ଟ୍ଵିନ୍ ସିଟିରେ ଜାଳିବ… ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ଟପିବ ତାପମାତ୍ରା
ଭୁବନେଶ୍ଵର : ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ। ଆସନ୍ତା ୩ ରୁ ୪ ଦିନ ଯାଏଁ ହିଟ୍ ୱେଭ୍ ଆଲର୍ଟ। ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ଟପିପାରେ ତାପମାତ୍ରା। ଉପକୂଳ ଓଡ଼ିଶାକୁ କଲବଲ କରିବ ଅସହ୍ୟ ଗରମ। ଟ୍ଵିନ୍ ସିଟିରେ ପାରଦ ୪୦ ଡିଗ୍ରୀ ଡେଇଁବା ଆଶଙ୍କା। ଅପରାହ୍ନରେ କିଛି ସ୍ଥାନରେ ଝଡ଼ବର୍ଷା ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।
ପ୍ରବଳ ଖରା ଏବଂ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଉପାନ୍ତରୁ ଉପକୂଳ, ପଶ୍ଚିମରୁ ଦକ୍ଷିଣ ସବୁଠି ଏବେ ଆଉଟ ପାଉଟୁ ସ୍ଥିତି। ଆକାଶରୁ ଅଗ୍ନି ବର୍ଷୁଛି, ସକାଳ ୯ ଟାରୁ ଘରୁ ବାହାରିବା ମୁସ୍କିଲ୍ ହୋଇ ପଡୁଛି। ବାହାରକୁ ବାହାରିଲେ ଦେହହାତ ପୋଡି ଯାଉଛି। ଦିନ ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀରେ ଜଳୁଛି ଝାରସୁଗୁଡ଼ା। ସେହିପରି ୪୦ ଡିଗ୍ରୀ ଛୁଇଁଛି ସମ୍ବଲପୁର ଏବଂ ହୀରାକୁଦ ତାତି। ରାଜଧାନୀରେ ସାଢେ ୧୧ ସୁଦ୍ଧା ୩୭.୬ ଡିଗ୍ରୀ ଛୁଇଁଛି ପାରଦ। ରାଉରକେଲାରେ ୩୭ ଡିଗ୍ରୀ, ବାଲେଶ୍ବର ଓ ଚାନ୍ଦବାଲିରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆର୍ଦ୍ରତା ପରିମାଣ ଅଧିକ ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ୧୫ ଦିନ ଯାଏ ଆହୁରି କଲବଲ କରିବ ତାତି। ଏମିତି କିଛି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ସେପଟେ ଡହ ଡହ ଖରାରେ ସିଝୁଛି ସୁବର୍ଣ୍ଣପୁର ଜିଲ୍ଲା । ପ୍ରାୟ ୪୩ ଡିଗ୍ରୀ ଉପରେ ରହୁଛି ଦିନର ତାପମାତ୍ରା। ରାତିରେ ବି ତାପମାତ୍ରା ୩୧ ଡିଗ୍ରୀ ତଳକୁ ଖସୁନାହିଁ ପାରଦ। ପ୍ରବଳ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ।














