ଭୁବନେଶ୍ୱର: ବିଜୁ ଜନତା ଦଳର ଦ୍ଵିତୀୟ ପର୍ଯ୍ୟାୟ ଜନ ସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଦଳର ବରିଷ୍ଠ ନେତୃମଣ୍ଡଳୀ ଭାଗ ନେଇ ନିଜର ମତାମତ ରଖିଥିଲେ।
ଦଳର ପ୍ରଥମ ପର୍ଯ୍ୟାୟ ଜନ ସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ବିପୁଳ ଜନ ସମର୍ଥନ ମିଳିଛି। ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ଦଳର ନେତାମାନେ ମତ ପ୍ରକାଶ କରିଥିଲେ। ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ ବ୍ୟକ୍ତିଗତ ଭାବେ ସଂଗ୍ରହ କରାଯିବା ସହିତ ଡିଜିଟାଲ ମୋଡ଼ରେ ମଧ୍ୟ ଗ୍ରହଣ କରାଯିବ ଓ ସେଥିପାଇଁ ଆବଶ୍ୟକ ବୈଷୟିକ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା।
ଏହି ବୈଠକରେ, କାର୍ଯ୍ୟକ୍ରମ ରୂପାନ୍ତିକରଣ କମିଟିର ଆବାହକ ସଞ୍ଜୟ ଦାସବର୍ମା ଓ ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଅତନୁ ସବ୍ୟସାଚୀ ନାୟକ ନିଜର ବକ୍ତବ୍ୟ ରଖି ଯଥାକ୍ରମେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ କାର୍ୟ୍ୟକ୍ରମର ରୂପରେଖ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଏଥିରେ ପ୍ରମିଳା ମଲ୍ଲିକ, ବିକ୍ରମ ଆରୁଖ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଡ଼ଃ ଅରୁଣ ସାହୁ, ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ, ମନୋହର ରନ୍ଧାରୀ, ସୁଦାମ ମାରାଣ୍ଡି, ମହେଶ ସାହୁ, ଦେବେଶ ଆଚାର୍ଯ୍ଯ ଇତ୍ୟାଦି ନିଜ ନିଜର ମତ ରଖିଥିଲେ। ଏହି ବୈଠକରେ ମିଡିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି ଓ ଡ଼ଃ ପ୍ରିୟବ୍ରତ ମାଝିଙ୍କ ସହ ବିଜୟ ନାୟକ ମଧ୍ୟ ଉପସ୍ଥିତ ଥିଲେ ।














