ଭଦ୍ରକ: ଏହି ଜିଲାର ଧାମନଗର ରେ ସମନ୍ୱିତ ଶିଶୁବିକାଶ ସେବାକାର୍ଯ୍ୟାଳୟକୁ ଚାଉଳ ଯୋଗାଉଥିବା ଠିକାଦାରଙ୍କ ଗୋଦାମ କୁ ସିଲ୍ କରି ଦିଆଯାଇଛି। ଧାମନଗର ସିଡିପିଓ ଧରିତ୍ରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଦୀପକ ଦାସ ଏହାକୁ ସିଲ୍ କରିଛନ୍ତି। ମଙ୍ଗଳବାର ଦିନ ୪ ଟାରେ ତହସିଲଦାର ଏକ ଟିମ୍ ଧରି ଧାମନଗର ଏନଏସି ର ମୁନସିପାଟଣା ରେ ଥିବା ଏହି ଗୋଦାମରେ ପହଂଚି ଦୁଇଟି ଦ୍ୱାର ରେ ଥିବା ତାଲାକୁ ଜଉମୁଦ ମାରି ସିଲ୍ କରିଥିଲେ। ଧାମନଗର ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଇବା ଲାଗି ଧାମନଗର ମୁସିପାଟଣା ଅଂଚଳର ଠିକାଦାର ମହମ୍ମଦ ସର୍ଫୂଦ୍ଦିନ ୨୦୨୦ରୁ ଚାଉଳ ବାଂଟିବା ପାଇଁ ଟେଣ୍ଡର ନେଇଥିଲେ। ଏହାପରେ ସେ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଇ ଆସୁଥିଲେ। ଆଇସିଡିଏସ ଯୋଜନାର ଖାଦ୍ୟ ସାମଗ୍ରୀ ଯୋଗାଣ ନିୟମ ଅନୁସାରେ ସଂପୃକ୍ତ ଠିକାଦାର ନିର୍ଦ୍ଧାରିତ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)ର ଗୋଦାମରୁ ଚାଉଳ ଉଠାଇବେ। ଏହାପରେ ନିଜ ଅଂଚଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଇଦେବେ। ହେଲେ ମହମ୍ମଦ ସର୍ଫୁଦିନି ହୁସେନ ସିଧା ଅଙ୍ଗନବାଡ଼ି କେନ୍ଦ୍ରରେ ଚାଉଳ ନ ବାଂଟି ନିଜ ଘର ପାଖରେ କରିଥିବା ଗୋଦାମରେ ରଖୁଥିଲେ। ଗୋଦାମରେ ରହୁଥିବା ଚାଉଳ ବସ୍ତାରୁ କିଛି କିଛି ଚାଉଳ ବାହାର କରି ନେଉଥିଲେ। ତା ପରେ ସେଠାରୁ ଛୋଟ ଗାଡ଼ିରେ ଚାଉଳ ବସ୍ତା ନେଇ ଅଙ୍ଗନବାଡ଼ି କେନ୍ଦ୍ରରେ ଦେଉଥିଲେ। ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ବସ୍ତା ର ଓଜନ କମ୍ ରହୁଥିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ।
ଏପରିକି ମଝିରେ ମଝିରେ ଗୋଟିଏ ଗୋଟିଏ ମାସ ଚାଉଳ ଆଦୌ ଦେଉନଥିଲେ ବୋଲି କର୍ମୀମାନେ ଅଭିଯୋଗ କରି ଆସୁ ଥିଲେ। ଏନେଇ ବାରମ୍ବାର ଅଭିଯୋଗ ପରେ ଜିଲ୍ଲାପାଳଙ୍କ ପାଖରେ ଖବର ପହଂଚିଥିଲା। ଏହାର ତଦନ୍ତ କରିବାକୁ ସିଡିପିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୂଆ ସିଡିପିଓ ସଂପୃକ୍ତ ଠିକାଦାରଙ୍କୁ ବାରମ୍ବାର ଡାକିଥିଲେ ବି ସେ ଆସୁନଥିଲେ। ଏହାପରେ ସିଡିପିଓ ଧରିତ୍ରୀ ପାଣିଗ୍ରାହୀ ଧାମନଗର ତହସିଲଦାରଙ୍କୁ ନେଇ ଉକ୍ତ ଚାଉଳ ଗୋଦାମରେ ଚଢ଼ଉ କରିଥିଲେ। ସିଡିପିଓ ଓ ତହସିଲଦାର ପହଂଚିଥିଲେ । ଏହାପରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ପ୍ରଦତ କ୍ଷମତା ବଳରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଭାବେ ତହସିଲଦାର ଦୀପକ ଦାସ ନିଜ ଟିମକୁ ଡକାଇ ଚାଉଳ ଗୋଦାମ ସିଲ୍ କରିଥିଲେ। ତେବେ ଗୋଦାମରେ ଚାଉଳ କେତେ ଗଛିତ ଅଛି, ତାହା ସ୍ପଷ୍ଟ ହୋଇନାହିଁ।ଜିଲାପାଳ ଙ୍କ ନିର୍ଦେଶ କ୍ରମେ ଉପରିସ୍ଥ ଅଧିକାରି ଙ୍କ ଉପସ୍ଥିତି ରେ ସିଲ୍ ଖୋଲା ଯାଇ ଘଟଣାର ତଦନ୍ତ କରା ଯିବ ବୋଲି ତହସିଲଦାର କହିଥିଲେ। ମୁଁ ନୂଆ ଭାବେ ଯୋଗ ଦେଇଚି । ଉକ୍ତ ଗଛିତ ଥିବା ଚାଉଳ ଜୁଲାଇ ଓ ଅଗଷ୍ଟ ମାସ ରେ, ଉକ୍ତ ଘଟଣା ର ଅଧିକ ତଦନ୍ତ ପାଇଁ ଉପରିସ୍ଥ ଅଧିକାରି ଙ୍କୁ ସୁଚନା ଦିଆ ଯାଇଛି ବୋଲି ସିଡିପିଓ ଶ୍ରୀମତୀ ପାଣିଗ୍ରାହୀ କହିଛନ୍ତି । ମୁଁ ବାହାରେ ଥିବାରୁ ଘଟଣା ସଂପର୍କ ରେ କିଛି ଜାଣି ନାହିଁ ଫେରିଲେ ଯାହା ମତାମତ ଦେବି ବୋଲି ଟେଣ୍ଡର ନେଇ ଥିବା ଏମ ଡି ସର୍ଫୁଦିନି ହୁସେନ କହିଛନ୍ତି ।














