୁଣେଇଠାରେ ନିର୍ମାଣାଧୀନ ପାଇକ ବିଦ୍ରୋହ ସ୍ମାରକୀ ପ୍ରକଳ୍ପ ପରିଦର୍ଶନ କରିବା ସହ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ପ୍ରକଳ୍ପର କଂକ୍ରିଟ୍ କାମ ଗତି ଉପରେ ଆଲୋକପାତ ହୋଇଥିଲା। ପ୍ରକଳ୍ପର ସିଭିଲ୍ ଟେଣ୍ଡର୍ ସମୟ ସୀମା ୨୦୨୭ ଜାନୁଆରି ମାସ ପର୍ଯ୍ୟନ୍ତ ରହିଛି। ହାତରେ ଆଉ ଆଠ ମାସ ଥିବା ବେଳେ ନିର୍ଧାରିତ ସମୟ ମଧ୍ୟରେ କେମିତି ପ୍ରକଳ୍ପ ଶେଷ ହେବ ତା’ ଉପରେ ଗୁରୁତ୍ବାରୋପ କରାଯାଇଛି। ସେହିପରି ସିଭିଲ୍ କାମ ଶେଷ ପୂର୍ବରୁ ଇଣ୍ଟେରିୟର ଓ ଡିଜାଇନିଂ କାମର ଦ୍ବିତୀୟ ଟେଣ୍ଡର୍ ଖୁବଶୀଘ୍ର ଡକାଯିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶ୍ବସନା ଦେଇଛନ୍ତି। ପ୍ରକଳ୍ପ ପାଇଁ ଆଇଓସିଏଲ୍ ପ୍ରାୟ ୯୦କୋଟି ଟଙ୍କାର ଅନୁଦାନ ଦେଇଥିବା ବେଳେ ସିଭିଲ୍ କାମ, ବୃକ୍ଷସ୍ଥାନାନ୍ତର, ଜମି ହସ୍ତାନ୍ତର, ବିଦ୍ୟୁତ୍ ଯୋଗାଣ ଆଦି କାମରେ ପାଖାପାଖି ୪୦କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। ହାତରେ ଆଉ ଅଳ୍ପ ଟଙ୍କା ଥିବା ବେଳେ ସେତିକି ଟଙ୍କାରେ ଦ୍ବିତୀୟ ଟେଣ୍ଡର୍ କରାଯିବ। ଦ୍ବିତୀୟ ଟେଣ୍ଡର୍ ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଏହି ପ୍ରକଳ୍ପ ପାଇଁ ଟଙ୍କା ଯୋଗାଇ ଦେବା ଉପରେ ଆଜି ଗୁରୁତ୍ବାରୋପ କରାଯାଇଛି। ଜୁଲାଇ ମାସରେ ପୁଣି ଥରେ ଏହି ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରାଯିବ ବୋଲି କୁହାଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ବ୍ରିଟିଶ ଶାସନ ବିରୋଧରେ ହୋଇଥିବା ଏହି ସଶସ୍ତ୍ର ଗଣବିଦ୍ରୋହ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ।
ଏହା ଓଡ଼ିଆ ଜାତିର ସ୍ୱାଭିମାନ, ଅସ୍ମିତା ଓ ଗୌରବର ଏକ ଅନନ୍ୟ ପ୍ରତୀକ। ଏହି ମାଟିର ବୀରମାନଙ୍କ ବଳିଦାନ ସମଗ୍ର ଦେଶକୁ ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରେରିତ କରିଥିଲା। ବରୁଣେଇ ପାହାଡ଼ ପାଦଦେଶରେ ନିର୍ମାଣ ହେଉଥିବା ଏହି ସ୍ମାରକୀ ସ୍ଥଳ ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଜାତିର ବୀରତ୍ୱ ଓ ବିଜୟଗାଥାକୁ ସାରା ବିଶ୍ୱରେ ପ୍ରତିପାଦିତ କରିବ। ଓଡ଼ିଶାର ଅଦମ୍ୟ ସାହସର ମୂକସାକ୍ଷୀ ହୋଇ ରହିବାକୁ ଥିବା ଏହି ପ୍ରକଳ୍ପ ଆଗାମୀ ଦିନରେ ଆମ ଯୁବପିଢ଼ିଙ୍କୁ ନିଜ ସଂସ୍କୃତି ଓ ଦେଶପ୍ରେମରେ ସର୍ବଦା ଅନୁପ୍ରାଣିତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଓଡ଼ିଶାର ଗୌରବମୟ ଇତିହାସକୁ ବିଶ୍ୱ ଦରବାରରେ ପରିଚୟ ଦେବା ପାଇଁ ସଦାସର୍ବଦା ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଥିଲେ। ସମୀକ୍ଷା ବେଳେ ରାଜ୍ୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ପାଇକ ସଂଗଠନର ସଭାପତି ଭୀମସେନ ପ୍ରଧାନ, ମୁଖ୍ୟ ସଂଯୋଜକ ଇଂ .ଶିଶିର ନାୟକ, ସତ୍ୟବାଦୀ ବଳିୟାରସିଂହ, କୃଷ୍ଣଚନ୍ଦ୍ର ହରିଚନ୍ଦନ, ପ୍ରାକ୍ତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁରଥ ବିଶ୍ବାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।














