ଭୁବନେଶ୍ୱର : କୁଷ୍ଠ ରୋଗକୁ ସହଜରେ ଚିହ୍ନଟ କରାଯାଇପାରେ ଏବଂ ଏହା ଆରୋଗ୍ୟସାଧ୍ୟ । ବ୍ୟାପକ ସଚେତନତା ଅଭାବରୁ ଏହା ଆଜିର ସମୟରେ ମଧ୍ୟ ଏକ ବ୍ୟାଧି ରୂପେ ଠିଆ ହୋଇଛି । କୁଷ୍ଠ ରୋଗର ସଠିକ ସମୟରେ ଚିହ୍ନଟ ଓ ଚିକିତ୍ସା ତାସହ ଉତ୍ତମ ବ୍ୟବହାର ପ୍ରଦାନ କରାଗଲେ କୁଷ୍ଠ ରୋଗକୁ ପରାହତ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କୁଷ୍ଠମୁକ୍ତ ଭାରତ ସ୍ବପ୍ନକୁ ସାକାର କରାଯାଇପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି । ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୩୦ ସୁଦ୍ଧା କୁଷ୍ଠ ମୁକ୍ତ ଭାରତ ଗଢିବାର ସ୍ବପ୍ନ ସାକାର କରିବାକୁ ହେଲେ ସମସ୍ତଙ୍କର ସାମାଜିକ ସହଯୋଗ ଓ ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଜନ ସଚେତନତାକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ପାଳିତ କୁଷ୍ଠ ନିରାକରଣ ଦିବସ ଅବସରରେ ମୁଖ୍ୟଅତିଥିଭାବେ ଯୋଗଦେଇ ଡ଼ଃ ମହାଲିଙ୍ଗ ଉଲ୍ଲେଖ କରିଛନ୍ତି ।
କୁଷ୍ଠ ରୋଗର ଯେତେ ଶୀଘ୍ର ଚିହ୍ନଟ ହେବ, ସେତେ ଶୀଘ୍ର ତାର ନିରାକରଣ କରାଯାଇପାରିବ । ଅନ୍ୟ ରୋଗ ଭଳି ଏହା ମଧ୍ୟ ଏକ ଆରୋଗ୍ୟସାଧ୍ୟ ରୋଗ ତେଣୁ କୁଷ୍ଠ ରୋଗକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ଚିକିତ୍ସା ସହିତ ସାମାଜିକ ସହଯୋଗ ମିଳିଲେ ଏହି ରୋଗକୁ ସମ୍ପୂର୍ଣ୍ଣ ପରାଜିତ କରାଯାଇପାରିବ ବୋଲି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ. କହିଛନ୍ତି ।
ଏହି ଅବସରରେ ରାଜ୍ୟର ଅଗଣିତ କୁଷ୍ଠ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଓ ସେବା ମାଧ୍ୟମରେ ଭଲ କରିଥିବା ଝାରସୁଗୁଡାର ସୁନାମଧନ୍ୟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା ଲକ୍ଷ୍ମଣ କୁମାର କାର୍ମିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେ କୁଷ୍ଠ ରୋଗ ସମୟର ଯାତନା ଏବଂ କୁଷ୍ଠ ରୋଗରୁ ମୁକ୍ତି ପାଇଲା ପରେ ଯେକୌଣସି ବ୍ୟକ୍ତିର ଆନନ୍ଦ ଓ ଆଶୀର୍ବାଦ ମନେପକାଇ ଭାବବିହ୍ୱଳ ହୋଇଯାଇଥିଲେ । ସ୍ବର୍ଗତ ପିତାମାତାଙ୍କ ଆଶୀର୍ବାଦ ବିନା ଏହା ସମ୍ଭବ ହୋଇପାରିନଥାନ୍ତା ବୋଲି ସେ କହିଥିଲେ ।
କୁଷ୍ଠ ନିରାକରଣରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ତିନିଜଣ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା ନୀଳକଣ୍ଠ ମିଶ୍ର, ବରିଷ୍ଠ ବିଭାଗୀୟ ଅଧିକାରୀ, ଛାତ୍ର-ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।














