ନୂଆଦିଲ୍ଲୀ: ଦେଶରେ ପୁଣି କଡ଼ ଲେଉଟାଉଛି କି କରୋନାର ନୂଆ ଲହର। ଚୀନ୍, ସିଙ୍ଗାପୁର ପରେ ଭାରତରେ କୋଭିଡର ରି-ଏଣ୍ଟ୍ରି ସାଙ୍ଗକୁ ମୁମ୍ବାଇରେ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ଖବରକୁ ନେଇ ଛନକା। ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ବି ସତର୍କ ଥିବା ବେଳେ କୋ ମର୍ବିଡିଟି ବା ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତି ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ମୁମ୍ବାଇରୁ ଏକା ଦିନେ ଆସିଛି ଦୁଇ ଦୁଇଟି ମୃତ୍ୟୁ ଖବର। ପରେଲରେ ଥିବା ବିଏମ୍ସି ପରିଚାଳିତ କେଇଏମ୍ ହସ୍ପିଟାଲରେ ଗତକାଲି କୋମର୍ବିଡିଟି ମାମଲା ଥିବା ଦୁଇ ରୋଗୀଙ୍କର ମୃତ୍ୟୁ ହୋଇଛି।
ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇ ଜଣଙ୍କ ଭିତରୁ ଜଣେ 59 ବର୍ଷୀୟ ମହିଳା, ଯିଏ କ୍ୟାନସରରେ ପୀଡ଼ିତ ଥିଲେ। ଅନ୍ୟ ଜଣଙ୍କ 14 ବର୍ଷୀୟ ନାବାଳିକା ଯିଏକି କିଡନୀ ଜନିତ ରୋଗରେ ଚିକିତ୍ସିତ ହେଉଥିଲେ। ଟେଷ୍ଟରୁ ଦୁଇ ଜଣଙ୍କ ଠାରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ବି ମୃତ୍ୟୁର କାରଣ କୋଭିଡ୍ ନୁହେଁ ବୋଲି ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି। କେବଳ ସେତିକି ନୁହେଁ ଆଜିକା ଦିନରେ ମୁମ୍ବାଇରେ ସକ୍ରିୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା 53 ଛୁଇଁଥିବା ବେଳେ ସାରା ଦେଶରେ ଆକ୍ଟିଭ୍ କେଶ୍ 257ରେ ପହଞ୍ଚିବା ଚିନ୍ତା ବଢ଼ାଇଛି। ତେବେ ବଡ଼ କଥା ହେଉଛି ଏପର୍ଯ୍ୟନ୍ତ ଓଡ଼ିଶାରେ କୋଭିଡ-19ରୁ ନୂଆ ମାମଲା ସାମ୍ନାକୁ ଆସିନି। ତଥାପି ସ୍ଥିତିକୁ ଦେଖି ରାଜ୍ୟ ସରକାର ସତର୍କ ଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଏବେ ବ୍ୟାପୁଥିବା କୋଭିଡ ଓମିକ୍ରନର ସବ୍ ଭାରିଆଣ୍ଟ। ତେଣୁ ସଂକ୍ରମଣ ସେତେ ଦ୍ରୁତ ଏବଂ ଘାତକ ନଥିଲେ ବି ବହୁବିଧ ରୋଗରେ ଆକ୍ରାନ୍ତ ଲୋକେ ସାବଧାନ ରହିବା ଏବଂ କିଡନୀ ଭଳି ଗୁରୁତର ରୋଗୀ ସଂକ୍ରମଣରୁ ବର୍ତ୍ତିବାକୁ ମାକ୍ସ ପିନ୍ଧିବା ଉଚିତ୍ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।
ଦକ୍ଷିଣ ଏସୀୟ ରାଷ୍ଟ୍ରରେ ଏବେ ବ୍ୟାପିଥିବା କୋଭିଡ୍ ସଂକ୍ରମଣ ପାଇଁ JN.1 ଷ୍ଟ୍ରେନର LF.7 ଓ NB.1.8 ସବ୍ ଭ୍ୟାରିଆଣ୍ଟ ଦାୟୀ। ବିଶେଷଜ୍ଞଙ୍କ ମତରେ ଏହିସବୁ ଭ୍ୟାରିଆଣ୍ଟର ସଂକ୍ରମଣ ହାର ବହୁତ୍ କମ୍। ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରେ ସାମାନ୍ୟ ଥଣ୍ଡା, କାଶ, ଛିଙ୍କ ଭଳି ଲକ୍ଷଣ ଦେଖାଦେଉଛି। ତେଣୁ ଏଥିରେ ବ୍ୟତିବ୍ୟସ୍ତ ନହୋଇ ଆମକୁ କେବଳ ସତର୍କ ରହିବାକୁ ପଡ଼ିବ। ଅପରପକ୍ଷେ, କୋଭିଡର ନୂଆ ସଂକ୍ରମଣ ଉପରେ ସତର୍କ ନଜର ରଖିଛନ୍ତି ଭାରତ ସରକାର। ଗତକାଲି ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ICMRର ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା ପରେ ଦେଶରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେହିପରି ବର୍ତ୍ତମାନର ସଂକ୍ରମଣ ସଂଖ୍ୟା ଅତି ନଗଣ୍ୟ ଥିଲେ ବି ମନ୍ତ୍ରଣାଳୟ ସ୍ଥିତି ଉପରେ ନିରନ୍ତର ନଜର ରଖିଛି ଏବଂ ଆବଶ୍ୟକତାକୁ ଦେଖି ସଂକ୍ରମଣ ରୋକିବା ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କୁହାଯାଇଛି।














