ଖରା, ବର୍ଷାକୁ ଖାତିର ନକରି ବିଲରେ ଝାଳ ବୁହାଇ ଫସଲ ଫଳାଉଥିବା ଚାଷୀ ଏବେ ସରକାରୀ ନିୟମ ଓ ଡିଜିଟାଲ୍ ବ୍ୟବସ୍ଥାର ଜଟିଳତାରେ ଫସିଛନ୍ତି । ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ଏଥର ଏଗ୍ରିଷ୍ଟାକ୍ ବ୍ୟବସ୍ଥା ସହ କଠୋର ପଞ୍ଜୀକରଣ ନିୟମ ଲାଗୁ ହୋଇଛି । ନିଜ ନାଁରେ ଜମିପଟ୍ଟା ଥିବାକୁ ନିୟମରେ ଗୁରୁତ୍ୱ ଦିଆଯାଇଥିବାରୁ ମୂଳ ଚାଷୀ ଓ ଭାଗଚାଷୀଙ୍କ ସମସ୍ୟା ବଢ଼ିଛି ।
ସରକାର ଏଗ୍ରିଷ୍ଟାକ୍ ବିନା ମଧ୍ୟ ଚାଷୀ ଧାନ ବିକ୍ରି କରିପାରିବେ ବୋଲି ଘୋଷଣା କରିଥିଲେ ମଧ୍ୟ କୃଷି ସମବାୟ ସମିତିଗୁଡ଼ିକରେ ପଞ୍ଜୀକରଣ ପାଇଁ ଭିଡ଼ ଦେଖିବାକୁ ମିଳୁଛି । ନିଜ ନାଁରେ ଜମି ଥିବା ଚାଷୀମାନେ ସହଜରେ ପଞ୍ଜୀକରଣ କରୁଥିବାବେଳେ ବାପା-ଅଜାଙ୍କ ଜମିରେ ଚାଷ କରୁଥିବା ଅନେକ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି । ବିଶେଷକରି ଭାଗଚାଷୀଙ୍କ ସମସ୍ୟା ଆହୁରି ଜଟିଳ ହୋଇଛି । ଆଖି ସ୍କାନ୍ କରିବା ପରେ ହିଁ ଭାଗଚାଷୀଙ୍କ ପଞ୍ଜୀକରଣ ହୋଇପାରୁଥିବାରୁ ଜମି ମାଲିକଙ୍କ ଉପରେ ସେମାନଙ୍କ ନିର୍ଭରଶୀଳତା ବଢ଼ିଛି । ଅନେକ ଜମି ମାଲିକ ସହରରେ ରହୁଥିବାରୁ ଆଖି ସ୍କାନ୍ ପାଇଁ ଆସୁନଥିବା ଅଭିଯୋଗ ହେଉଛି । ଫଳରେ ଭାଗଚାଷୀମାନେ ପଞ୍ଜୀକରଣ କରିବାରେ ଅସୁବିଧା ଭୋଗୁଛନ୍ତି ।
ଜୟପାଟଣାର ୫ଟି ସେବା ସମବାୟ ସମିତିରେ ପଞ୍ଜୀକରଣର ପ୍ରଥମ ୬ ଦିନରେ ମାତ୍ର ୧.୯୪ ପ୍ରତିଶତ ଚାଷୀ ଆବେଦନ କରିପାରିଥିବା ଜଣାପଡ଼ିଛି । ଅବଶିଷ୍ଟ ୧୩ ହଜାରରୁ ଅଧିକ ଚାଷୀ କାଗଜପତ୍ର ଯୋଗାଡ଼ କରିବା ସହ ଜମି ମାଲିକଙ୍କୁ ଖୋଜିବାରେ ନାକେଦମ୍ ହେଉଥିବା ଅଭିଯୋଗ ହୋଇଛି । ଏହାସହ ଧାନ ବିକ୍ରି ପଞ୍ଜୀକରଣ ୱେବସାଇଟ୍ରେ ବାରମ୍ବାର ସର୍ଭର ସମସ୍ୟା ଦେଖାଦେଉଥିବା ଅଭିଯୋଗ ମଧ୍ୟ ରହିଛି । ସୋସାଇଟି ଓ ଜନସେବା କେନ୍ଦ୍ରରେ ଘଣ୍ଟାଘଣ୍ଟା ଧରି ଲାଇନ୍ରେ ଛିଡ଼ା ହେବା ପରେ ସର୍ଭର ଡାଉନ୍ ଯୋଗୁଁ ଅନେକ ଚାଷୀ ନିରାଶ ହୋଇ ଫେରୁଛନ୍ତି ।













