ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀଙ୍କ କଥା ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମିଳିଥିବା ନିମନ୍ତ୍ରଣ ଆଧାରରେ ଶ୍ରୀ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଆୟୋଜିତ ମୁଖ୍ୟମନ୍ତ୍ରୀ ପଦବିର ଶପଥ ଗ୍ରହଣ ସମାରୋହ ଯୋଗ ଦେଇଛନ୍ତି। ଜନତା ମଇଦାନରେ ହଜାର ହଜାର ଲୋକଙ୍କ ଭିଡ଼ ଭିତରେ ଶ୍ରୀ ପଟ୍ଟନାୟକଙ୍କୁ ଦେଖି ମଂଚାସୀନ ଅତିଥି, ମଂଚ ତଳେ ବସିଥିବା ସାଂସଦ, ବିଧାୟକ, ନେତା, କର୍ମୀ ଓ ଜନସାଧାରଣ ଖୁସି ଅନୁଭବ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ପ୍ରତି ଭଲପାଇବା ଦେଇଛନ୍ତି।
ସାଧାରଣ ନିର୍ବାଚନ-୨୦୨୪ର ଫଳାଫଳ ଆସିଲା ପରେ ଓଡ଼ିଶାରେ ଶାସନ ବ୍ୟବସ୍ଥା ବଦଳିଛି। ରାଜ୍ୟରୁ ବିଜେଡି ସରକାର ଯାଇଛି ଏବଂ ବିଜେପି ସରକାର ଆସିଛି। କିନ୍ତୁ ଶାଳିନତା, ସଞ୍ଜମତା ଓ ପରିପକ୍ୱତା ସେମିତି ଅତୁଟ ରହିଛି। ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶପଥ ଗ୍ରହଣରେ ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭା ମଞ୍ଚରେ ପହଞ୍ଚିଥିଲେ, ନବୀନଙ୍କ ସମ୍ମାନରେ ସମସ୍ତେ ଛିଡ଼ା ହୋଇଯାଇଥିଲେ। ଆଉ ସ୍ୱଭାବ ସୁଲଭ ଢ଼ଙ୍ଗରେ ନମସ୍କାର ଓ ପ୍ରତି ନମସ୍କାର କରି, ଆସନ ପାଖକୁ ଅଗେଇ ବଢ଼ୁଥିବା ବେଳେ ଜଣେ ପରେ ଜଣେ ବରିଷ୍ଠ ବିଜେପି ନେତା ଆସି ବିଜେଡି ସୁପ୍ରିମୋଙ୍କୁ ସମ୍ମାନ ଜଣାଉଥିଲେ।
ରାଜନୀତିର ଏ ଥିଲା ଅନ୍ୟତମ ରୋଚକ ଦୃଶ୍ୟ। ବର୍ଷବର୍ଷ ଧରି ପରସ୍ପର ବିରୋଧରେ ରାଜନୈତିକ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପି ନେତା ଓ ବିଜେଡି ସୁପ୍ରିମୋ, ସବୁ କିଛି ଭୁଲି ନିଜ ନିଜ ଦାୟିତ୍ୱ ତୁଲାଉଥିଲେ। ଜଣେ ନୂଆ ଶାସନ ହାତକୁ ନେବା ଆଗରୁ ଶପଥ ପାଇଁ ସଜବାଜ ହେଉଥିଲେ। ଆଉ ଜଣେ ଜନମତକୁ ସ୍ୱାଗତ କରି ନୂଆ ଶାସକଙ୍କୁ ଆଗକୁ ବାଟ ଛାଡ଼ି ଦେଉଥିଲେ। ଯଦିଓ ରାଜନୀତିରେ ହାର୍-ଜିତ୍ ଅଛି, ଜୟ-ପରାଜୟ ଅଛି, ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କୁ ମଞ୍ଚ ଉପରେ ଦେଖି ସମସ୍ତେ ଏକ ପ୍ରକାର ଭାବବିହ୍ୱଳ ହୋଇଯାଉଥିଲେ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନବୀନ ପଟ୍ଟନାୟକଙ୍କୁ ବାଟ କଢ଼େଇ ତାଙ୍କ ଆସନ ପାଖକୁ ନେଇ ଯାଉଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା. ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମେତ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନବୀନ ପଟ୍ଟନାୟକଙ୍କ ସହ ମଞ୍ଚ ଉପରେ ଭାବ ବିନିମୟ କରୁଥିବା ଦେଖିବାକୁ ମିଳିଥିଲା। ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଇଥିବା ନିମନ୍ତ୍ରଣକୁ ରକ୍ଷା କରି ନବୀନ ପଟ୍ଟନାୟକ, ନୂଆ ସରକାରର ଶପଥ ଗ୍ରହଣରେ ଆସି ଏକ ପରିପକ୍ୱ ରାଜନେତାର ପ୍ରମାଣ ଦେଇଥିଲେ।