ପାରାଦୀପ: ପାରାଦୀପର ଏକମାତ୍ର କଲେଜ (ପାରାଦୀପ କଲେଜ)ର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ରବିବାର ସକାଳେ ସମୂହ ପଦଯାତ୍ରା କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଏହି କଲେଜର ପୁରାତନ ଛାତ୍ର ତଥା ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ଏମପି ବିଭୁପ୍ରସାଦ ତରାଇ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ, ଆଲୁମିନି ଆସୋସିଏସନ ର ରବି ଦାସ, ଗୌତମ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ।କଲେଜ ଅଧ୍ୟକ୍ଷା ସସ୍ମିତା ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପଦଯାତ୍ରାରେ ବର୍ତ୍ତମାନ ଓ ପୁରାତନ ଛାତ୍ରୀଛାତ୍ର ୫୦୦ ରୁ ଅଧିକ ଯୋଗ ଦେଇଥିଲେ।ଏହି ପଦଯାତ୍ରା କଲେଜ ପାଖରୁ ଆରମ୍ଭ ହୋଇ ନୂଆବଜାର, ବଡପଡିଆ, ବ୍ୟାଙ୍କଲେନ୍ ଦେଇ କଲେଜ ପାଖକୁ ଫେରିଥିଲା।ପଦଯାତ୍ରା ଶେଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ସ୍ବାଇଁ ସୁବର୍ଣ୍ଣ ଜୟନ୍ତୀ ପାଇଁ ବିଶେଷ ସୂଚନା ଦେଇଥିଲେ।ଆସନ୍ତା ଫେବୃଆରୀ ୭ ରୁ ୯ ପର୍ଯ୍ୟନ୍ତ ୩ ଦିନ ଧରି ଏହି ଜୟନ୍ତୀ ମହୋତ୍ସବ ପାଳନ ହେବ।ଏଥିରେ ରାଜ୍ୟପାଳଙ୍କ ସମେତ ବହୁ ଅତିଥି ଆସିବାର କାର୍ଯ୍ୟକ୍ରମ ଅଛି।କଲେଜର ପୁରାତନ ଛାତ୍ରୀଛାତ୍ର ଏବେ ଦେଶବିଦେଶର ବିଭିନ୍ନ ସ୍ଥାନରେ ଅଛନ୍ତି।ସମସ୍ତଙ୍କୁ ଯୋଗାଯୋଗ କରାଯାଇଛି।ଏହାକୁ ସ୍ମରଣୀୟ କରିବା ପାଇଁ ଆଲୁମିନି ସଂଘ କରାଯାଇଛି।ରବିବାର ଜାତୀୟ ଯୁବ ଦିବସରେ ଏହା ଆରମ୍ଭ ହେଲା।ଏହା ପରଠାରୁ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଥିଲେ।କାର୍ଯ୍ୟକ୍ରମକୁ ଅଧ୍ୟାପକ ଗଣେଶ୍ବର ପାତ୍ର, ଅକ୍ଷୟ କୁମାର ମିଶ୍ର, ପ୍ରଶାନ୍ତ କୁମାର ରଥ ଓ ଅନ୍ୟମାନେ ପରିଚାଳନା କରିଥିଲେ।














