ଭୁବନେଶ୍ବର: ଆଜି (ମଙ୍ଗଳବାର) ଓଡ଼ିଶା ଲୋକସେବା ଆୟୋଗ (ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ୍) ଦ୍ବାରା ଅନୁଷ୍ଠିତ ଓଡ଼ିଶା ଲୋକସେବା ପରୀକ୍ଷା (ଓସିଏସ୍) ୨୦୨୪ର ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୨ଶହ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୭୦ଜଣ ସାଧାରଣ ବର୍ଗ, ୩୫ଜଣ ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ (ଏସ୍ଇବିସି), ୪୫ଜଣ ଅନୁସୂଚିତ ଜାତି (ଏସ୍ସି) ଓ ୫୦ଜଣ ଅନୁସୂଚିତ ଜନଜାତି (ଏସ୍ଟି) ଅଛନ୍ତି। ଏହି ପରୀକ୍ଷାରେ ଏସ୍ଇବିସିର ବୁବୁନ୍ ସାହୁ ସାଧାରଣ ବର୍ଗରେ ଚୟନ ହୋଇଥିବା ବେଳେ ତାଲିକାରେ ସର୍ବାଗ୍ରେ ଅଛନ୍ତି। ସାଧାରଣ ବର୍ଗରେ ଚୟନ ହୋଇଥିବା ସାଧାରଣ ବର୍ଗର ଶୋଭନା ମହାନ୍ତି ଦ୍ବିତୀୟ ସ୍ଥାନରେ ଅଛନ୍ତି। ପ୍ରଥମ ୧୦ଜଣଙ୍କ ତାଲିକାରେ ଥିବା ଅନ୍ୟମାନେ ହେଲେ- ଜିତମିତ୍ର ସାହୁ (ଏସ୍ଇବିସି-ସାଧାରଣବର୍ଗ), କନକ ଜୈନ (ସାଧାରଣ ବର୍ଗ), ସଂଗ୍ରାମ ପ୍ରଧାନ (ସାଧାରଣ ବର୍ଗ), ଅମନ ଗୋଏଲ୍ (ଏସ୍ଇବିସି-ସାଧାରଣ ବର୍ଗ),ଶାନ୍ତନୁ କୁମାର ଶତପଥୀ (ସାଧାରଣ ବର୍ଗ), ନୀତୀଶ କୁମାର ବାରିକ (ଏସ୍ସି-ସାଧାରଣ ବର୍ଗ), ଶୀତଳ ପାତ୍ର (ସାଧାରଣ ବର୍ଗ), ଇତିଶ୍ରୀ ଜେନା (ଏସ୍ଇବିସି-ମହିଳା)। ତେବେ, ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀମାନଙ୍କୁ ଏହି ପରୀକ୍ଷାଫଳ ଅନୁଯାୟୀ ନିଯୁକ୍ତି ଦିଆଯିବ ନାହିଁ, ପରୀକ୍ଷାର୍ଥୀଙ୍କ ଦାଖଲ ହୋଇଥିବା ଯୋଗ୍ୟତା, ସଂରକ୍ଷଣ ବିଭାଗ ସମ୍ପର୍କିତ ସତ୍ୟପାଠ ଓ ପ୍ରମାଣପତ୍ରର ଯାଞ୍ଚ ଏବଂ ସ୍ବାସ୍ଥ୍ୟପରୀକ୍ଷଣ ପରେ ଚୟନ କମିଟି ଦ୍ବାରା ନିଯୁକ୍ତି ଚୂଡ଼ାନ୍ତ ହେବ ବୋଲି ଓପିଏସ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଅନୁମୋଦନ କରିଥିବା ୭୮ଟି ମହିଳାଙ୍କ ସମେତ ୨୦୦ଟି ପଦ ନିମନ୍ତେ ୩୩ହଜାର ୬୩୦ଜଣ ମହିଳାଙ୍କ ସମେତ ମୋଟ ୮୫ହଜାର ୨୨୩ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ୧୨ ଅକ୍ଟୋବର ୨୦୨୫ରେ ହୋଇଥିବା ପ୍ରାରମ୍ଭିକ ପରୀକ୍ଷାରେ ୧୩ହଜାର ୯୮୫ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୩୫ହଜାର ୧୬୫ଜଣ ପରୀକ୍ଷା ଦେଇଥିଲେ। ମୁଖ୍ୟ (ଲିଖିତ) ପରୀକ୍ଷା ଚଳିତ ବର୍ଷ ୩୧ ଜାନୁଆରି ଠାରୁ ୧୦ ଫେବ୍ରୁଆରି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୭୦୭ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୨୦୫୮ଜଣ ପରୀକ୍ଷା ଦେଇଥିଲେ। ଏହା ମଧ୍ୟରୁ ୧୫୫ଜଣ ମହିଳାଙ୍କ ସମେତ ୩୮୫ଜଣଙ୍କୁ ୧୪ ମଇ ୨୦୨୬ରୁ ୨୦ ମଇ ୨୦୨୬ ମଧ୍ୟରେ ଦସ୍ତାବିଜ ଯାଞ୍ଚ ଓ ସାକ୍ଷାତକାର ପରୀକ୍ଷା ନିମନ୍ତେ ଡକାଯାଇଥିଲା।














