ଭୁବନେଶ୍ୱର: ରବିବାର କେନ୍ଦ୍ରାପଡ଼ା ଜିଲ୍ଲାର ଚୌଦକୁଲାଟଠାରେ ଆଉ ଏକ ରାଜ୍ୟସ୍ତରୀୟ ତବଲିଗି ଇଜ୍ତେମା ସମାପ୍ତ ହୋଇଛି। ଯେଉଁଥିରେ ମୁସଲମାନମାନଙ୍କୁ ମହାପୁରୁଷ ମହମ୍ମଦଙ୍କ ବାଣୀକୁ ଅନୁସରଣ କରି ଇଶ୍ବର-ଆଲ୍ଲାହଙ୍କ ସାନିଧ୍ୟ ପ୍ରାପ୍ତିଋ ମାର୍ଗ ସନ୍ଧାନ କରିବାକୁ ଆହ୍ୱାନ ଦିଆଯାଇଛି। ତିନି ଦିନିଆ ଏହି ବାର୍ଷିକ ସମାବେଶ ଶେଷ ହେବା ପୂର୍ବରୁ ବାଙ୍ଗାଲୋରର ମୁଫତି ମୌଲାନା ତାହିର କୁରେଶୀ ସାହବ ଶେଷ ଦିନରେ ସାମୂହିକ ଦୁଆ-ପ୍ରାର୍ଥନାର ନେତୃତ୍ୱ ନେଇଥିଲେ। ମୌଲାନା ମସିଉଲ୍ଲାହ, ମୌଲାନା ସୋଏବ, ମୁଫତି ଇଲିଆସଙ୍କ ସମେତ କିଛି ପ୍ରସିଦ୍ଧ ଇସ୍ଲାମିକ ବିଦ୍ୱାନ- ଧର୍ମଗୁରୁ ଇଜ୍ତେମାରେ ଉଦ୍ବୋଧନ ଦେଵାସହ ‘ତବ୍ଲିଗ ଜମାତ’ରେ ଯୋଗଦେଇ ଲୋକମାନଙ୍କୁ ସେମାନଙ୍କ ଜୀବନରେ ସଂସ୍କାର ଆଣିବାର ପ୍ରେରଣା ଦେବାକୁ ଚେଷ୍ଟା କରିଥିଲେ।
ରାଜ୍ୟରେ ଗତ ପନ୍ଦର -କୋଡିଏ ଦିନ ମଧ୍ୟରେ ଏପରି କାର୍ଯ୍ୟକ୍ରମ ଏବଂ ମୁସଲମାନମାନଙ୍କର ଏକ ସାମୂହିକ ସମାବେଶ ଦ୍ୱିତୀୟ ଥିଲା। ଜାତୀୟ ଏବଂ ରାଜ୍ୟ ସ୍ତରରେ ଅବସ୍ଥିତ ତବଲିଗି ଜମାତର ଦୁଇଟି ଶାଖା ମଧ୍ୟରୁ ଗୋଟିଏ ଦ୍ୱାରା ଏହି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ବର୍ଷ ଜାନୁଆରୀ ମାସରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଲତି – କଟିକଟାଠାରେ ପ୍ରଥମ ତିନି ଦିନିଆ ବାର୍ଷିକ ସମ୍ମିଳନୀ ଶେଷ ହୋଇଥିଲା। ଉଭୟ ବାର୍ଷିକ କାର୍ଯ୍ୟକ୍ରମ ପାଇଁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟ ରେ ସମ୍ପ୍ରଦାୟର ଲୋକମାନେ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଉତ୍ସାହଜନକ ପ୍ରତିକ୍ରିୟା ଦେଇ ଶେଷ ଦିନରେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ତେଣୁ ଜାନୁଆରୀ ମାସ ଇଜ୍ତେମା ପରି ଏହି ବାର୍ଷିକ ସମ୍ମିଳନୀ ମଧ୍ୟ କେବଳ ଇସଲାମିକ୍ ଜୀବନଶୈଳୀ ଅନୁସରଣ କରି ଧର୍ମାବଲମ୍ବୀଙ୍କ ଆତ୍ମ ସଂସ୍କାର ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା। ଇଜ୍ତେମାରେ ଅନେକ ଲୋକ ଥିଲେ, ଯେଉଁମାନେ ରାଜ୍ୟରେ ଉଭୟ ସମ୍ମିଳନୀରେ ଯୋଗ ଦେଇ ଶେଷ ଦିନ ‘ଦୁଆ’ରେ ଭାଗ ନେଇଥିଲେ।
କଟକର ଜଣେ ବାସିନ୍ଦା ଅବଦୁଲ୍ ମଜିଦ୍ କୁହନ୍ତି ସେ ଉଭୟ ଇଜ୍ତେମାରେ ଯୋଗ ଦେଇ କୌଣସି ପାର୍ଥକ୍ୟ ପାଇନଥିଲେ। ସେ କହିଛନ୍ତି, ଇଜତେମା ତାଙ୍କୁ ସୃଷ୍ଟିକର୍ତ୍ତା ଆଲ୍ଲାହଙ୍କ ପାଇଁ ଅତି କମରେ ତିନି ଦିନ ସମୟ ଦେବା ଏବଂ ଗଭୀର ନିଷ୍ଠାର ସହିତ ପ୍ରାର୍ଥନା କରିବା ପାଇଁ ଆକର୍ଷିତ କରେ। ସେ ସ୍ୱୀକାର କରନ୍ତି, ନିସନ୍ଦେହ, ଏହା ସମସ୍ତଙ୍କୁ “ତବଲିଗି ଜମାତ”ରେ ଯୋଗଦେବାକୁ ମଧ୍ୟ ଉତ୍ସାହିତ କରେ। ଚୌଦକୁଲତ ଇଜ୍ତେମାର ପ୍ରମୁଖ ଶୀର୍ଷ ସଂଯୋଜକ ମୌଲାନା ଦାଉଦ କହିଛନ୍ତି ଆଲ୍ଲାହଙ୍କ କୃପାରୁ ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପ୍ତ ହୋଇଛି ଏବଂ ଚାରି ମାସ କିମ୍ବା 40 ଦିନ ଧରି ‘ତବଲିଗି ଜମାତ’ରେ ଯୋଗଦେବା ପାଇଁ ଅନେକ ଲୋକଙ୍କଠାରୁ ଉତ୍ସାହଜନକ ପ୍ରତିକ୍ରିୟା ମଧ୍ୟ ମିଳିଛି। ମୌଲାନା ଦାଉଦ କହିଛନ୍ତି ଯେ ଇଜତେମାରେ ଯୌତୁକ ବିନା ଦଶଟି ବିବାହ ମଧ୍ୟ କରାଯାଇଥିଲା। ଇଜ୍ତେମାର ସ୍ୱେଚ୍ଛାସେବୀମାନେ ମଧ୍ୟ କାର୍ଯ୍ୟକ୍ରମର ସୁଗମ ପରିଚାଳନା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସେମାନେ ଅଂଶଗ୍ରହଣକାରୀଙ୍କ ପାଇଁ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଜିଲ୍ଲା ପ୍ରଶାସନ ଏବଂ ପୋଲିସ ମଧ୍ୟ ଇଜ୍ତେମାରେ ସୁରକ୍ଷା ଏବଂ ଟ୍ରାଫିକ୍ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରିଥିଲେ। ସ୍ଥାନୀୟ ବିଧାୟକ ଗଣେଶ୍ୱର ବେହେରାଙ୍କ ସମେତ ଅନ୍ୟମାନେ ମଧ୍ୟ କାର୍ଯ୍ୟକ୍ରମର ସଫଳତା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।














