ଭୁବନେଶ୍ବର ୨୯।୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଦିବ୍ୟ ଦର୍ଶନ ଦେଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଭାଇ-ଭଉଣୀ ଓ ଚକ୍ରରାଜ ସୁଦର୍ଶନଙ୍କ ସହ ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନ ମଣ୍ଡପରେ ସ୍ନାନ କରିଛନ୍ତି ୧୦୮ ଗରା ସୁବାସିତ ଜଳରେ । ଦୁର୍ଲଭ ହାତୀ ବେଶ ଦେଖି କୃତକୃତ ଅଗଣିତ ଭକ୍ତ ।
ସୁରୁଜ ଉଇଁନଥିଲା… ସିନ୍ଦୂରା ଫାଟିନଥିଲା । ଶ୍ରଦ୍ଧାଳୁଙ୍କ ସମାଗମରେ ଜାଗି ଉଠିଥିଲା ଶ୍ରୀକ୍ଷେତ୍ର । ଭକ୍ତମୟ ବଡ଼ଦାଣ୍ଡ… ସୁସଜ୍ଜିତ ସିଂହଦ୍ୱାର । ଶୁଭ୍ର ଆଲୋକରେ ଝଲସୁଥିଲା ପବିତ୍ର ସ୍ନାନବେଦୀ । ଜଗତ ଠାକୁରଙ୍କ ଝଲକଟିଏ ପାଇବା ପାଇଁ ଆତୁର ହେଉଥିଲେ ଜଗନ୍ନାଥପ୍ରେମୀ ।.. ନୀତି ନିର୍ଘଣ୍ଟ ଅନୁସାରେ, ଭୋର୍ ୫ଟା ୫ରେ ମଙ୍ଗଳାର୍ପଣ ସହ ଆରମ୍ଭ ହୋଇଥିଲା ଦେବସ୍ନାନ ପୂର୍ଣ୍ଣିମାର ସ୍ୱତନ୍ତ୍ର ନୀତିକାନ୍ତି । ୫ଟା ୧୫ ବେଳକୁ ସହଳ ସହଳ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ । ରତ୍ନବେଦୀରୁ ଓହ୍ଲାଇ ସ୍ନାନବେଦୀକୁ ଆସିଥିଲେ ଚତୁର୍ଦ୍ଧାମୂରତି । ଟାହିଆ ହଲାଇ ଝୁଲି ଝୁଲି କାଳିଆ ସାଆନ୍ତ ଆସିବାର ଦୃଶ୍ୟ ଯେତିକି ଦିବ୍ୟ ଥିଲା… ଥିଲା ସେତିକି ଭବ୍ୟ । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ। ଚକା ଆଖିରେ ଆଖି ମିଶାଇ କିଏ ଲୁହ ଢାଳୁଥିଲା, କିଏ ଦୀପଟିଏ ଜାଳି ମଉଡ଼ମଣିଙ୍କୁ ଜଣାଉଥିଲା ମନର କଥା ।
ଦିନ ବଢ଼ିବା ସହ ସ୍ନାନ ମଣ୍ଡପରେ ନୀତି ବଢ଼ୁଥିଲା, ଏଣେ ବଡ଼ଦାଣ୍ଡରେ ବଢ଼ୁଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ, ରୋଷହୋମ, ସୂର୍ୟ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ପରେ ପହଞ୍ଚିଥିଲା ସେହି ମହାର୍ଘମୁହୂର୍ତ୍ତ । ମହାପ୍ରଭୁଙ୍କ ମାନବୀୟ ଲୀଳା । ସୁନାକୂଅରୁ ଆସିଥିଲା ୧୦୮ ଗରା ସୁବାସିତ ଜଳ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଦିବ୍ୟଜଳରେ ସ୍ନାନ କରିଥିଲେ ତିନି ଦିଅଁ ।
ବେଶ ଭିତରେ ବେଶ, ଅତି ନିଆରା ବେଶ.. ଆମ ମଣିଷ ଠାକୁରଙ୍କ ହାତୀ ବେଶ । କିଏ କହେ ଗଜାନନ ବେଶ… ଗଣପତି ବେଶ । ଗଜପତି ମହାରାଜାଙ୍କ ଛେରା ପହଁରା ପରେ, ସ୍ନାନମଣ୍ଡପରେ ଶୋଭାପାଇଥିଲେ ଧଳାହାତୀ ଓ କଳାହାତୀ । ଦିବ୍ୟବେଶ ଦର୍ଶନ କରି କୋଟି ପୂଣ୍ୟ ଅର୍ଜିଛନ୍ତି ଅଗଣିତ ଭକ୍ତ । ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଜଳରେ ଗାଧୋଇବା ପରେ, ଆସନ୍ତାକାଲିଠୁ ଜ୍ବରରେ ପଡ଼ିବେ ଜଗତର ନାଥ । ଅଣସର ଘରେ ୧୫ ଦିନର ଗୁପ୍ତସେବା ପରେ, ସୁସ୍ଥ ହୋଇ ଜୁଲାଇ ୧୪ରେ ଦେବେ ନବଯୌବନ ଦର୍ଶନ ।














