ବାଲେଶ୍ବର: ଛୁଟି କାଟିବାକୁ ଯାଇଥିଲେ ଶବ ହୋଇ ଫେରିଲେ । ଆତଙ୍କୀଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କୁ ଆଜି ଝୁରୁଛନ୍ତି ଆତ୍ମୀୟ ସ୍ବଜନ। ଖୋଜି ହେଉଛନ୍ତି ପତ୍ନୀ ଓ ପରିବାର । ଗତକାଲି ବିଳମ୍ବିତ ରାତିରେ ଶ୍ରୀନଗରରୁ ଭୁବନେଶ୍ବର ଆସି ପହଞ୍ଚିଥିଲା ପ୍ରଶାନ୍ତଙ୍କ ମରଶରୀର। ଆଜି ସକାଳେ ବାଲେଶ୍ବର ଇସାଣୀ ଗାଁରେ ଅନ୍ତିମ ସତ୍କାର କରାଯାଇଛି । ଏକମାତ୍ର ପୁଅ ମୁଖାଗ୍ନୀ ଦେବାପରେ ଲୁହ ଛଳଛଳ ଆଖିରେ ପ୍ରଶାନ୍ତଙ୍କୁ ବିଦାୟ ଜଣାଇଥିଲା ଜନ୍ମମାଟି ।
ସକାଳ ସାଢ଼େ ୫ଟାରେ ଇସାଣୀ ଗାଁରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ମରଶରୀର । ଯେଉଁଠି ଅନ୍ତିମ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ପରିବହନ ମନ୍ତ୍ରୀ ବିଭୁତି ଜେନା ପ୍ରମୁଖ । ଶୋକାକୂଳ ପରିବେଶରେ ପ୍ରଶାନ୍ତଙ୍କ ପତ୍ନୀ, ପୁଅଙ୍କ ସମେତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ସମସ୍ତେ । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୂକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ତା’ସହ ମୃତ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଓ ପୁଅର ପାଠପଢ଼ା ପାଇଁ ସରକାର ବ୍ୟବସ୍ଥା କରିବେ ବୋଲି କହିବା ସହ ଆତଙ୍କୀଙ୍କ ଏଭଳି ବର୍ବରକାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି । ବୁଧବାର ରାତି ପ୍ରାୟ ସାଢ଼େ ୧୨ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ପାର୍ଥିବ ଶରୀର । ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୋଲିସ ଡିଜି ୱାଇ.ବି.ଖୁରାନିଆଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ ।