ପାରାଦୀପ: ପାରାଦୀପର ଷଣ୍ଢକୁଦ ବସ୍ତି ଅଞ୍ଚଳରେ ରବିବାର ସନ୍ଧ୍ୟାରେ ୬ ଜଣ ସନ୍ଦିଗ୍ଧ ନାଗରିକ ବୁଲି ପଳାଇଥିଲେ।ଉକ୍ତ ଘଟଣା ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବାପରେ ସୋମବାର ଜଗତସିଂହପୁର ଏସପି ଭବାନୀଶଙ୍କର ଉଦଗାତା ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି।ପାରାଦୀପ ସର୍କିଟ ହାଉସ ଠାରେ ଏସପି ଉଦଗାତା କହିଥିଲେ ଯେଉଁମାନେ ଷଣ୍ଢକୁଦ ପାଖରେ ବୁଲୁଥିଲେ ସେମାନେ ଗ୍ୟାସ/ଅଏଲ ଟ୍ୟାଙ୍କର ଚାଳକ ଏବଂ ସେମାନେ ଲୋକାଲ ଲୋକ।ରବିବାର ଥିବାରୁ ସେମାନେ ସମୁଦ୍ର କୂଳରେ ବୁଲାବୁଲି କରି ଷଣ୍ଢକୁଦ ଠାରେ ଥିବା ମଦ ଦୋକାନ ପାଖକୁ ଯାଇଥିଲେ।ସେଠାରେ କିଛି ଲୋକ ତାଙ୍କୁ ପଚରାଉଚରା କରିଥିଲେ ଏବଂ ଫଟୋ ଭିଡିଓ କରିଥିଲେ।ତାଙ୍କର ଆଇଡି କାର୍ଡ ଅଛି।ଆମେ ଇନକ୍ବାରୀ କରି ଜାଣିବାକୁ ପାଇଛୁ ସେମାନେ ସବୁ ଚାଳକ।କେଉଁ କମ୍ପାନୀ ଚାଳକ କିମ୍ବା ଏବେ ସେମାନେ କେଉଁଠି ପ୍ରଶ୍ନରେ ଏସପି କହିଥିଲେ ତାହା ପ୍ରକାଶ କରିହେବ ନାହିଁ।ଏବଂ ସ୍ଥାନୀୟ ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ।ଏସପିଙ୍କ ଉକ୍ତ ବୟାନ ଦେବା ପରେ ମଧ୍ୟ ପ୍ରଶାସନିକ ସ୍ତରରେ ଯାଞ୍ଚ ଚାଲିଥିବା ଜଣାପଡିଛି।ବିଶେଷକରି ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଙ୍କ ସମେତ ଅନ୍ୟ ଏଜେନ୍ସି ତଦନ୍ତ କରୁଥିବା ଜଣାପଡିଛି।ଏସପିଙ୍କ ବୟାନରେ କେତେକ ଅସାମଞ୍ଜସ୍ୟ ଥିବା ଜଣାପଡିଛି।ଜାମୁ କାଶ୍ମୀର ପରିଚୟପତ୍ର ଥିବା ଲୋକଙ୍କୁ ଲୋକାଲ ବୋଲି କହିବା ଏବଂ ସେମାନେ କେଉଁ କମ୍ପାନୀ ଅଏଲ/ଗ୍ୟାସ ଟ୍ୟାଙ୍କର ଡ୍ରାଇଭର ତାହା ଅସ୍ପଷ୍ଟ ରହିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।














