ବାତ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ସଫଳ: ମୁଖ୍ୟମନ୍ତ୍ରୀ
ବାତ୍ୟା ଦାନା ପ୍ରଭାବରେ ଘର ଭାଙ୍ଗିଥିବା ଲୋକଙ୍କୁ ମିଳିବ ପକ୍କା ଘର ।
ଭୁବନେଶ୍ବର:ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ବାତ୍ୟା ପରବର୍ତ୍ତୀ ଅଞ୍ଚଳ ଯାଇ କ୍ଷେତ୍ର ପରିଦର୍ଶନ କାମ ଆସନ୍ତାକାଲିଠୁ ଆରମ୍ଭ ହେବ । ୨୬ରେ ଫିଲ୍ଡ ଷ୍ଟାଫ୍ କ୍ଷୟକ୍ଷତି ଆକଳନ କରିବେ । ଫସଲ ଓ ବାସସ୍ଥାନ କ୍ଷୟକ୍ଷତି ନେଇ ଆସନ୍ତା ୭ ଦିନ ମଧ୍ୟରେ ଆକଳନ କରାଯିବ । ବାତ୍ୟା ଦାନା ପାଇଁ ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶେଷ ପ୍ରଭାବିତ ହୋଇଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି । ସେପଟେ ୪ ଘଣ୍ଟା ଭିତରେ ରାସ୍ତା ସଫା ହୋଇ ସାରିଛି । ଟେଲିକମ୍ୟୁନିକେସନ ବିଭାଗରୁ ଅଭିଯୋଗ ଆସିନି ଏବଂ ଶକ୍ତି ଓ ସ୍ୱାସ୍ଥ୍ୟ ବିଭାଗ ଭଲ କାମ କରିଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ।
ସେପଟେ ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ୩୩ କେଭି ଫିଡର ମଧ୍ୟରୁ ୯୫ ପ୍ରତିଶତ ଫିଡର ମରାମତି ସରିଥିବା TPCODL ତଥ୍ୟ ଆଧାରରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହେଦେଓ । ସେହିଭଳି ୧୧ କେଭି ନେଟୱର୍କ ପୁନଃ ସଂସ୍ଥାପନ କାର୍ଯ୍ୟ ସଂଧ୍ୟା ୭ଟା ସୁଦ୍ଧା ସରିଥିବ । ପ୍ରବଳ ବର୍ଷା ସତ୍ତ୍ୱେ ଟିମ୍ କାମରେ ଲାଗିଥିବା କେଭି ସୂଚନା ଦେଇଛନ୍ତି । ସେପଟେ ବାତ୍ୟା ଦାନା ପାଇଁ ଆସନ୍ତା ୨୬ ଓ ୨୭ ତାରିଖ ଲାଗି ସରକାରୀ ଛୁଟିକୁ ବାତିଲ କରାଯାଇଥିବା ନେଇ ଏସଆରସି କାର୍ଯ୍ୟାଳୟଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଦିନ ସଂଲଗ୍ନ ବିଭାଗଗୁଡ଼ିକର ଅଫିସ ଖୋଲା ରହିବ ବୋଲି ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସକାଳୁ ସ୍ୱତନ୍ତ୍ର ରିଲିଫ୍ କମିଶନର କାର୍ଯ୍ୟାଳୟକୁ ଯାଇ ପରିସ୍ଥିତିର ସମୀକ୍ଷା କରିବା ସହିତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ କାଲି ମଧ୍ୟ ରାତ୍ରରୁ ଆଜି ସକାଳ ୭ଟା ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ହୋଇଛି। ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଆମେ ଆମର ‘ଜିରୋ କାଜୁଆଲ୍ଟି’ ଲକ୍ଷ୍ୟ ହାସଲ କରିଛୁ। ବାତ୍ୟା ମୁକାବିଲାରେ ଆମେ ସମ୍ପୂର୍ଣ୍ଣ ସଫଳତା ହାସଲ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟରେ ନିୟୋଜିତ ଥିବା ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ସରକାର ଓ ପ୍ରଶାସନର ତତ୍ପରତା ଯୋଗୁ ପ୍ରାୟତଃ କ୍ଷୟକ୍ଷତି ଘଟି ନାହିଁ। ସେହିପରି ବିମାନ ଚଳାଚଳ ସ୍ୱାଭାବିକ ହୋଇଛି। ଆଜି ସକାଳ ୯ଟା ରେ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଥମ ବିମାନ ଅବତରଣ କରିଛି। ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମା’ ଗୃହକୁ ସ୍ଥାନାନ୍ତରିତ ହୋଇଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୧୬୦୦ରୁ ଅଧିକ ମହିଳା ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବେ ଜନ୍ମ ଦେଇଛନ୍ତି। ଆମ ପାଇଁ ଖୁସିର କଥା ଉଭୟ ମା’ ଓ ଶିଶୁମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବାତ୍ୟା ‘ଦାନା’ର ପ୍ରଭାବ କମି ଗଲାଣି। ଲୋକମାନେ ଆଶ୍ରୟ ସ୍ଥଳୀରୁ ନିଜ ନିଜ ଘରକୁ ଫେରିବା ଆରମ୍ଭ କଲେଣି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଶେଷ କୃପା ଓ ଆମର ଟିମ୍ ସ୍ପିରିଟ୍ ଯୋଗୁ ଆମେ ବାତ୍ୟାର ସଫଳ ମୁକାବିଲା କରିପାରିଲୁ। ମୁଖ୍ୟମନ୍ତ୍ରୀ ଏଥିପାଇଁ ଜନସାଧାରଣ, ପ୍ରଶାସନିକ ଅଧିକାରୀ, ଉଦ୍ଧାରକାରୀ ଦଳ, ଡାକ୍ତରୀ ଦଳ, ପୋଲିସ୍, ଅଗ୍ନିଶମ ବାହିନୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ।














