ଭୁବନେଶ୍ୱର : ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ପୋଲିସ ଭବନରେ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଉପକୂଳ ସୁରକ୍ଷା ବ୍ୟବସ୍ଥାରେ ସମସ୍ୟା, ସମାଧାନ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀର ସମାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ କାର୍ଯ୍ୟକ୍ରମକୁ ଗରିମାମଣ୍ଡିତ କରିଥିଲେ।
“ସମୃଦ୍ଧ ଓଡ଼ିଶା”ର ଲକ୍ଷ୍ୟ ହାସଲ କରିବାରେ ଉପକୂଳ ସୁରକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ନୂତନ ବନ୍ଦର, ମତ୍ସ୍ୟ ଅବତରଣ କେନ୍ଦ୍ର, ଶିଳ୍ପ ପ୍ରକଳ୍ପ ଓ ସାମୁଦ୍ରିକ ଭିତ୍ତିଭୂମିର ଦ୍ରୁତ ବିକାଶ ସହ ଉପକୂଳ ଅଞ୍ଚଳର ଗୁରୁତ୍ୱ ମଧ୍ୟ ବୃଦ୍ଧି ପାଉଛି। ଏହା ସହିତ ଅନେକ ସମସ୍ୟା ମଧ୍ୟ ରହିଛି , କିନ୍ତୁ ଏହି ସମସ୍ୟା ଆମର ଅଗ୍ରଗତିକୁ ରୋକି ପାରିବ ନାହିଁ। ଏହା ସହ ଉପକୂଳ ସୁରକ୍ଷା କେବଳ ପୋଲିସ କିମ୍ବା ଗୋଟିଏ ବିଭାଗର ଦାୟିତ୍ୱ ନୁହେଁ; ଏହା ଏକ ସମନ୍ୱିତ ପ୍ରୟାସ। ସମସ୍ତ ବିଭାଗ, ସୁରକ୍ଷା ସଂସ୍ଥା ଏକ ଟିମ୍ ଭାବେ କାର୍ଯ୍ୟ କରିବା ଦ୍ବାରା ଆମେ ଏକ ସୁଦୃଢ଼ ଓ ସୁରକ୍ଷିତ ଉପକୂଳ ବ୍ୟବସ୍ଥା ଗଢ଼ିପାରିବା ବୋଲି ସେ ନିଜ ଅଭିଭାଷଣରେ କହିଛନ୍ତି।
ଓଡ଼ିଶା ସରକାର ଉପକୂଳ ସୁରକ୍ଷା ଶାଖାର ଦକ୍ଷତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ମାନବ ସମ୍ବଳ ବିକାଶ ଏବଂ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଉପକୂଳ ସୁରକ୍ଷାକୁ ଆହୁରି ସଶକ୍ତ କରିବା ପାଇଁ ଯାହା କିଛି ଆବଶ୍ୟକ ହେବ, ରାଜ୍ୟ ସରକାର ତାହା ପୂରଣ କରିବାକୁ ସଦା ପ୍ରସ୍ତୁତ ରହିଛନ୍ତି। ଅଧିକ ସମ୍ବଳ, ଅଧିକ ପ୍ରଯୁକ୍ତି ଏବଂ ଅଧିକ ସମନ୍ୱୟ ମାଧ୍ୟମରେ ଓଡ଼ିଶାର ଉପକୂଳକୁ ଆହୁରି ସୁରକ୍ଷିତ ଓ ସକ୍ଷମ କରାଯିବ।














