ବିନାନୁମତିରେ ମୁଖ୍ୟାଳୟ ଛାଡ଼ିବା ମନା
ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ବିଦ୍ୟୁତ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଓଭରଲୋଡ୍ ଯୋଗୁ ରାଜ୍ୟରେ ପାୱାର କଟ୍ ହେଉଛି ବୋଲି ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଉଥିବାବେଳେ ଏହି ସଙ୍କଟଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ(ଓପିଟିସିଏଲ) ପକ୍ଷରୁ ଜରୁରୀକାଳୀନ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ସୁନିଶ୍ଚିତ କରିବା ପାଇଁ ଓପିଟିସିଏଲ୍ ଆଜି ତା’ର ସମସ୍ତ ବର୍ଗର କର୍ମଚାରୀଙ୍କ ଛୁଟିକୁ ତତ୍କାଳ ପ୍ରଭାବରୁ ରଦ୍ଦ କରିଦେଇଛି। ଏହାସହିତ କୌଣସି ବି କର୍ମଚାରୀ ବିନାନୁମତିରେ ନିଜ ନିଜର ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ମଧ୍ୟ ଓପିଟିସିଏଲ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି।
ସୂଚନା ଅନୁସାରେ ଓପିଟିସିଏଲର ମୁଖ୍ୟ ଜେନେରାଲ ମ୍ୟାନେଜର(ମାନବସମ୍ବଳ)ଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁସାରେ କେବଳ ମାତୃତ୍ୱ ଛୁଟି ଓ ଜରୁରୀ ଚିକିତ୍ସା ସମ୍ବନ୍ଧୀୟ ଛୁଟିକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପ୍ରକାରର ପୂର୍ବ ମଞ୍ଜୁରୀପ୍ରାପ୍ତ ଛୁଟିକୁ ପ୍ରତ୍ୟାହାର କରି ନିଆଯାଇଛି। ଯେଉଁ କର୍ମଚାରୀମାନେ ଏବେ ଛୁଟିରେ ଅଛନ୍ତି, ସେମାନଙ୍କୁ ଯଥାଶୀଘ୍ର ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏହାବ୍ୟତୀତ ମୁଖ୍ୟାଳୟ ବାହାରେ କର୍ମଚାରୀଙ୍କ ଯାତାୟାତ ଆବଶ୍ୟକ କରୁଥିବା ସମସ୍ତ ବୈଠକ, ସେମିନାର, ସମ୍ମିଳନୀ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଯାଂଚ ଓ ସରକାରୀ ଗସ୍ତକୁ ସାମୟିକ ଭାବେ ସ୍ଥଗିତ କିମ୍ବା ବାତିଲ କରାଯାଇଛି। ଯଦିଓ ଏହି ସମୟ ମଧ୍ୟରେ କୌଣସି ଅତି ଜରୁରୀ ଭ୍ରମଣ କିମ୍ବା ପ୍ରଶିକ୍ଷଣର ଆବଶ୍ୟକତା ପଡ଼େ, ତେବେ ସେଥିପାଇଁ ପୃଥକ ଭାବେ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିବ। ରାଜ୍ୟର ସର୍ବୋଚ୍ଚ ବିଦ୍ୟୁତ ପରିବହନ ନେଟୱର୍କ ପରିଚାଳନା କରୁଥିବା ଓପିଟିସିଏଲର ବରିଷ୍ଠ ଅଧିକାରୀମାନେ ଏହି କଠିନ ସମୟରେ ସେବା ସ୍ୱାଭାବିକ ରଖିବା ପାଇଁ ସମସ୍ତ କର୍ମଚାରୀଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରିଛନ୍ତି।














