ଭଦ୍ରକ: ଶିକ୍ଷକ ଅଭାବ ଓ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବା ପ୍ରତିବାଦରେ ଆଜି ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଥଇଳା ସ୍କୁଲରେ ଛାତ୍ରଛାତ୍ରୀମାନେ ଚାବି ପକାଇ ଧାରଣାରେ ବସି ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏ ସଂପର୍କରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପଚରାଯିବାରେ ସେମାନଙ୍କ ଅଭିଯୋଗ ମୂଳେ ଏହି ବିଦ୍ୟାଳୟରେ ଥିବା ଶିକ୍ଷକମାନଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଥିଲେ ମଧ୍ୟ ନୂତନ ଶିକ୍ଷକ ପଦବୀ ପୂରଣ କରାଯାଇନାହିଁ। ଅଧ୍ୟୟନରତ ୧୩୭ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ସମେତ ମାତ୍ର ୩ ଜଣ ପାଠ ପଢାଉଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଶିକ୍ଷକଙ୍କୁ ଅନେକ ସମୟରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯିବା ସହ ତାଲିମ୍ରେ ପଠାଯାଉଥିବାରୁ କେବଳ ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ପାଠ ପଢାଉଛନ୍ତି। ସେହିଭଳି ଶିକ୍ଷକମାନେ ପିଲାମାନଙ୍କୁ ସରକାରଙ୍କ ପାଖରୁ ଦିଆଯାଉଥିବା ମଧ୍ୟାହ୍ନଭୋଜନରେ ଭାତ ଓ ପାଣିଆ ଡାଲି ଦେଉଥିବାବେଳେ ସେମାନେ ସେମାନଙ୍କ ସମ୍ମୁଖରେ ମାଛ, ମାଂସ ଖାଉଛନ୍ତି। ଏଭଳି ସମସ୍ୟାକୁ ନେଇ ଆଜି ଦିନ ୧୦ ଟାରୁ ଛାତ୍ରଛାତ୍ରୀମାନେ ନଖାଇ ନପିଇ ଓପାସରେ ଧାରଣାରେ ବସିରହିଥିଲେ ମଧ୍ୟ କୌଣସି ବିଭାଗୀୟ କର୍ତୃପକ୍ଷ ସେଠାରେ ନପହଂଚିବା ଘଟଣା ଅଭିଭାବକ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି।














