କଟକ/ ଭୁବନେଶ୍ବର: କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ସଡ଼କ ଦୁର୍ଘଟଣାରେ କର୍ତ୍ତବ୍ୟରତ ୨ଜଣ ପୁଲିସ୍ କର୍ମଚାରୀ (ଜଣେ ଓଏପିଏଫ୍ କନ୍ଷ୍ଟେବଲ୍ଏବଂ ଜଣେ ହୋମ୍ ଗାର୍ଡ)ଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଉଭୟଙ୍କ ନିକଟ ସଂପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଉଭୟ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସୂଚନାଯୋଗ୍ୟ, କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିସିଆରଭ୍ୟାନକୁ ଟ୍ରକ୍ ଚାପିଦେବା ଫଳରେ ଅକାଳରେ ଚାଲିଯାଇଥିଲା ୨ ପୁଲିସ କର୍ମଚାରୀଙ୍କ ଜୀବନ। ଖାଲି ସେତିକି ନୁହେଁ, ଏଥିରେ ଆଉ ଜଣେ ପୁଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ପୁଲିସ ଉଦ୍ଧାର କରି ଏସସିବିରେ ଭର୍ତ୍ତି କରିଥିବା ଜଣାଯାଇଛି।














