ସରିନି ବାତ୍ୟାର ପ୍ରଭାବ, କାଲି ଯାଏଁ ପ୍ରବଳ ବର୍ଷା
‘ଦାନା’ ଯିବା ପରେ ବନ୍ୟା ସ୍ଥିତି; ବିପଦ ସଂକେତ ଉପରେ ବିଭିନ୍ନ ନଦୀ
ଭୁବନେଶ୍ଵର: ଦାଉ ସାଧିଲା ଦାନା । ବାତ୍ୟା ମାଡ଼ରେ କେତେ ଘାଇଲା ହୋଇଛି ତିନି ଜିଲ୍ଲା କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ । ଭିତରକନିକାର ହବାଳିଖଟି ନେଚରକ୍ୟାଂପ ନିକଟରେ ରାତି ଦେଢ଼ଟା ବେଳକୁ ପହଞ୍ଚିଥିଲା ବାତ୍ୟାର କେନ୍ଦ୍ରସ୍ଥଳ । ହେଲେ ତାର ପ୍ରଭାବ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୂଆ-ପେଣ୍ଠଠୁ… ଭଦ୍ରକର ଧାମରା, ବାଲେଶ୍ୱରର ଚାନ୍ଦିପୁର ଯାଏଁ । ରାତିର ଅନ୍ଧାରରେ ବାତ୍ୟା ରଚୁଥିଲା ଭୀଷଣ ତାଣ୍ଡବ । ସବୁଆଡ଼େ ଅଣଚାଶ ପବନ ମାଡ଼ରେ ଶୋଇଯାଇଛି ବହୁ ପୁରୁଣା ଓ ବଡ଼ ଗଛ ସହ ବିଦ୍ୟୁତ୍ ଖୁଣ୍ଟ । କେଉଁଠି ଲୋକଙ୍କ ଘର ଉପରେ ପଡିଛି ତ ପୁଣି କେଉଁଠି ରାସ୍ତା ଉପରେ । ଧାନ ଫସଲକୁ ବି ବଡ଼ କ୍ଷତି ପହଞ୍ଚାଇଛି ସାମୁଦ୍ରିକ ଝଡ଼ । କିଛି ଗାଁ ବର୍ଷାରେ ଜଳବନ୍ଦୀ ବି ହୋଇଛି । ଲ୍ୟାଣ୍ଡଫଲ୍ ବେଳେ ବାତ୍ୟା ଦାନା କେମିତି ରଚିଛି ତାଣ୍ଡବ.. କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା, ରାଜନଗର, ବଗପାଟିଆ, ଜମ୍ବୁ ହେଉ କି ଭଦ୍ରକ ଜିଲ୍ଲାର ଧାମରା, ଚାନ୍ଦବାଲି, ବାସୁଦେବପୁର ଓ ଭଦ୍ରକ । ସବୁଠି ଭୀଷଣ ବାତ୍ୟା ଛାଡ଼ିଛି ପ୍ରଳୟର ପଦଚିହ୍ନ । କେଉଁଠି ଉଡ଼ି ଯାଇଛି ଘରର ଛପର, ତ କେଉଁଠି ବଡ଼ ବଡ଼ ଗଛ ଧରାଶାୟୀ ହୋଇ ରାସ୍ତା ଓ ଘର ଉପରେ ପଡ଼ିଛି । ଦାନା ସିଧାସଳଖ ମାଡ଼ ହୋଇଥିବା ଅଞ୍ଚଳରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ଥିଲା ପବନର ବେଗ । ଆଉ ତା ସହ ସମୁଦ୍ର ଜୁଆର ଓ ବର୍ଷା ବି ସାଧିଥିଲା ଦାଉ । ବାତ୍ୟା ଆଗକୁ ବଢ଼ିବା ସହ, ପ୍ରଭାବିତ ହୋଇଥିଲା ଅଧିକରୁ ଅଧିକ ଅଞ୍ଚଳ । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ରାତି ସାଢ଼େ ୧୧ଟାରୁ ଆଜି ସକାଳ ସାଢ଼େ ୮ଟା ଅର୍ଥାତ ପ୍ରାୟ ୯ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ।
ବାତ୍ୟା ଯୋଗୁଁ ମାନବିକ କ୍ଷତି ହୋଇ ନଥିବା ବେଳେ ଫସଲ କ୍ଷୟକ୍ଷତି କରିଛି। ଭଦ୍ରକ ଜିଲ୍ଲାରେ ବର୍ଷା ଓ ପବନ ଯୋଗୁଁ ଫସଲକୁ କ୍ଷତି ପହଞ୍ଚାଇଛି। ଗତକାଲି ଠାରୁ ଜିଲ୍ଲାରେ ବର୍ଷା ଜାରି ରହିବା ଦ୍ବାରା ଲୋକଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଲୋକେ ଘରୁ ବାହାରିପାରୁ ନାହାନ୍ତି। ଜରୁରୀ କାମ ଥିଲେ ମଧ୍ୟ ବାହାରକୁ ଯିବାର ସମ୍ଭବ ହୋଇପାରୁ ନାହିଁ। ରାସ୍ତାରେ ପଡ଼ି ରହିଥିବା ବିଶାଳ ଗଛଗୁଡ଼ିକ ଲୋକଙ୍କର ଗମନାଗମନକୁ ଅଟକାଇ ରଖିଛି। ଭଦ୍ରକ ସହରରୁ ଚାନ୍ଦବାଲି ରାସ୍ତାର ଏକାଧିକ ସ୍ଥାନରେ ବଡ଼ବଡ଼ ଗଛ ଢଳି ପଡ଼ି ରାସ୍ତା ଅବରୋଧ ହୋଇଛି। ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ ରାସ୍ତା ସଫା କରିବାରେ ନିୟୋଜିତ ଅଛନ୍ତି। କିନ୍ତୁ ପ୍ରବଳ ବର୍ଷା ଓ ପବନ ଯୋଗୁଁ ସେମାନଙ୍କର କାମରେ ବାଧା ସୃଷ୍ଟି ହେଉଛି। ସେହିପରି ଧାମରାକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ମଧ୍ୟ ବିଶାଳକାୟ ଗଛଗୁଡ଼ିକ ଉପୁଡି ପଡ଼ିଥିବାରୁ ସାଧାରଣ ଲୋକଙ୍କର ଗମନାଗମନ ହୋଇପାରି ନାହିଁ। ଆଜି ସନ୍ଧ୍ୟା ହୋଇଯାଇଥିବାରୁ ପୁନରୁଦ୍ଧାର କାର୍ଯ୍ୟ ଆସନ୍ତାକାଲି ଠାରୁ ଆଗକୁ ବଢ଼ିବ।
ବାତ୍ୟା ‘ଦାନା’ ଯିବା ପରେ ରାଜ୍ୟର କିଛି ଅଞ୍ଚଳରେ ଦେଖିବାକୁ ମିଳିଛି ଫ୍ଲାସ ଫ୍ଲଡର ଦୃଶ୍ୟ। ବିଶେଷକରି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ଅଞ୍ଚଳରେ ବାଦଲ ଫଟା ବର୍ଷା ସାଙ୍ଗକୁ ବିଭିନ୍ନ ନଦୀ ମଧ୍ୟ ଫୁଲୁଥିବା ଲକ୍ଷ୍ୟ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ଶିମିଳିପାଳ ଉପର ମୁଣ୍ଡ ବରେହିପାଣି, ନଅଣା, ହଲା ପିଠାବଟା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇ ଏହି ପାଣି ବୁଢ଼ାବଳଙ୍ଗ ନଦୀକୁ ଆସିଛି। ଫଳରେ ବୁଢାବଳଙ୍ଗ ନଦୀରେ ଜଳସ୍ତର ବଢିବା ଆରମ୍ଭ ହୋଇଛି। ଏପଟେ ବାଲେଶ୍ୱରରେ ସଂଧ୍ୟା ୬ଟା ସୁଦ୍ଧା ମଥାନୀ ଠାରେ ବିପଦ ସଙ୍କେତ ଛୁଇଁଛି ଜଳକା ନଦୀ। ବିପଦ ସଙ୍କେତ ୬.୫୦ ମିଟରରେ ଜଳ ପ୍ରବାହିତ ହେଉଛି। ସେହିପରି ପଂଚଲିଙ୍ଗେଶ୍ୱର ଶୈବପୀଠରେ ବାଦଲ ଫଟା ବର୍ଷା ପରେ ପାହାଡ଼ ଉପରୁ ଖସୁଥିବା ପାଣି ଅନେକ ସମୟ ଯାଏଁ ଶୈବପୀଠରେ ତାଣ୍ଡବ ରଚିଥିଲା। ବାତ୍ୟା ‘ଦାନା’ ପାଇଁ ପଂଚଲିଙ୍ଗେଶ୍ୱର ପୀଠରେ ୩ ଦିନ ଧରି ସାଧାରଣ ଦର୍ଶାନାର୍ଥୀଙ୍କ ଲାଗି ଦର୍ଶନ ବନ୍ଦ ରହିଛି।
ବାତ୍ୟା ମୁକାବିଲା ପାଇଁ ଗ୍ରାଉଣ୍ଡରେ ସଜାଗ ଥିଲେ ଅଗ୍ନିଶମ, ଓଡ୍ରାଫ୍ ଓ NDRF ଯବାନଙ୍କ ଭଳି ବିଭିନ୍ନ ବିପର୍ଯ୍ୟୟ ଯୋଦ୍ଧା । ବାତ୍ୟା ଆଶ୍ରୟସ୍ଥଳରେ ଲୋକଙ୍କୁ ଖାଦ୍ୟ ବାଣ୍ଟିଥିଲେ ଦରଦୀ ଯୁବ ସଂଗଠନ । ଗଣମାଧ୍ୟମକୁ ଘନ ଘନ ଅପଡେଟ୍ ଦେଉଥିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଉ ଏପଟେ ରାଜ୍ୟ ସରକାର ବି ରାତି ସାରା ଥିଲେ ବାତ୍ୟା ପାଇଁ ଜାଗତିଆର । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟର ଏମର୍ଜେନ୍ସି କଣ୍ଟ୍ରୋଲରୁମରେ ମୁଖ୍ୟ ଶାସନ ସଚିବ ଓ ରାଜସ୍ୱ ମନ୍ତ୍ରୀଙ୍କ ସହ ସ୍ଥିତି ଉପରେ ନଜର ରଖିଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକଙ୍କୁ ଆତଙ୍କିତ ନହୋଇ ସତର୍କ ରହିବାକୁ ଦେଉଥିଲେ ପରାମର୍ଶ ।
ବାତ୍ୟା ଦାନାର ପ୍ରଭାବ ଯୋଗୁଁ ବର୍ଷା ଏବଂ ପବନ ଜାରି ରହିଛି । ଏଥିପାଇଁ ଆସନ୍ତାକାଲି ସକାଳ ୮ଟା୩୦ ପର୍ଯ୍ୟନ୍ତ ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଲା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର । ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ଅତି ପ୍ରବଳ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ସେହିପରି କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେପଟେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ ଅନୁଗୁଳ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଠାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଅର୍ଥାତ୍ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି ଲାଗି ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଆସନ୍ତା ୨୬ ଓ ୨୭ ତାରିଖରେ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି । ପ୍ରଭାବିତ ଜିଲ୍ଲାରେ ଫସଲ କ୍ଷତି ଆକଳନ ପାଇଁ ଛୁଟି ବାତିଲ କରାଯାଇଛି । ମୁଖ୍ୟାଳୟ ନ ଛାଡ଼ିବାକୁ ଅଧିକାରୀଙ୍କୁ ବିଭାଗର ନିର୍ଦ୍ଦେଶ ରହିଛି । ଏନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସେପଟେ ଆହୁରି ଦୁର୍ବଳ ହୋଇଛି ବାତ୍ୟା ଦାନା । ବାତ୍ୟାରୁ ଗଭୀର ଅବପାତରେ ପରିଣତ ହୋଇଛି ‘ଦାନା’ । ଦୁର୍ବଳ ହୋଇ ଘଣ୍ଟାକୁ ୭ କିମି ବେଗରେ ଉତ୍ତରପଶ୍ଚିମ ଆଡ଼େ ଗତି କରୁଛି ।














