ପାରାଦୀପ: ଦୁଇଦିନ ମଧ୍ୟରେ ଦୁର୍ଘଟଣା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଓ ୨ ଜଣ ଗୁରୁତର ଆହତ ହେବା ଘଟଣା ପରେ ସୋମବାର ପ୍ରଶାସନିକ ସ୍ତରରେ ସମୀକ୍ଷା ବୈଠକ ବସିଥିଲା।ସ୍ଥାନୀୟ ନୂଆବଜାରସ୍ଥ ସର୍କିଟ ହାଉସ ଠାରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ହୋଇଥିଲା।ଏଥିରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ, ଏସପି ଭବାନୀଶଙ୍କର ଉଦଗାତା, ପାରାଦୀପ ବନ୍ଦର ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତା, ଜଗତସିଂହପୁର ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି, ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପ୍ରମୁଖ ଉକ୍ତ ବୈଠକରେ ଆଲୋଚନା କରିଥିଲେ।ବୈଠକ ପରେ ମନ୍ତ୍ରୀ ସ୍ବାଇଁ କହିଥିଲେ, ପାରାଦୀପ ଠାରୁ ଦୋଛକି ଏବଂ ଭୂତମୁଣ୍ଡାଇ ପର୍ଯ୍ୟନ୍ତ ପ୍ରତି ଟ୍ରାଫିକ ପଏଣ୍ଟ ରେ ପୋଲିସ ମୁତୟନ ହେବ।ଯେଉଁ ଭାରୀଯାନ ରଙ୍ଗ ରୁଟରେ ଯିବ ସେହି ଗାଡିର ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯିବ।ଦୁର୍ଘଟଣା ପରେ ଆହତ ଲୋକଙ୍କ ଉଦ୍ଧାର କରିବା ପାଇଁ ପ୍ରତି ପଏଣ୍ଟରେ ନମ୍ବର ରହିବ।
ସୂଚନାଯୋଗ୍ୟ ପ୍ରତି ଦୁର୍ଘଟଣା ପରେ ଏହିଭଳି ସମୀକ୍ଷା ବୈଠକ ପୂର୍ବରୁ ଅନେକ ଥର ହୋଇଛି।କେତେବେଳେ ପାର୍କିଂ ହଟିବ ତ କେତେବେଳେ ଭାରୀଯାନ ଯାଞ୍ଚ ହେବ ଏମିତି ଗଣମାଧ୍ୟମରେ ସୂଚନା ଦିଆଯାଉଛି।କିଛି ଦିନ ପରେ ସବୁ ନିୟମ ଉଭେଇ ଯାଉଛି।ରାତି ୧୦ ଟା ପରେ ପାରାଦୀପ ଠାରୁ ଭୂତମୁଣ୍ଡାଇ ପର୍ଯ୍ୟନ୍ତ ଜାଣିବା ରାଜପଥ ଉପରେ ସାଧାରଣ ଲୋକ ଯାତାୟାତ କରିବା ସହଜ ହେଉନାହିଁ।କାରଣ ରାସ୍ତାର ଦୁଇ ପାର୍ଶ୍ଵରେ ଭାରୀଯାନ ସମ୍ପୂର୍ଣ୍ଣ କଭର କରି ଯାତାୟାତ କରିଥାଏ।