ମହାରାଷ୍ଟ୍ରରେ ରାମ ମନ୍ଦିର ବିବାଦ ତାତି । ଆଜି ବିଧାନସଭାରେ ବିରୋଧ ପ୍ରଦର୍ଶନ କରିଛନ୍ତି ବିରୋଧୀ । ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ଆଜି ରାମମନ୍ଦିର ଟ୍ରଷ୍ଟର ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କୁ ଜେରା କରିଛି ଏସଆଇଟି । ସୂଚନା ଅନୁସାରେ ପ୍ରାୟ ୩ ଘଣ୍ଟାର ଜେରାରେ ଏସଆଇଟି ଚମ୍ପତ ରାୟଙ୍କଠୁ ସନ୍ତୋଷ ଜନକ ଉତ୍ତର ପାଇନି । ଏଭଳି କିଛି ପ୍ରଶ୍ନକୁ ଏଡାଇବା ସହ ଚୋରି ମାମଲାରେ ତାଙ୍କର କୌଣସି ଭୂମିକା ନଥବା କହିଛନ୍ତି ।
ସେପଟେ ରାମମନ୍ଦିର ଟ୍ରଷ୍ଟରେ କାମ କରୁଥିବା କିଛି କର୍ମଚାରୀଙ୍କୁ ବିନା କାଗଜପତ୍ରରେ ନିଯୁକ୍ତି କେମିତି ମିଳିଲା ଏନେଇ ଅଧିକ ତଦନ୍ତ କରାଯାଉଛି । ଆଉ କିଛି ସମୟ ପରେ ଟ୍ରଷ୍ଟି ଅନୀଲ ମିଶ୍ରଙ୍କୁ ମଧ୍ୟ ଜେରା କରାଯିବ । ଦାନ ଅର୍ଥ ଚୋରି ମାମଲାରେ ଏବେ ସୁଦ୍ଧା ୭୦ଜଣଙ୍କୁ ଜେରା ପାଇଁ ନୋଟିସ ପଠାଯାଇଛି । ୧୪୦ଙ୍କୁ ତାଲିକାରେ ରଖାଯାଇଛି । ମନ୍ଦିର ଟ୍ରଷ୍ଟର ବଡ ବଡ ପଦାଧିକାରୀଙ୍କଠୁ ନେଇ ତଳତଳିଆ କର୍ମଚାରୀଙ୍କୁ ତଦନ୍ତ ପରିସରଭୂକ୍ତ କରାଯାଇଛି ।














