ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ । ଗତ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦେବେନ୍ଦ୍ର ପ୍ରଧାନ ହେଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା । ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । ଆଜି ଦିଲ୍ଲୀରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ହେଉଛନ୍ତି ଦେବେନ୍ଦ୍ର ପ୍ରଧାନ । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଅସୁସ୍ଥତା କାରଣରୁ ୬ ଦିନ ପୂର୍ବରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ଦିନ ପ୍ରାୟ ସାଢେ ୧୦ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୩ ଥର ବିଜେପି ରାଜ୍ୟ ସଭାପତି ରହିଥିଲେ ଦେବେନ୍ଦ୍ର ପ୍ରଧାନ ।
କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଭୂପୃଷ୍ଠ ପରିବହନ ଓ କୃଷି ମନ୍ତ୍ରୀ ଥିଲେ ଦେବେନ୍ଦ୍ର ପ୍ରଧାନ । ୧୯୯୮ରୁ ୨୦୦୪ ଯାଏଁ କେନ୍ଦ୍ରରେ ମନ୍ତ୍ରୀ ରହିଥିଲେ । ବିଜେପିରୁ ୨ ଥର ସଂସଦକୁ ନିର୍ବାଚିତ ହୋଇଥିଲେ । ବିଜେପିର ରାଷ୍ଟ୍ରୀୟ ଉପସଭାପତି ଏବଂ ବିଜେପିର ରାଜ୍ୟ ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ସେ ୨୦୦୧ରୁ ୨୦୦୨ ବିଜେପିର ରାଷ୍ଟ୍ରୀୟ ଉପସଭାପତି ରହିଥିଲେ । ଦେବେନ୍ଦ୍ର ପ୍ରଧାନ ୩ ଥର ବିଜେପି ରାଜ୍ୟ ସଭାପତି ରହିଥିଲେ । ୧୯୮୮-୯୦ ଏବଂ ୧୯୯୦ରୁ ୧୯୯୩ ରାଜ୍ୟ ବିଜେପି ସଭାପତି ଭାବେ କାର୍ଯ୍ୟ କରିଥିଲେ । ୧୯୯୩ରୁ ୧୯୯୫ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଥିଲେ । ପୁନର୍ବାର ୧୯୯୫ରୁ ୧୯୯୭ ଯାଏଁ ରାଜ୍ୟ ବିଜେପି ସଭାପତି ରହିଥିଲେ ।
୧୯୯୮ରେ ସେ ଦେବଗଡ଼ ଆସନରୁ ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୯ରେ ମଧ୍ୟ ପୁନର୍ବାର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଦେବେନ୍ଦ୍ର ପ୍ରଧାନ ବୃତ୍ତିରେ ଜଣେ ଡାକ୍ତର ଥିଲେ । ୧୯୬୬ ମସିହାରେ କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ଏମବିବିଏସ୍ ପାସ୍ କରିଥିଲେ । ତାଙ୍କ ଘର ଅନୁଗୋଳ ଜିଲ୍ଲାର ତାଳଚେରରେ । ୧୯୭୩ରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।
ତେବେ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର ଏୟାର ଇଣ୍ଡିଆର ବିମାନ ଯୋଗେ ନୂଆଦିଲ୍ଲୀରୁ ଭୁବନେଶ୍ଵର ବିମାନବନ୍ଦରକୁ ଅଣାଯାଇଛି । ବିମାନବନ୍ଦରରେ ମରଶରୀରକୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଗାର୍ଡ ଅଫ୍ ଅନର ଦିଆଯିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିମାନବନ୍ଦରରେ ଦେବେନ୍ଦ୍ରଙ୍କୁ ଶେଷ ଥର ପାଇଁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିମାନ ବନ୍ଦରରେ ପହଞ୍ଚିଥିଲେ। ବିଭିନ୍ନ ଦଳର ରାଜନେତା ବିମାନ ବନ୍ଦରରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ପୁଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ଭୁବନେଶ୍ଵର ବିମାନବନ୍ଦରରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମରଶରୀରକୁ ସିଧା ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ନେତା ଓ କର୍ମୀ ଦେବେନ୍ଦ୍ର ପ୍ରଧାନଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେଠାରୁ ଦେବେନ୍ଦ୍ରଙ୍କ ମରଶରୀରକୁ ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ସାଧାରଣଜନତା ଦେବେନ୍ଦ୍ରଙ୍କ ପାର୍ଥିବ ଶରୀର ଦର୍ଶନ କରିଥିବା ବେଳେ ଆସନ୍ତାକାଲି ପୁରୀ ସ୍ଵର୍ଗଦ୍ଵାର ନିଆଯାଇ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି ।














