ଭୁବନେଶ୍ବର : ଦୀର୍ଘ ୮ ମାସ ପରେ ରାଜ୍ୟ କଂଗ୍ରେସକୁ ମିଳିଲେ ନୂଆ ମୁଖିଆ। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ପିସିସି ସଭାପତିଙ୍କ ନାଁ ଘୋଷଣା କରିଛି ଏଆଇସିସି । ଓଡ଼ିଶା ପିସିସି ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କୁ ନିଯୁକ୍ତ କରାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପ୍ରେସ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛନ୍ତି ।
ତେବେ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ, କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲେ ହାଇକମାଣ୍ଡ । ଏହାପରେ ଶରତ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏପରିକି ଦୀର୍ଘଦୀନ ହେବ ବିନା ମୁଖିଆରେ ରାଜ୍ୟ କଂଗ୍ରେସ ପରିଚାଳିତ ହେଉଥିଲା । ମୁଖିଆ ନଥିବାରୁ ଦଳୀୟ କର୍ମୀଙ୍କୁ ମାର୍ଗଦର୍ଶନ ମିଳୁ ନଥିଲା । ଏପରିକି ପିସିସି ସଭାପତି କିଏ ହେବ ତାହାକୁ ନେଇ ସମୟେ ସମୟେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହେଉଥିଲା । ଆଉ ଏହାରି ଭିତରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି କଂଗ୍ରେସର ହାଇକମାଣ୍ଡ ।
ଭକ୍ତ ଚରଣ ଦାସ ୧୯୫୯ ମସିହାର ଜୁନ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଭକ୍ତ ଚରଣ ଦାସ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ସେ ଓଡ଼ିଶା ବିଧାନସଭାର ଜଣେ ବିଧାୟକ ଭାବରେ ଥରେ ଏବଂ ଲୋକସଭାର ସାଂସଦ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି। ୧୯୮୫ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୯, ୧୯୯୬ ଓ ୨୦୦୯ ସେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ ଓ ୧୫ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।














