ଭୁବନେଶ୍ବର: ଅନଲାଇନ ମେଡିସିନ୍ ବିକ୍ରି ପ୍ରତିବାଦରେ ଆସନ୍ତାକାଲି ଓଡ଼ିଶା ସମେତ ସମଗ୍ର ଦେଶରେ ମେଡିସିନ୍ ଷ୍ଟୋରଗୁଡ଼ିକ ବନ୍ଦ ରହିବ। ଅଲଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟସ୍ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ଉତ୍କଳ କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟସ୍ ଆସୋସିଏସନ୍ ସମର୍ଥନ ଜଣାଇ ରାଜ୍ୟର ପ୍ରାୟ ୩୦ହଜାର ଔଷଧ ଦୋକାନକୁ ବନ୍ଦ ରଖିବାକୁ ଘୋଷଣା କରିଛି। ଏହି ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସାଧାରଣ ଲୋକ ଓ ଗୁରୁତର ରୋଗୀ ଯେଭଳି ହଇରାଣ ନହେବ ସେଥିପାଇଁ ୭ସୂତ୍ରୀ ନିର୍ଦ୍ଦେଶକୁ ପାଳନ କରିବାକୁ କୁହାଯାଇଛି।
ଭୁବନେଶ୍ୱରସ୍ଥିତ ଡ୍ରଗ୍ସ କଣ୍ଟ୍ରୋଲର ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସବୁ ଡ୍ରଗ୍ସ ଇନ୍ସପେକ୍ଟର ଓ ସହକାରୀ ଡ୍ରଗ୍ସ ନିୟନ୍ତ୍ରକମାନଙ୍କୁ ସୋମବାର ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖି ସାତ ସୂତ୍ରୀ ଜରୁରୀକାଳୀନ ନିର୍ଦ୍ଦେଶାବଳୀକୁ ଅନୁପାଳନ ନିମନ୍ତେ କୁହାଯାଇଛି । ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନା ଏବଂ କ୍ଲିନିକାଲ ପ୍ରତିଷ୍ଠାନ ସହିତ ଜଡ଼ିତ ଥିବା ୨୪ଘଣ୍ଟିଆ ଇନହାଉସ ଫାର୍ମାସି ଓ ମେଡିସିନ ଷ୍ଟୋରଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବାକୁ କୁହାଯାଇଛି। ଜନସାଧାରଣଙ୍କ ଅଧିକ ଚାହିଦାକୁ ଦୃଷ୍ଟିରେ ରଖି ଏହି ଦୋକାନଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅତିରିକ୍ତ କର୍ମଚାରୀ ନିୟୋଜିତ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
ଏହା ସହିତ ସମସ୍ତ ଅଧିକାରୀ ନିଜ ନିଜ କ୍ଷେତ୍ରରେ ଜୀବନ ରକ୍ଷାକାରୀ ଓ ଅତ୍ୟାବଶ୍ୟକ ଔଷଧର ଉପଲବ୍ଧତା ଉପରେ ତୀକ୍ଷ୍ଣ ନଜର ରଖିବେ। ଆବଶ୍ୟକ ପଡ଼ିଲେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ପୁଲିସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି କେତେକ ନିର୍ଦ୍ଦିଷ୍ଟ କେମିଷ୍ଟ ଦୋକାନ ଖୋଲିବା ଓ ସେଗୁଡ଼ିକର ସୁରୁଖୁରୁରେ ପରିଚାଳନା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। କେବଳ ସେତିକି ନୁହେଁ, ବନ୍ଦ ପୂର୍ବରୁ ଯେପରି ଖୁଚୁରା ବ୍ୟବସାୟୀଙ୍କ ପାଖରେ ପର୍ଯ୍ୟାପ୍ତ ଔଷଧ ମହଜୁଦ ରହିବ, ସେଥିପାଇଁ ହୋଲସେଲର ଓ ବିତରକମାନଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଡ୍ରଗ୍ସ କଣ୍ଟ୍ରୋଲର ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ କେମିଷ୍ଟ ବିକ୍ରେତା ସଂଘ ସହିତ ଯୋଗାଯୋଗ ରଖିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ମଧୁମେହ, ଉଚ୍ଚ ରକ୍ତଚାପ, ଆଜମା,ହୃଦରୋଗ, କର୍କଟ ଭଳି ଗୁରୁତର ରୋଗରେ ପୀଡ଼ିତ ଥିବା ରୋଗୀମାନଙ୍କୁ ଦୃଷ୍ଟିରେ ରଖି ଦୂରଦୂରାନ୍ତ ଅଂଚଳର କେମିଷ୍ଟମାନଙ୍କୁ ଆଗୁଆ ଔଷଧ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଔଷଧ ଯୋଗାଣରେ ଯଦି କୌଣସି ସମସ୍ୟା ଦେଖାଦିଏ, ତେବେ ସେ ସମ୍ପର୍କରେ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିଅଲଟାଇମ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ଏହି ବନ୍ଦ ଦିନ ଡ୍ରଗସ୍ କଣ୍ଟ୍ରୋଲର ନିର୍ଦ୍ଦେଶାଳୟଙ୍କ ଅଧୀନରେ ରହୁଥିବା କୌଣସି ବି ଅଧିକାରୀ ବିନା ଅନୁମତିରେ ସେମାନଙ୍କ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ଏହି ଔଷଧ ଦୋକାନ ବନ୍ଦ କିଭଳି ପ୍ରଭାବିତ ହେଲା ତା’ର ଏକ ବିସ୍ତୃତ ରିପୋର୍ଟ ମଇ ୨୨ତାରିଖ ସୁଦ୍ଧା ଡ୍ରଗସ୍ କଣ୍ଟ୍ରୋଲର ନିର୍ଦ୍ଦେଶାଳୟରେ ଦାଖଲ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ଅନଲାଇନ୍ ମେଡିସିନ ବିକ୍ରି ଓ ଇନଷ୍ଟାଣ୍ଟ ମେଡିସିନ ଡେଲିଭରି ପ୍ଲାଟଫର୍ମଗୁଡ଼ିକର ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ଆସନ୍ତାକାଲି ଓଡ଼ିଶା ସମେତ ସମଗ୍ର ଦେଶରେ ମେଡିସିନ ଦୋକାନଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିବ। ଦେଶର ପ୍ରାୟ ୧୨.୪ ଲକ୍ଷ କେମିଷ୍ଟ, ଫାର୍ମାସିଷ୍ଟ ଓ ବିତରକଙ୍କ ପ୍ରତିନିଧିତ୍ୱ କରୁଥିବା ଶୀର୍ଷ ସଂଗଠନ ‘ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମିଷ୍ଟସ ଆଣ୍ଡ ଡ୍ରଗିଷ୍ଟସ’ଦେଶବ୍ୟାପୀ ଏହି ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାର ‘ଉତ୍କଳ କେମିଷ୍ଟସ ଆଣ୍ଡ ଡ୍ରଗିଷ୍ଟସ ଆସୋସିଏସନ’ ଏହାକୁ ସମର୍ଥନ କରିଥିବାରୁ ରାଜ୍ୟର ୩୦ହଜାର ଔଷଧ ଦୋକାନ ଓ ଏହା ଉପରେ ନିର୍ଭରଶୀଳ ଥିବା ପ୍ରାୟ ଅଢ଼େଇ ଲକ୍ଷ ପରିବାରର ଜୀବିକା ପ୍ରତି ବିପଦ ସୃଷ୍ଟି ହୋଇଥିବା କୁହାଯାଉଛି।














