ଦିଲ୍ଲୀରେ ମୋହନ- ମନମୋହନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଆସନ୍ତା ମାସରେ ନିଜର ଦୁଇବର୍ଷ କାର୍ଯ୍ୟକାଳ ପୂରଣ କରିବାକୁ ଯାଉଥିବାବେଳେ ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଉପରେ ମୋହର ମାରି ଯେକୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଉଭୟ ଦିଲ୍ଲୀ ଗସ୍ତରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭେଟିଛନ୍ତି। ଯେଉଁଥିପାଇଁ ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଖୁବଶୀଘ୍ର ହେବ ବୋଲି ଚର୍ଚ୍ଚା ଜୋର ଧରିଛି।
ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଯେକୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। କେବଳ ମନ୍ତ୍ରିମଣ୍ଡଳର କଳେବର ବୃଦ୍ଧି ନୁହେଁ, ବରଂ ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷ ପଦବୀ ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଦଳ ଓ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଉପରେ ବିଚାର ବିମର୍ଶ ଚାଲିଛି। ବିଶେଷକରି ଦୀର୍ଘ ଦିନ ଧରି ଆଶା ରଖିଥିବା ଓ ଦଳ ପାଇଁ ନିରନ୍ତର କାମ କରୁଥିବା ବରିଷ୍ଠ ନେତା ତଥା ବିଧାୟକମାନଙ୍କୁ ଏହି ସବୁ ସ୍ଥାନରେ ଖୁବଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ତେବେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଏହି ବୟାନ ପରେ ସରକାରୀସ୍ତରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି ବୋଲି ପ୍ରମାଣିତ ହୋଇଛି।ଅବଶ୍ୟ ରାଜ୍ୟ ସଭାପତି ମନମୋହନ ସାମଲ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଠିକ୍ ସମୟରେ ଦଳର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ।
ଆସନ୍ତା ଜୁନ୍ ୧୨ତାରିଖରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟର ପ୍ରଥମ ବିଜେପି ସରକାର ନିଜର ଦୁଇବର୍ଷ କାର୍ଯ୍ୟକାଳ ପୂରଣ କରିବ। ମନ୍ତ୍ରିମଣ୍ଡଳରେ ଏବେବି ୬ଟି ମନ୍ତ୍ରୀ ପଦ ଖାଲି ରହିଛି। ଜଣେ ଜଣେ ମନ୍ତ୍ରୀଙ୍କୁ ୩ ରୁ ୪ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିବାକୁ ପଡ଼ୁଥିବାରୁ ପ୍ରଶାସନିକ କାର୍ଯ୍ୟରେ ମନ୍ଥରତା ଦେଖାଦେଇଥିବା ଚର୍ଚ୍ଚା ହେଉଛି। ଆଗକୁ ରାଜ୍ୟରେ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା, ବିଭିନ୍ନ ଜିଲ୍ଲାସ୍ତରର ନେତା ଓ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ସରକାରରେ ଉଚିତ୍ ସ୍ଥାନ ଦେଇ ତୁଷ୍ଟୀକରଣ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରୟାସ କରୁଥିବା ଜଣାପଡ଼ିଛି। ବିଭିନ୍ନ କାରଣକୁ ନେଇ ବିଗତ ୬ମାସ ମଧ୍ୟରେ ସରକାରଙ୍କ ବିରୁଦ୍ଧରେ ସୃଷ୍ଟି ହୋଇଥିବା ଜନମତକୁ ପ୍ରଶମିତ କରିବା ଲକ୍ଷ୍ୟରେ ଏହି ମନ୍ତ୍ରିମଣ୍ଡଳ ଓ ନିଗମ-ବୋର୍ଡ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଥିବା ଜଣାପଡ଼ିଛି।
ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ-ବୋର୍ଡ ନିଯୁକ୍ତିକୁ ନେଇ ଚର୍ଚ୍ଚା ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓ ବିଜେପିର ବରିଷ୍ଠ ନେତାମାନଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଳୀରେ ରହିଛନ୍ତି। କେନ୍ଦ୍ରୀୟ ନେତୃତ୍ୱ ଏହି ସମ୍ପ୍ରସାରଣ ପାଇଁ ସବୁଜ ସଙ୍କେତ ଦେଇସାରିଥିବା ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ କେବେ ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ଆନୁଷ୍ଠାନିକ ଘୋଷଣା କରିବେ ଓ କାହାକୁ ନିଜ ମନ୍ତ୍ରିମଣ୍ଡଳରେ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ବୋର୍ଡ-ନିଗମ ଅଧ୍ୟକ୍ଷ ପଦବୀରେ ନିଯୁକ୍ତି ଚଳିତ ସପ୍ତାହରେ ହେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।














