ଭୁବନେଶ୍ୱର: ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା ଆଜି କିଟ୍ ଓ କିସ୍ ପରିଦର୍ଶନ କରି ଫେରିଯାଇଛନ୍ତି । କିସ୍ର ୪୦ ହଜାର ପିଲାଙ୍କ ମଧ୍ୟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବନବାସ’ର ପ୍ରଚାର ପାଇଁ ସେ ମୁମ୍ବାଇର କିସ୍ ଆସିଥିଲେ । ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ ‘ବନବାସ’ । ଉତ୍କର୍ଷଙ୍କ ପିତା ତଥା ବିଶିଷ୍ଟ ବଲିଉଡ୍ ନିର୍ଦ୍ଦେଶକ ଓ ନିର୍ମାତା ଅନୀଲ ଶର୍ମା କିସ୍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିଷୟରେ ଶୁଣିଥିଲେ । ତେଣୁ ସେ ମୁମ୍ବାଇ ଛାଡ଼ି କିସ୍ ପିଲାଙ୍କ ସହ ଚଳଚ୍ଚିତ୍ର ‘ବନବାସ’ର ପ୍ରଚାର ପାଇଁ ଉତ୍କର୍ଷଙ୍କୁ କିସ୍ ପଠାଇଥିଲେ । ଉତ୍କର୍ଷଙ୍କ ସହ ତାଙ୍କ ମାଆ ଓ ଭଉଣୀ ମଧ୍ୟ କିସ୍ ଆସିଥିଲେ। ଆଜି ସକାଳେ ସେମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ଅପରାହ୍ନରେ କିଟ୍ ଓ କିସ୍ ପରିଦର୍ଶନ କରିବା ପରେ କିସ୍ର ୪୦ ହଜାର ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିଥିଲେ । କିସ୍ କ୍ୟାମ୍ପସ ଦେଖି ସେ ଅଭିଭୂତ ହୋଇ କହିଥିଲେ, ମୁଁ ଦେଶ ଓ ବିଦେଶର ଅନେକ ସ୍ଥାନ ବୁଲିଛି । କିନ୍ତୁ କିସ୍ ଭଳି ସ୍ଥାନ କେଉଁଠି ଦେଖିନାହିଁ । ଏଠାରେ ପିଲାଙ୍କ ରହିଥିବା ଭିତ୍ତିଭୂମି ବିଶ୍ୱସ୍ତରୀୟ । କାରଣ ମୁଁ ମୁମ୍ବାଇ ଓ ଆମେରିକାରେ ପାଠ ପଢ଼ିଥିଲେ ମଧ୍ୟ ସେଠାରେ ଯେଉଁ ଭିତ୍ତିଭୂମି ରହିଛି ତାଠାରୁ ଏଠାରେ ଅତି ଉନ୍ନତ ଭିତ୍ତିଭୂମି ରହିଛି । ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କ ପ୍ରତିଭା ଓ ଦକ୍ଷତା ବିକାଶ ପାଇଁ ବିଶ୍ୱସ୍ତରୀୟ ବ୍ୟବସ୍ଥା ରହିଛି । ଏହାର ସଦୁପଯୋଗ ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ସାମନ୍ତଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି ସେ କହିଲେ, ଦେଶର ଅନେକ ସମାଜ ପାଇଁ ଅନେକ କିଛି କରିଛନ୍ତି । କିନ୍ତୁ ଅଚ୍ୟୁତ ସାମନ୍ତ ଯାହା କରୁଛନ୍ତି ତାହା କଳ୍ପନାର ବାହାରେ । ଏଠାରେ ୪୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଗବାନ ବିରାଜମାନ କରୁଥିବା ମୁଁ ଦେଖିପାରୁଛି। ସେମାନଙ୍କ ଶୁଭେଚ୍ଛା ଓ ଭଲ ପାଇବା ମୋତେ ଅଭିଭୂତ କରିଛି ବୋଲି ସେ କହିଥିଲେ । ପରେ ସେ କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ଅତିବାହିତ କରିଥିଲେ । ନିଜ ଚଳଚ୍ଚିତ୍ର ଉପରେ ସେ କହିଲେ, ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ପାରିବାରିକ ଓ ମନୋରଞ୍ଜନଧର୍ମୀ । ସନ୍ତାନଙ୍କ ଲାଳନ ପାଳନ କରିବା ପିତାମାତଙ୍କ କର୍ମ ହୋଇଥିବା ବେଳେ ପିତାମାତାଙ୍କୁ ସମ୍ମାନ କରିବା ଓ ପରବର୍ତ୍ତୀ ସମୟରେ ସେମାନଙ୍କ ଯତ୍ନ ନେବା ହେଉଛି ପିଲାଙ୍କ ଧର୍ମ ବୋଲି ସେ କହିଥିଲେ ।