୧୨ ଲକ୍ଷ ୮୯ ହଜାର କୋଟି ପୁଞ୍ଜି ନିବେଶ ପ୍ରସ୍ତାବ; ୧୩ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି
ଭୁବନେଶ୍ବର: ଆଶାଠୁ ଅଧିକ ପୁଞ୍ଜି ନିବେଶ ପ୍ରତିଶ୍ରୁତି । ସଫଳ ହେଲା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ। ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ ଓ ମୋଦି ଗ୍ୟାରେଣ୍ଟିର ପ୍ରତିଶ୍ରୁତି ପରେ ଓଡିଶାକୁ ଛୁଟିଲା ପୁଞ୍ଜି ନିବେଶର ସୁଅ। ପୁର୍ବରୁ ଯେଉଁ କମ୍ପାନୀ କେବେ ଓଡ଼ିଶା ଆସିବାକୁ ଇଛା କରୁ ନଥିଲେ ସେମାନେ ଏବେ ପୁଞ୍ଜି ନିବେଶ ପାଇଁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଉତ୍କର୍ଷ ଓଡ଼ିଶାରୁ ଯେତିକି ପୁଞ୍ଜି ଆସିବା ଆଶା ଥିଲା ତାଠୁ ଦୁଇ ଗୁଣ ଅଧିକ ନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି । ଯାହା ବିକଶିତ ଓଡିଶା ନିର୍ମାଣ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହେବାକୁ ଯାଉଛି । ଉତ୍କର୍ଷ ଓଡ଼ିଶା କନକ୍ଲେଭର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମେଟାଲ ଷ୍ଟିଲ କ୍ଷେତ୍ରରେ ରାଜ୍ୟକୁ ମିଳିଛି ସବୁଠୁ ଅଧିକ ପୁଞ୍ଜି ନିବେଶ ପ୍ରତିଶ୍ରୁତି । ସେହିପରି କେମିକାଲ ଓ ପେଟ୍ରୋ କେମିକାଲ, ସୌର ଶକ୍ତି, ପବନ ଶକ୍ତି ଭଳି ଅକ୍ଷୟ ଶକ୍ତି କ୍ଷେତ୍ର ଦ୍ବିତୀୟ ଓ ତୃତୀୟରେ ରହିଛି । ପ୍ରଥମ ଥର ନୂଆ ସେକ୍ଟର ଭାବେ ଫାର୍ମା କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି ବିଭିନ୍ନ କମ୍ପାନୀ । ଆନ୍ଧ୍ରପ୍ରଦେଶର ହେଟେରୋ କମ୍ପାନୀ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛି । ସେହିପରି ଟେକ୍ସଟାଇଲ୍ ଓ ଆପାରେଲ କ୍ଷେତ୍ରରେ ବି ପୁଞ୍ଜି ନିବେଶ ପାଇଁ ଅନେକ ଆଗ୍ରହୀ ଅଛନ୍ତି ।
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ ସମ୍ମିଳନୀରେ ଦୁଇଦିନରେ ୧୨ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପୁଞ୍ଜି ନିବେଶ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଭୁବନେଶ୍ବରର ଜନତା ମଇଦାନରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ଶିଳ୍ପ ସମ୍ମିଳନୀରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍ଡ ଇନ୍ ଓଡ଼ିଶା ଓ ମହିଳା ଉଦ୍ୟମିତା ଉପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହା ବ୍ୟତୀତ ସିଇଓ ରାଉଣ୍ଡ୍ଟେବୁଲ୍, ମହିଳା ନେତୃତ୍ବ ରାଉଣ୍ଡ୍ଟେବୁଲ୍ ଓ ଏଡିଟର୍ସ ରାଉଣ୍ଡ୍ଟେବୁଲ୍ ଅନୁଷ୍ଠିତ ହୋଇଛି। କନ୍କ୍ଲେଭ୍ର ପ୍ରଥମ ଦିନରେ ୫ଟି ଓ ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ୧୪୫ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପୂର୍ବରୁ ଦୁଇ ଦିନ ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ସରକାର ସାଧାରଣ ଲୋକଙ୍କ ପାଇଁ ଆଉ ଦୁଇଦିନ ବୃଦ୍ଧି କରିଛନ୍ତି। ଜନସାଧାରଣ ଆସନ୍ତାକାଲି (ଗୁରୁବାର) ସହ ଜାନୁଆରି ୩୧ ପର୍ଯ୍ୟନ୍ତ ଜନତା ମଇଦାନରେ ‘ଉତ୍କର୍ଷ ଓଡ଼ିଶା’ ସମ୍ମିଳନୀର ପଦର୍ଶନୀ ବୁଲିପାରିବେ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୧୪୫ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହା ଦ୍ବାରା ରାଜ୍ୟକୁ ୧୨ ଲକ୍ଷ ୮୯ ହଜାର କୋଟି ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି। ଏହା ଦ୍ବାରା ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। କେମିକାଲ୍ସ, ପେଟ୍ରୋ କେମିକାଲ୍ସ, ମାଇନ୍ସ, ବୟନ, ପର୍ଯ୍ୟଟନ, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, କ୍ଷେତ୍ରରେ ପୁଞ୍ଜି ଆସିବ। ୧୬ଟି ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ସାମିଲ ହେବା ଆମ ପାଇଁ ବଡ଼ ସଫଳତା। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ସ୍ବପ୍ନ ସାକାର କରିବୁ। ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଭାଗିଦାରିତା ନିଭାଇବୁ। ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି କହିଥିଲେ, ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ଭାରତକୁ ବୁଝିବା ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ। ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ଓଡ଼ିଶା ଖୁବ୍ ଶୀଘ୍ର ସେଭଳି ଶୀର୍ଷରେ ପହଞ୍ଚିବ, ଯାହାର କେହି କଳ୍ପନା କରିନାହାନ୍ତି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତକୁ ନଜରରେ ରଖି ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ପ୍ରସ୍ତୁତ କରାଯାଇଛି। ରାଜ୍ୟର ନିବେଶ ସମ୍ଭାବନା କ୍ଷେତ୍ରଗୁଡ଼ିକୁ ସେଥିରେ ପ୍ରଦର୍ଶିତ କରାଯାଇଛି। ପାରମ୍ପରିକ ଧାତବ, ଖଣି ଓ ଖଣିଜ କ୍ଷେତ୍ର ବ୍ୟତୀତ ଏଥିରେ ବୟନ, ପେଟ୍ରୋକେମିକାଲ୍ସ, ଅକ୍ଷୟ ଶକ୍ତି, ସବୁଜ ଇନ୍ଧନ ଓ ସର୍କୁଲାର ଅର୍ଥନୀତି ଉପରେ ବିଶେଷ ଜୋର ଦିଆଯାଉଛି। ଜାନୁଆରି ୩୧ ଯାଏଁ ମେକ୍ ଇନ୍ ଓଡ଼ିଶା ଏକ୍ସପୋ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ଖୋଲାଯିବ।














