ଭୁବନେଶ୍ୱର: ତିନି ବର୍ଷର ବ୍ୟବଧାନ ପରେ, ଓଡ଼ିଶାରେ କରୋନା ପୁନର୍ବାର ଦେଖାଦେଇଛି। ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ମାମଲା ଚିହ୍ନଟ ହୋଇଛି। ରିପୋର୍ଟ ଅନୁଯାୟୀ, ସଂକ୍ରମିତ ବ୍ୟକ୍ତି ଜଣକ ସମ୍ପ୍ରତି ଦିଲ୍ଲୀରୁ ଫେରିଥିଲେ। ସେ ବର୍ତ୍ତମାନ ଘରେ କ୍ୱାରାଣ୍ଟାଇନ୍ରେ ଅଛନ୍ତି। କୋରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସମୃକ୍ତ ବ୍ୟକ୍ତି ଟେଷ୍ଟ କରିଥିଲେ। ତା ପରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱରର ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ସେ ଏକାଧିକ ରୋଗରେ ପୀଡିତ ଥିବା ସୂଚନା ମିଳିଛି। ତେବେ ଓଡ଼ିଶାରେ କୋଭିଡ ରୋଗୀ ଚିହ୍ନଟ ନେଇ ଅଫିସିଆଲି କୌଣସି ସୂଚନା ଦିଆଯାଇ ନାହିଁ। ଏହି ନୂତନ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
ଉଲ୍ଲେଖଯୋଗ୍ୟ, ଚୀନ୍ ଏବଂ ସିଙ୍ଗାପୁର ଭଳି ଦକ୍ଷିଣ ଏସୀୟ ଦେଶଗୁଡ଼ିକରେ କୋଭିଡ୍-୧୯ ବ୍ୟାପିଥିବା ବେଳେ, ଏହି ସଂକ୍ରମଣ ଏବେ ଭାରତରେ ପହଞ୍ଚିଛି। ମୁମ୍ବାଇରେ କୋଭିଡ୍-୧୯ ଯୋଗୁ ଦୁଇଜଣଙ୍କ ମୃତ୍ୟୁ ରିପୋର୍ଟ ହୋଇଛି। ସାରା ଭାରତରେ ୨୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରର ମାମଲା କରୋନା ସଂକ୍ରମଣକୁ ନେଇ ସରକାରଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି।
ଭୟଭୀତ ନ ହେବା ପାଇଁ ପରାମର୍ଶ
ଭୁବନେଶ୍ୱର : ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ୍ ଜନସାଧାରଣଙ୍କୁ କୋଭିଡକୁ ନେଇ ଭୟଭୀତ ନ ହେବା ପାଇଁ ଉପଦେଶ ଦେଇଛନ୍ତି । ରାଜ୍ୟ ସରକାର କୋଭିଡ୍ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ଏବଂ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ୨୦୨୦-୨୧ ମସିହାରେ କୋଭିଡ୍ ନିୟନ୍ତ୍ରଣ ପରଠାରୁ ଦେଶର ବିଭିନ୍ନ ରାଜ୍ୟରେ କାଁଭାଁ କୋଭିଡ୍ ଲକ୍ଷଣ ଥିବା ରୋଗ ଦେଖାଯାଉଛି । ଏହି ରୋଗର ଭୟଭୟତାକୁ ପୂର୍ଣ୍ଣ ନିୟନ୍ତ୍ରଣରେ ରଖାଯାଇଛି । ଜନସାଧାରଣଙ୍କର ଟୀକାକରଣ ଏବଂ ନିରନ୍ତର ସରକାରୀ ପ୍ରଚେଷ୍ଠା ଯୋଗୁ ଓଡିଶାରେ କୋଭିଡ୍ ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ କାଁଭାଁ କୋଭିଡ୍ ଲକ୍ଷଣ ଥିବା ରୋଗ ସାମ୍ନାକୁ ଆସୁଛି; ଏବଂ ସେ ସବୁ କେସକୁ ନିର୍ଦ୍ଧାରିତ ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା କରାଯାଉଛି । ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏବଂ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମାନକ ଅନୁସାରେ ଏହି କେସ ଗୁଡ଼ିକ ପୂର୍ବରୁ ଜଣାଥିବା ଅପେକ୍ଷାକୃତ ଧୀର ପ୍ରଜାତିର ଭୂତାଣୁ । ଏଗୁଡିକ ଅତି ଗୁରୁତର ରୋଗ ସୃଷ୍ଟି କରନ୍ତି ନାହିଁ । ଏହି ସବୁ କେସର ନିରୂପଣ ଏବଂ ଚିକିତ୍ସା ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।