ଭୁବନେଶ୍ବର: କମିଲାଙ୍କ ସଚିବଙ୍କ କ୍ଷମତା । ଏଣିକି କ୍ୟାବିନେଟ୍ ବୈଠକରେ ରହିବେନି ସଚିବ । ନିଜ ବିଭାଗର ପ୍ରସ୍ତାବ ନିଜେ ଉପସ୍ଥାପନ କରିବେ ମନ୍ତ୍ରୀ । କ୍ୟାବିନେଟର ଢାଞ୍ଚା ପରିବର୍ତ୍ତନ ସହ ରାଜ୍ୟ ସରକାର ନେଇଛନ୍ତି କିଛି ଏଭଳି ନିଷ୍ପତ୍ତି । ୩ ଦିନ ପୂର୍ବରୁ କ୍ୟାବିନେଟ୍ ଏଜେଣ୍ଡା ଫାଇନାଲ୍ ସହ ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖରେ ପହଞ୍ଚିବ ଫାଇଲ୍ । ୫ଦିନ ପୂର୍ବରୁ କ୍ୟାବିନେଟ ବୈଠକ ତାରିଖ ଚୂଡାନ୍ତ ହେବ। ୩ଦିନ ପୂର୍ବରୁ ଚୂଡାନ୍ତ ହେବ କ୍ୟାବିନେଟର ସମସ୍ତ ପ୍ରସ୍ତାବ। ମନ୍ତ୍ରୀଙ୍କ ପାଖକୁ ୨ ଦିନ ପୂର୍ବରୁ କ୍ୟାବିନେଟ ପ୍ରସ୍ତାବର ଫାଇଲ ପଠାଯିବ। ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି ବି ପ୍ରସ୍ତାବ କ୍ୟାବିନେଟକୁ ଆସି ପାରିବ ନାହିଁ। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ସବୁ ବିଭାଗକୁ ଚିଠି ଲେଖିଛନ୍ତି ସଂସଦୀୟ ବ୍ୟାପାର ବିଭାଗ ସଚିବ।
ଚିଠିରେ ଉଲ୍ଲେଖ ରହିଛି, ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି ବି ପ୍ରସ୍ତାବ କ୍ୟାବିନେଟକୁ ଆସି ପାରିବ ନାହିଁ । ବଡ଼କଥା ହେଉଛି ଏଣିକି କ୍ୟାବିନେଟ୍ ବୈଠକରେ ଆଉ ସଚିବ ନୁହନ୍ତି, ପ୍ରସ୍ତାବ ଉପସ୍ଥାପନ କରିବେ ଖୋଦ୍ ମନ୍ତ୍ରୀ । କ୍ୟାବିନେଟ୍ ଏଜେଣ୍ଡାରେ ଥିବା ପ୍ରସ୍ତାବ, ସଂପର୍କିତ ବିଭାଗୀୟ ସଚିବମାନେ କ୍ୟାବିନେଟ ରୁମ୍ରେ ନ ବସି ପାଖ ରୁମରେ ବସିବେ । ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବମାନେ କ୍ୟାବିନେଟ ବୈଠକ ରୁମ୍କୁ ଯାଇପାରିବେ। ପ୍ରସ୍ତାବଗୁଡ଼ିକ ଉପରେ ମୋହର ବାଜିବା ପରେ ତାକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ମନ୍ତ୍ରୀମାନଙ୍କ ଦାୟିତ୍ୱ ବୋଲି କୁହାଯାଇଛି ।
ତେବେ କାହିଁକି ହଠାତ୍ ଏଭଳି କ୍ୟାବିନେଟର ଢାଞ୍ଚାଗତ ପରିବର୍ତ୍ତନ ହେଲା ? ତାକୁ ଲାଗି ରହିଛି ଚର୍ଚ୍ଚା । ପୂର୍ବ ବିଜେଡି ସରକାରରେ ସଚିବଙ୍କୁ ଦିଆଯାଇ ଥିଲା ଅଖଣ୍ଡ କ୍ଷମତା । କ୍ୟାବିନେଟ୍ ବୈଠକ ଏଜେଣ୍ଡା ଏବଂ ପ୍ରସ୍ତାବ ବିଷୟରେ ଜାଣିପାରୁ ନଥିଲେ ମନ୍ତ୍ରୀ । ମନ୍ତ୍ରୀ କହୁଥିଲେ କ୍ୟାବିନେଟରେ ପାରିତ ପ୍ରସ୍ତାବ ବିଷୟରେ ସଚିବଙ୍କୁ ପଚାର । ତେବେ ଢାଞ୍ଚା ପରିବର୍ତ୍ତନ କ୍ୟାବିନେଟ୍ ବ୍ୟବସ୍ଥାର ପୁନଃ ସ୍ଥାପନ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ଏହା ସହ କହିଛନ୍ତି ଆଗରୁ କ୍ୟାବିନେଟରେ ବ୍ୟବସ୍ଥାର ଉଲ୍ଲଂଘନ ହେଉଥିଲା। ପୂର୍ବ ସରକାରରେ ରାଜନୈତିକ ନେତୃତ୍ୱର ଭୂମିକାକୁ ଗୌଣ କରାଯାଇଥିଲା। ଯାହାର ଜବାବ ରଖି ବିଜେଡି କହିଛି ଏହା କେବଳ ସରକାରଙ୍କ ମାର୍କେଟିଂ । ଗତ ୮ ତାରିଖର ଏହି ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ୧୪ରେ ବସିଥିବା କ୍ୟାବିନେଟ୍ ନୂଆ ଢାଞ୍ଚାରେ ହୋଇଛି । ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କ ସହ ଉପସ୍ଥିତ ଥିଲେ କେବଳ ମୁଖ୍ୟ ଶାସନ ସଚିବ ।














