୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବକାଳିନ ସର୍ବାଧିକ ୫,୩୨୫ କୋଟିର ନିଟ୍ ଲାଭ
ଭୁବନେଶ୍ଵର: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ଼(ନାଲକୋ) ଆର୍ଥିକ ବର୍ଷ ୨୦୨୪-୨୫ ରେ ସର୍ବକାଳିନ ସର୍ବାଧିକ ନିଟ୍ ଲାଭ ଅର୍ଜନ କରିବାର ରେକର୍ଡ ହାସଲ କରିଛି । ଆଜିର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ରେକର୍ଡ ହୋଇଥିବା ଆର୍ଥିକ ଫଳାଫଳ ଅନୁଯାୟୀ, ନାଲକୋ ଆର୍ଥିକ ବର୍ଷ ୨୦୨୪-୨୫ ରେ ସର୍ବକାଳୀନ ସର୍ବାଧିକ ୫,୩୨୫ କୋଟି ଟଙ୍କାର ନିଟ୍ ଲାଭ କରି ଏକ ଐତିହାସିକ ଆର୍ଥିକ ମାଇଲଖୁଣ୍ଟ ହାସଲ କରିଛି । ନିଟ ଲାଭ ପୂର୍ବ ଆର୍ଥିକ ବର୍ଷ ତୁଳନାରେ୧୫୮% ବୃଦ୍ଧି ପାଇଛି । ଏଥିସହ, ଆର୍ଥିକ ବର୍ଷ ୨୦୨୪-୨୫ରେ କମ୍ପାନୀ ସର୍ବକାଳିନ ସର୍ବାଧିକ ରେକର୍ଡ ସହ ୧୬,୭୮୮ କୋଟି ଟଙ୍କାର ମୋଟ ବ୍ୟବସାୟ କରିଛି ।
ଏଥିସହ, ୨୦୨୫ ମାର୍ଚ୍ଚରେ ଶେଷ ହୋଇଥିବା ଚତୁର୍ଥ ତ୍ରୈମାସିକରେ କମ୍ପାନୀର ନିଟ୍ ଲାଭରେ ୧୦୫% ଅଭିବୃଦ୍ଧି ଘଟି ସର୍ବକାଳିନ ସର୍ବାଧିକ ୨,୦୭୮ କୋଟି ଟଙ୍କା ହୋଇଥିବାବେଳେ ଆର୍ଥିକ ବର୍ଷ ୨୦୨୩-୨୪ର ଚତୁର୍ଥ ତ୍ରୈମାସରେ ନିଟ୍ ଲାଭ ୧୦୧୬ କୋଟି ଟଙ୍କା ଥିଲା । ସେହିପରି, ଚତୁର୍ଥ ତ୍ରୈମାସିକରେ କମ୍ପାନୀ ୫,୨୬୮ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ବିଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଏହି ପରିମାଣ ୩,୫୭୯ କୋଟି ଟଙ୍କା ଥିଲା ।ଆଲୁମିନା ଓ ଆଲୁମିନିୟମ ଦରରେ ବୃଦ୍ଧି ତଥା କମ୍ପାନୀର ସୁସଂଗଠିତ କାର୍ଯ୍ୟପ୍ରଣାଳୀ, ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ବିଭିନ୍ନ ସଂପ୍ରସାରଣ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଦ୍ଵାରା ନାଲକୋ ଏହାର ସମସ୍ତ ବ୍ୟବସାୟିକ ୟୁନିଟରେ ତଥା ଲାଭ ଅର୍ଜନ କ୍ଷେତ୍ରରେ ଆଶାତୀତ ଅଭିବୃଦ୍ଧି ହାସଲ କରିଛି । ସୂଚନାଯୋଗ୍ୟ ଯେ, ଏଥିସହ ନାଲକୋ ଆର୍ଥିକ ବର୍ଷ ୨୦୨୪-୨୫ ରେ ସର୍ବକାଳୀନ ସର୍ବାଧିକ ୭୬.୪୮ ଲକ୍ଷ ଟନ ବକ୍ସାଇଟ୍ ଉତ୍ତୋଳନ କରିବା ସହ ଘରୋଇ ବଜାରରେ ସର୍ବକାଳୀନ ସର୍ବାଧିକ ୪.୫୫ ଲକ୍ଷ ଟନ ଧାତୁ ବିକ୍ରୟ କରିଛି ।
ଏହି ଅବସରରେ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, “ଆର୍ଥିକ ବର୍ଷ ୨୦୨୪-୨୫ର ତୃତୀୟ ଏବଂ ଚତୁର୍ଥ ତ୍ରୈମାସିକରେ କମ୍ପାନୀର ଊଲ୍ଲେଖନୀୟ ପ୍ରଦର୍ଶନ କର୍ମଚାରୀଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ଅଟେ । ନାଲକୋ ଏହାର ଦୃଢ଼ ଆର୍ଥିକ ପ୍ରଦର୍ଶନ ଏବଂ ବ୍ୟବସାୟିକ ଅଭିବୃଦ୍ଧି ବଳରେ ଆଜିର ପ୍ରଭାବଶୀଳ ବଜାର ପରିବେଶରେ ପ୍ରତିଯୋଗିତାମୂଳକ ମୂଲ୍ୟ ବଜାୟ ରଖିବାରେ ସଫଳ ହୋଇପାରିଛି” । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ସୁଦକ୍ଷ କର୍ମଚାରୀ ତଥା କାର୍ଯ୍ୟନ୍ଵୟନ ଶୈଳୀରେ ଉନ୍ନତି ଫଳରେ କମ୍ପାନୀ ଆଗକୁ ବଢି ପାରିଛି । ଆଲୁମିନିୟମର ମୂଲ୍ୟ ତଥା ନିରନ୍ତର ଚାହିଦା ବୃଦ୍ଧି ସହ ନାଲକୋ ଏହାର ଅଭିବୃଦ୍ଧି ବଜାୟ ରଖିବା ନିମନ୍ତେ ପ୍ରସ୍ତୁତ ରହିଛି”। ଆଲୁମିନା ରିଫାଇନେରୀର ପଞ୍ଚମ ଷ୍ଟ୍ରିମ୍ ସମ୍ପ୍ରସାରଣ, ପୋଟାଙ୍ଗି ବକ୍ସାଇଟ୍ ଖଣି କାର୍ଯ୍ୟକ୍ଷମ, ସ୍ମେଲ୍ଟର ପ୍ଲାଣ୍ଟ ଏବଂ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟର ପ୍ରସ୍ତାବିତ ସମ୍ପ୍ରସାରଣ ମାଧ୍ୟମରେ କମ୍ପାନୀର ଦୀର୍ଘକାଳୀନ ଅଭିବୃଦ୍ଧି ନିମନ୍ତେ ପ୍ରତିବଦ୍ଧତାକୁ ଶ୍ରୀ ସିଂହ ଗୁରୁତ୍ୱାରୋପ କରିଥିଲେ। ଏହି ପଦକ୍ଷେପଗୁଡ଼ିକ ସ୍ଥାୟୀ ଏବଂ ସ୍ଥିର ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରଦାନ କରିବ, ଯାହା ବିଶ୍ୱ ଆଲୁମିନିୟମ ବ୍ୟବସାୟ କ୍ଷେତ୍ରରେ ନାଲକୋର ସ୍ଥିତିକୁ ଆହୁରି ସୁଦୃଢ଼ କରିବବୋଲି ସେ ମତ ପ୍ରକଟ କରିଛନ୍ତି ।














