ଭୁବନେଶ୍ବର: ଶୀତକାଳନୀ ଅଧିବେଶନରେ ଶନିବାର ଅପରାହ୍ଣରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଯାଇଛି। ସିଏଜି ରିପୋର୍ଟ ଉପସ୍ଥାପନ ବେଳେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି। କଂଗ୍ରେସର ବିଧାୟକମାନେ ଅଦାନୀ ପ୍ରସଙ୍ଗରେ ନିଜ ଆସନରେ ଠିଆହୋଇ ପୋଷ୍ଟର ଦେଖାଇ ପ୍ରଦର୍ଶନ କରିଛନ୍ତି। ଏହାରି ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଆସନ୍ତା ସୋମବାର (୨୦୨୪ ଡିସେମ୍ବର ୯) ପୂର୍ବାହ୍ଣ ୧୦ଟା ୩୦ ଯାଏଁ ମୁଲତବି ଘୋଷଣା କରିଛନ୍ତି।
ସୁଭଦ୍ରା ଯୋଜନା ସଂପର୍କରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରାୟ ୮୦ ଲକ୍ଷରୁ ଅଧିକ ଲୋକ ଟଙ୍କା ପାଇସାରିଥିବାବେଳେ, ୨୭ ହଜାରରୁ ଅଧିକ ଲୋକ ବ୍ୟାଙ୍କ ଓ ଆଧାର ତ୍ରୁଟି କାରଣରୁ ଟଙ୍କା ପାଇପାରି ନାହାଁନ୍ତି। ଏଥିସହ ୨ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବିବେଚିତ ହେଇଛନ୍ତି। ଡିସେମ୍ବର ୨ ତାରିଖ ସୁଦ୍ଧା ରାଜ୍ୟର ୧,୦୫,୪୩,୨୩୮ ଜଣ ଲୋକ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି। ସେଥିମଧ୍ୟରୁ ୮୦ ଲକ୍ଷ ୧ ହଜାର ୯୯୭ ଜଣ ସୁଭଦ୍ରା ଟଙ୍କା ପାଇଛନ୍ତି। ତେବେ ୨୭ ହଜାର ୭୭୪ ଜଣ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ଗତ ତ୍ରୁଟି କାରଣରୁ ଏବଂ ୨ ଲକ୍ଷ ୨୦ ହଜାର ୨୫୯ ଜଣ ଅଯୋଗ୍ୟ ବିବେଚିତ ହେବା କାରଣରୁ ଟଙ୍କା ପାଇପାରିନାହାଁନ୍ତି।














