କଟକ: ଗ୍ରାମୀଣ ଅର୍ଥନୀତିର ବିକାଶ ଦିଗରେ ଅଣ୍ଟା ଭିଡିଛି ଭାରତ ମସଲା କମ୍ପାନୀ । ଓରମାସର ସହଯୋଗରେ କୃଷିଜାତ ଦ୍ରବ୍ୟକୁ ଉଚିତ ମୂଲ୍ୟରେ ସଂଗ୍ରହ କରି ଖାଉଟିଙ୍କ ନିକଟରେ ପହଞ୍ଚାଉଛି । ଓରମାସ ମଧ୍ୟ ଏଥିରେ ପୂର୍ଣ୍ଣ ସହଯୋଗ କରୁଛି । ଏହାକୁ ଆହୁରି କ୍ରୀୟାଶୀଳ କରିବା ପାଇଁ ଆଜି ଭାରତ ମସଲା ପକ୍ଷରୁ ଓରମାସ ସହ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ବିଶେଷକରି ମକା, ହଳଦି, ଲଙ୍କା, ଅଦା, ବିଲାତି ବାଇଗଣ, ଡ୍ରାଏ ମ୍ୟାଙ୍ଗୋ ଫ୍ଲେକ୍ସ(ଆମ୍ବର ଶୁଖିଲା ମାଂସଳ ଭାଗ), ଡାଲି ଜାତୀୟ ଶସ୍ୟକୁ ଓରମାସ ଠାରୁ ଗ୍ରହଣ କରିବ ଭାରତ ମସଲା । ଗତବର୍ଷ ଓରମାସ ୬ଶହ ଟନ୍ରୁ ଅଧିକ ସାମଗ୍ରୀ କମ୍ପାନୀକୁ ଦେଇଥିଲା । ନୂଆ ଚୁକ୍ତି ଅନୁସାରେ ଆଗାମୀ ଏକ ବର୍ଷ ଭିତରେ ପୂର୍ବ ରେକର୍ଡକୁ ଅତିକ୍ରମ କରିବ ବୋଲି କୁହାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାଏକ, ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନିଙ୍କ ଉପସ୍ଥିତିରେ ଓରମାସର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ୍ ତାପସ କୁମାର ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କ ସହ ଏହି ଚୁକ୍ତିନାମା ପତ୍ରରେ ସ୍ୱାକ୍ଷର କରିଥିଲେ । ଅଭାବୀ ବିକ୍ରି କିମ୍ୱା ଫସଲ ତଥା ପନିପରିବା ଆଦିର ବିକ୍ରିବଟାରେ ଅସୁବିଧା ଭୋଗୁଥିବା ଗରିବ ଗ୍ରାମୀଣ ଚାଷୀଙ୍କୁ ବ୍ୟବସାୟର ନୂଆ ମାର୍ଗ ଦେଖାଇଛି ଭାରତ ମସଲା କମ୍ପାନୀ । ସେମାନଙ୍କ ଉତ୍ପାଦିତ ଡାଲି ଜାତୀୟ ଶସ୍ୟ, ପରିବା, ଲଙ୍କା, ଆଦି ସାମଗ୍ରୀକୁ ସେମାନଙ୍କୁ ବଜାର ଦରଠାରୁ ଆଶାତୀତ ଅଧିକ ଦରରେ କ୍ରୟ କରାଯାଉଛି । କୌଣସି ମଧ୍ୟସ୍ଥିଙ୍କ ଜରିଆରେ ଏହାକୁ ଗ୍ରହଣ ନକରି କମ୍ପାନୀ ସିଧାସଳଖ କିଣୁଛି । ଫଳରେ ଚାଷୀ ନିଜ ପରିଶ୍ରମର ଉଚିତ ମୂଲ୍ୟ ପାଇ ପାରୁଛି । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ସହଯୋଗରେ ଭାରତ ମସଲା କମ୍ପାନୀ ବିଗତ କିଛି ବର୍ଷ ହେବ କଟକ, ସମ୍ୱଲପୁର ସମେତ ବିଭିନ୍ନ ଜିଲ୍ଲାର ଚାଷୀଙ୍କୁ ବ୍ୟବସାୟର ଏକ ନୂତନ ମାର୍ଗ ଦେଖାଇଛି । କଟକ ଜିଲ୍ଲାର ଜଗତପୁର ଓ ରାମଦାସପୁରରେ ଚାରୋଟି ଅଫିସ ଏବଂ ମସଲା ପ୍ରସ୍ତୁତ ୟୁନିଟରେ ଶତାଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମଧ୍ୟ ଯୋଗାଇ ଦେଇଛି ଏହି କମ୍ପାନୀ । ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ରାଉତ ଓ ଭାରତ ମସଲାର ଲୋକ ସମ୍ପର୍କ ଅଧିକାରିଣୀ ଏସ୍.ଏନ ମିଲେନିୟମ ଉପସ୍ଥିତ ଥିଲେ ।