୪୦୦ ଡ୍ରୋନକୁ ସ୍ବାହା କରିଦେଲେ ଭାରତୀୟ ଯବାନ
ବେସାମରିକ ଯାତ୍ରୀବାହୀ ବିମାନକୁ ଢାଲ ଭାବେ ବ୍ୟବହାର କରୁଛି ପାକିସ୍ତାନ
ନୂଆଦିଲ୍ଲୀ: ଭାରତ ପକ୍ଷରୁ ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତି ଜବାବରେ ଅପରେସନ ସିନ୍ଦୂର ଲଞ୍ଚ କରାଯାଇଛି। ଏହି ଅପରେସନରେ ଭାରତର ପକ୍ଷ ରଖିଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି, କର୍ଣ୍ଣେଲ ସୋଫିଆ କ୍ୟୁରେସୀ ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ। ଶୁକ୍ରବାର ଅପରାହ୍ଣରେ ବୈଦେଶିକ ସଚିବ ବିକ୍ରିମ ମିସ୍ରି, କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ଓ୍ବିଙ୍ଗ କମାଣ୍ଡର ବ୍ୟୋମିକା ସିଂ କରିଥିବା ମିଳିତ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ଦୁଃସାହସ ସଂପର୍କରେ ସୂଚନା ଦିଆଯାଇଛି ।
କର୍ଣ୍ଣେଲ ସୋଫିଆ କହିଛନ୍ତି ଯେ ପାକିସ୍ତାନ ତୁର୍କୀ ନିର୍ମିତ ପ୍ରାୟ ୩୦୦ରୁ ୪୦୦ ଡ୍ରୋନ ବ୍ୟବହାର କରି ଭାରତର ବିଭିନ୍ନ ସେନା, ବେସାମରିକ ଓ ଧାର୍ମିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା । ଭାରତ ନିଜର ବହୁସ୍ତରୀୟ ବାୟୁ ପ୍ରତିରୋଧକ ବ୍ୟବସ୍ଥା ବ୍ୟବହାର କରି ସେଗୁଡ଼ିକୁ ନାକାମ କରିଦେଇଥିଲା । ଅତ୍ୟନ୍ତ ଦ୍ବାୟିତ୍ବର ସହ ଭାରତ ଏସବୁର ଜବାବ ଦେଇଥିଲା । ସେ କହିଛନ୍ତି ଯେ ପାକିସ୍ତାନ ଯାତ୍ରୀବାହୀ ବିମାନଗୁଡ଼ିକୁ ଢାଲ ଭାବେ ବ୍ୟବହାର କରୁଛି । ପାକିସ୍ତାନ ଏପର୍ଯ୍ୟନ୍ତ ନିଜର ବେସାମରିକ ବିମାନ ରୁଟଗୁଡ଼ିକୁ ସଂପୂର୍ଣ୍ଣଭାବେ ବନ୍ଦ କରିନାହିଁ । ଫଳରେ ସେଠାରେ ବିଭିନ୍ନ ଯାତ୍ରୀବାହୀ ବିମାନ ଚଳାଚଳ କରୁଛି । ଏପରିକି ଅନ୍ତର୍ଜାତୀୟ ବିମାନଗୁଡ଼ିକ ମଧ୍ୟ ଚଳାଚଳ କରୁଛି । ପାକିସ୍ତାନ ସେଗୁଡ଼ିକୁ ଗୋଟିଏ ପ୍ରକାରେ ଢାଲ ଭାବେ ବ୍ୟବହାର କରୁଛି । କାରଣ ପାକିସ୍ତାନ ଜାଣିଛି ଯେ ଏକ ଦ୍ବାୟିତ୍ବବାନ ଦେଶଭାବେ ଭାରତ ବେସାମରିକ ବିମାନଗୁଡ଼ିକୁ ଟାର୍ଗେଟ୍ କରିବ ନାହିଁ । ଗୁରୁବାର ସନ୍ଧ୍ୟାରେ ପାକିସ୍ତାନ ପକ୍ଷରୁ ଭାରତର ବିଭିନ୍ନ ସହର ଉପରେ ଆକ୍ରମଣ ଉଦ୍ୟମ କରାଯାଇଥିଲା। ୩୬ଟି ସହର ଉପରେ ପାକ ସେନା ଅଚାନକ ଡ୍ରୋନ ଓ ମିସାଇଲ ଜରିଆରେ ଆକ୍ରମଣ କରିଥିଲା। ଏହାର ଜବାବରେ ଭାରତୀୟ ସେନା ମଧ୍ୟ ପାକିସ୍ତାନ ଉପରେ ଆକ୍ରମଣ କରିଥିଲେ।
ପାକିସ୍ତାନ ପକ୍ଷରୁ ଆକ୍ରମଣ ସମ୍ପର୍କରେ ବୈଠକରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଥିଲା। ମେ ୮ ତାରିଖରେ ହୋଇଥିବା ଆକ୍ରମଣରେ ପାକିସ୍ତାନ ସେନା ଭାରତର ଧାର୍ମିକ ସ୍ଥଳ ଗୁଡିକୁ ଟାର୍ଗେଟ କରିଥିଲା। ବିଭିନ୍ନ ଧାର୍ମିକ ସ୍ଥଳକୁ ଟାର୍ଗେଟ କରି ପାକିସ୍ତାନ ଲଢେଇ ଆରମ୍ଭ କରିଥିଲା। ତେବେ ଭାରତୀୟ ସେନାର ଆଣ୍ଟି ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିଲା ବୋଲି କହିଥିଲେ ସୋଫିଆ କ୍ୟୁରେସୀ। ପାକିସ୍ତାନ ଗୁରୁଦ୍ବାରା, ଚର୍ଚ୍ଚ, ମନ୍ଦିର ଉପରେ ଆକ୍ରମଣ କରୁଛି ବୋଲି ସେ କହିଥିଲେ।
ଗୁରୁବାର ରାତି ୮.୩୦ରୁ ୧୧.୩୦ ମଧ୍ୟରେ ପାକିସ୍ତାନ ଭାରତର ବିଭିନ୍ନ ସହର ଉପରକୁ ଡ୍ରୋନ ଓ ମିସାଇଲ ଜରିଆରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୩୦୦-୪୦୦ ତୁର୍କୀସ ଡ୍ରୋନ ବ୍ୟବହାର ହୋଇଥିବା ପ୍ରକାଶ କରିଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଏହି ଡ୍ରୋନ ଗୁଡିକ ମଧ୍ୟରୁ ୫୦ଟି ଡ୍ରୋନକୁ ମଝି ଆକାଶରେ ଧ୍ବଂସ କରାଯାଇଥିବା ବେଳେ ୨୦ଟିକୁ ଜାମିଙ୍ଗ ଫ୍ରିକ୍ବେନ୍ସି ବଳରେ ନଷ୍ଟ କରି ଦିଆଯାଇଥିବା ସୂଚନା ଦେଇଛନ୍ତି ସୋଫିଆ। ପାକିସ୍ତାନୀ ଡ୍ରୋନ ଗୁଡିକରେ କ୍ୟାମେରା ଲାଗିଥିବା ବେଳେ ଏହା ପାକିସ୍ତାନକୁ ଗ୍ରାଉଣ୍ଡ ଫୁଟେଜ ପଠାଇଥିବା ଆକଳନ କରାଯାଉଛି ବୋଲି ସୋଫିଆ ସୂଚନା ଦେଇଥିଲେ। ପାକିସ୍ତାନ ପକ୍ଷରୁ ଏହି ଆକ୍ରମଣରେ ଆସିଗାର୍ଡ ସୋନଗାର ଡ୍ରୋନ ବ୍ୟବହାର କରାଯାଇଥିଲା। ଏହି ଡ୍ରୋନ ଅନଆର୍ମଡ ହୋଇଥିବା ବେଳେ ଏହାର ରେଞ୍ଜ ୫ କିମି ରହିଥାଏ।
ପାକିସ୍ତାନ ନିରନ୍ତର ଭାବରେ ଭାରତରେ ସାମ୍ପ୍ରଦାୟିକତା ସୃଷ୍ଟି କରିବାକୁ ପ୍ରୟାସ କରୁଥିବା କହିଛନ୍ତି ବିକ୍ରମ ମିଶ୍ରି। ସେହିପରି ଉଭୟ ଦେଶ ମଧ୍ୟରେ ଉତ୍ତେଜନାମୂଳକ ପରସ୍ଥିତି ଲାଗି ରହିଥିବା ବେଳେ କର୍ତ୍ତାରପୁର କରିଡରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଭାରତ। ପୁଞ୍ଚର ଏକ ଖ୍ରୀଷ୍ଟିଆନ ସ୍କୁଲ ନିକଟରେ ହୋଇଥିବା ଆକ୍ରମଣରେ ୨ ଜଣ ସ୍କୁଲ ଛାତ୍ର ପ୍ରାଣ ହରାଇଥିବା ନେଇ ପ୍ରେସମିଟରେ ସୂଚନା ଦେଇଥିଲେ ମିଶ୍ରି।














