ପାରାଦୀପ: ବିଶ୍ୱ ରକ୍ତଦାନ ଦିବସର ଅବସରରେ, ଭାରତୀୟ ତଟରକ୍ଷକ ବାହିନୀ, ଜିଲ୍ଲା ମୁଖ୍ୟାଳୟ (ଓଡ଼ିଶା) ଦ୍ୱାରା ୧୧ ଜୁନ୍ ୨୫ ତାରିଖରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ବିଶ୍ୱ ରକ୍ତଦାନ ଦିବସ-୨୦୨୫ ଅବସରରେ ଦେଶ ବ୍ୟାପି ଅଭିଯାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ପବିତ୍ର କାର୍ଯ୍ୟକ୍ରମରେ ମୋଟ ୯୦ ଜଣ ତଟରକ୍ଷକ ବାହିନୀର ସଦସ୍ୟ ଓ ତାଙ୍କର ପରିବାର ସଦସ୍ୟମାନେ ଅଂଶଗ୍ରହଣ କରି ୯୦ ୟୁନିଟ ରକ୍ତ ଦାନ କରିଥିଲେ।
ତଟରକ୍ଷକ ଜିଲ୍ଲା ମୁଖ୍ୟାଳୟ (ଓଡ଼ିଶା) କମାଣ୍ଡର ମହୋଦୟ ସ୍ୱୟଂ ପ୍ରଥମ ରକ୍ତଦାନକାରୀ ଭାବରେ ଅଂଶ ଗ୍ରହଣ କରି, ଏହି ମହତ୍ କାର୍ଯ୍ୟରେ ସମ୍ମିଳିତ ସମସ୍ତ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଏହାକୁ ଆମ ଦେଶର ସଂସ୍କୃତି ଓ ପାରମ୍ପରିକ ମୂଲ୍ୟବୋଧ ସହ ସମ୍ମତ ଏକ ଉଦ୍ୟମ ବୋଲି ଉଲ୍ଲେଖ କରିଥିଲେ। ଶିବିର ବ୍ୟବସ୍ଥାପନାରେ ସାହାଯ୍ୟ କରିଥିବା ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟର ଚିକିତ୍ସକ ଓ କର୍ମଚାରୀଙ୍କ ପ୍ରତି ମଧ୍ୟ ସେ କୃତଜ୍ଞତା ପ୍ରକାଶ କରିଥିଲେ।
ଚିକିତ୍ସା ଦଳ ଉପସ୍ଥିତମାନଙ୍କୁ ରକ୍ତଦାନର ଗୁରୁତ୍ୱ ବିଷୟରେ ଜଣାଇ ରକ୍ତ ଓ ରକ୍ତ ଉତ୍ପାଦନ ସାମଗ୍ରୀର ଜାଗତିକ ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ଶିବିର ସମୟରେ ସମସ୍ତ ସ୍ୱେଚ୍ଛାସେବକଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହିତ ସାଧାରଣ ଚିକିତ୍ସା ଯାଞ୍ଚ, ଯେପରିକି ରକ୍ତଚାପ ଓ ହିମୋଗ୍ଲୋବିନ୍ ସ୍ତର ଯାଞ୍ଚ ଦ୍ୱାରା ତାଙ୍କ ରକ୍ତଦାନ ଯୋଗ୍ୟତା ନିଶ୍ଚିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତଟରକ୍ଷକ ବାହିନୀ ର କର୍ମଚାରୀ ଓ ପରିବାର ସଦସ୍ୟମାନେ ଉତ୍ସାହ ଓ ଦୃଢ଼ ସମର୍ପଣର ସହିତ ଅଂଶଗ୍ରହଣ କରି ଜୀବନ ରକ୍ଷା ପ୍ରତି ସାମୂହିକ ଅଙ୍ଗୀକାରକୁ ପ୍ରମାଣିତ କରିଛନ୍ତି।














