ଭୁବନେଶ୍ବର : ଚଳିତ ଜାନୁଆରୀ ୮ ତାରିଖ ସକାଳେ ପ୍ରବାସୀ ଭାରତୀୟ ଦିବସ ପାଇଁ ଉତ୍ସବ ମୁଖର ଥିବା ଭୁବନେଶ୍ୱରରେ ଚଞ୍ଚଲ୍ୟ ସୃଷ୍ଟି କରିଥିଲା ରସୁଲଗଡ଼ ଫ୍ଲାଏ ଓଭର ଉପରେ ଭୁବନେଶ୍ୱର ମହାନଗର ନିଗମର ସଫେଇ କର୍ମଚାରୀଙ୍କ ସୁପରଭାଇଜର ସହଦେବ ନାୟକଙ୍କୁ ନିର୍ମମ ହତ୍ୟା। କଡା ସୁରକ୍ଷା ବଳୟରେ ଥିବାବେଳେ ଭୁବନେଶ୍ୱରରେ ଏପରି ଵିଭତ୍ସ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ହତ୍ୟାର ଶିକାର ହୋଇଥିବା ସହଦେବ ନାୟକଙ୍କ ବିଧବା ପତ୍ନୀ ଓ ଦୁଇ ଝିଅ ଆଜି ସନ୍ଧ୍ୟାରେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ନୃଶଂସ ହତ୍ୟାରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଶାସ୍ତି ନେଇ ଦାବି ଜଣାଇଥିଲେ।
ନବୀନ ପଟ୍ଟନାୟକ ସ୍ବର୍ଗତ ସହଦେବ ନାୟକଙ୍କ ପତ୍ନୀ ଓ ପିଲା ମାନଙ୍କୁ ସାନ୍ତ୍ୱନା ଦେବା ସହ ଏ ଦାରୁଣ ବିପତ୍ତି ସମୟରେ ସେ ତାଙ୍କ ସହ ଅଛନ୍ତି ଓ ତାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏହି ଜଘନ୍ୟ ହତ୍ୟା ଘଟଣାକୁ କଡା ନିନ୍ଦା କରିବା ସହ ତାଙ୍କ ପରିବାରକୁ ଯେପରି ନ୍ୟାୟ ମିଳିବ ସେଥିପାଇଁ ଲଢେଇ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏଥି ସହିତ ଶୁଦ୍ଧି କର୍ମ ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ବର୍ଗତ ନାୟକଙ୍କ ପରିବାରକୁ ପଚାଶ ହଜାର ଟଙ୍କାର ସହାୟତା ତାଙ୍କ ପତ୍ନୀଙ୍କୁ ପ୍ରଦାନ କରିଥିଲେ। ଏହି ସାକ୍ଷାତ ସମୟରେ BMC ମେୟର ସୁଲୋଚନା ଦାସ ବିଧାୟକ ଅନନ୍ତ ନାରାୟଣ ଜେନା,ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ କର୍ପୋରେଟର ମନେ ଉପସ୍ଥିତ ଥିଲେ। ଉଲ୍ଲେଖ ଯୋଗ୍ୟ ଯେ ହତ୍ୟାର ଦୁଇ ଦିନ ପୂର୍ବରୁ ସ୍ବର୍ଗତ ନାୟକ ତାଙ୍କ ପରିବାର ସହ ନବୀନ ନିବାସକୁ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ସୂଚନା ଯୋଗ୍ୟ ଯେ BMC ର ହସ୍ତକ୍ଷେପ କ୍ରମେ ସ୍ବର୍ଗତ ନାୟକଙ୍କ ପରିବାରକୁ ସେ କାମ କରୁଥିବା ଠିକା ସଂସ୍ଥା ପାଞ୍ଚ ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣକୁ ଚାକିରୀ ଦେବାକୁ ଘୋଷଣା କରାଯାଇଥିଲା।














