କାଳିଆର ନବଯୌବନ ବେଶ ଦେଖି କୃତାର୍ଥ ଭକ୍ତ
ପୁରୀ: ଅଣସର ପରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ କରି କୃତ୍ୟ କୃତ୍ୟ ଭକ୍ତ । ଆଜି ସକାଳୁ ସକାଳୁ ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି । ଅନବସର ତାଟି ଫିଟିବା ପରେ ଆରମ୍ଭ ହୋଇଥିଲା ପରମାଣିକ ଦର୍ଶନ । ତେବେ ଘୋଷଯାତ୍ରାର ଦିନକ ପୂର୍ବରୁ ଆଜି ଥିଲା ଭାବମୟ ପରିବେଶ । ୧୪ ଦିନର ଅଣସର ପରେ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ଭାବ ବିନୋଦିଆ । ଚକା ଆଖିରେ ଆଖି ମିଶାଇ ଲୁହ ଢାଳିଛନ୍ତି ଶ୍ରଦ୍ଧାଳୁ । ଅଶ୍ରୁ ଅଞ୍ଜଳିରେ ଧୋଇ ଦେଇଛନ୍ତି ମହାପ୍ରଭୁଙ୍କ ଶ୍ରୀ ପୟର । ଆଜି ଗୋଟିଏ ଦିନରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନର ବିରଳ ସଂଯୋଗ । ସୁସ୍ଥ ହୋଇ ଅଣସର ଘରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂରତି । ଏଭଳି ଅପୂର୍ବ ସୁଯୋଗକୁ ହାତଛଡ଼ା ନକରି, ସକାଳୁ ସକାଳୁ ବଡ଼ଦାଣ୍ଡରେ ଭିଡ଼ ଜମାଇଥିଲେ ଅଗଣିତ ଭକ୍ତଜନ । ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି । ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲେ ବି, ମହାପ୍ରଭୁଙ୍କୁ ଅତି ପାଖରୁ ଦେଖି ଭାବବିହ୍ବଳ ହୋଇଥିଲେ ସମସ୍ତେ ।
ଭକ୍ତଙ୍କ ପ୍ରବଳ ଉତ୍ସାହକୁ ଚଳଚଞ୍ଚଳ ଶ୍ରୀମନ୍ଦିର । ଆଜି ସକାଳୁ ଚକା ଅପସର, ମଙ୍ଗଳ ଆରତି, ମଇଲମ, ଅବକାଶ ,ଦଶାବତାର ଠାକୁର ବାହୁଡ଼ା ବିଜେ ପରେ ଫିଟିଥିଲା ଅନବସର ତାଟି। ତା ପରେ ସମୟ ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ପରମାଣିକ ଦର୍ଶନ ଓ ପରେ ଭିତର କାଠ ନିକଟରେ ଦର୍ଶନ ଦେଇଥିଲେ ଭାବଗ୍ରାହୀ । ଏହାପରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ଏପଟେ ଘୋଷଯାତ୍ରା ପାଇଁ ଆଜିଠୁ ଭାବଭକ୍ତିରେ ଉଛୁଳିଲାଣି ବଡ଼ଦାଣ୍ଡ । ଶୁଭିଲାଣି ଘଣ୍ଟଘଣ୍ଟା, ମୃଦଙ୍ଗର ଧ୍ବନି । ଜୟଧ୍ବନିରେ ଗୁଞ୍ଜରିତ ହେଲାଣି ଗଗନପବନ। ସଜେଇ ହେଲାଣି ବଡ଼ଦାଣ୍ଡ… ମନ ମୋହିଲାଣି ସୁସଜ୍ଜିତ ତିନି ରଥ । କାଲି ଭୀଷଣ ଗହଳିରେ କାଳେ ରଥକୁ ଆଖି ପୂରେଇ ଦେଖିହେବନି, ସେଥିପାଇଁ ଆଜି ଖୁବ୍ ନିକଟରୁ ରଥର ସୌନ୍ଦର୍ଯ୍ୟକୁ ନିରେଖି ଦେଖୁଛନ୍ତି ଶ୍ରଦ୍ଧାଳୁ ।
ରଥ ପ୍ରସ୍ତୁତ…ପଥ ପ୍ରସ୍ତୁତ…ସିଂହଦ୍ବାର ଆଗରେ ତିନି ରଥଙ୍କ ଅପେକ୍ଷା…କେତେବେଳେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବିରାଜିବେ କାଳିଆ ସାଆଁନ୍ତ । ସକାଳୁ ମହାପ୍ରଭୁଙ୍କ ନିୟମିତ ନୀତିକାନ୍ତି ପରେ ତିନି ବାଡ଼ରୁ ତିନିଟି ଆଜ୍ଞାମାଳ ଆଣି ପୂଜାପଣ୍ଡାମାନେ ଶୋଭାଯାତ୍ରାରେ ଆସିଥିଲେ ବଡ଼ଦାଣ୍ଡକୁ । ବିଜେ କାହାଳୀ ଓ ତେଲିଙ୍ଗି ବାଜାର ନାଦରେ କମ୍ପି ଉଠିଥିଲା ପରିବେଶ । ଆଜ୍ଞାମାଳ ଅର୍ପଣ ପରେ ଉତ୍ସାହର ସହ ସିଂହଦ୍ବାର ସାମ୍ନାକୁ ତିନି ରଥକୁ ଟାଣି ଆଣିଥିଲେ ଭକ୍ତ । ପ୍ରଥମେ ନନ୍ଦିଘୋଷ, ତା ପରେ ଦେବଦଳନ ଏବଂ ଶେଷରେ ତାଳଧ୍ବଜ । ରଥ ସିଂହଦ୍ବାର ସମ୍ମୁଖକୁ ଟଣା ଚାଲିଥିଲା ତ, ଭାବଭକ୍ତିରେ ଉଚ୍ଛୁଳି ପଡ଼ୁଥିଲା ବଡ଼ଦାଣ୍ଡ । ଆଜି ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇସାରିଛି। ରାତି ପାହିଲା ବେଳକୁ ଶ୍ରୀକ୍ଷେତ୍ରକୁ ବାହାରୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ପହଞ୍ଚି ସାରିଥିବେ ବୋଲି ଆଶା କରାଯାଉଛି। ରାଜ୍ୟର ଚାରିଆଡୁ ଶ୍ରଦ୍ଧାଳୁ ପୁରୀ ମୁହାଁ ହୋଇଛନ୍ତି। ରଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ-ବିଦେଶରୁ ଭକ୍ତ ଆସି ପୁରୀ ପହଞ୍ଚୁଛନ୍ତି। ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ସବୁଠାରୁ ବଡ଼ କଥା ହେଲା ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ପରିଚାଳନା।
ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଚଳିତବର୍ଷ ପୁଲିସ ବ୍ୟବସ୍ଥାକୁ ୮ଟି ଭାଗରେ ବିଭକ୍ତ କରାଯାଇଛି। ଟ୍ରାଫିକ୍ ବ୍ୟବସ୍ଥା, ଶ୍ରୀମନ୍ଦିର ଭିତର ସୁରକ୍ଷା, କର୍ଡନ ଭିତର ସୁରକ୍ଷା, କର୍ଡନ ବାହାର ସୁରକ୍ଷା, ଗହଳି ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, କୋଷ୍ଟାଲ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍ କରାଯାଇଛି। ଏହି ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ରେ ରହି ୨୭୫ଟି ଏଆଇ କ୍ୟାମେରା ମାଧ୍ୟମରେ ଉତ୍ତରା ଛକରୁ ପୁରୀ ସହର, ପୁରୀରୁ କୋଣାର୍କ ଓ ପୁରୀ ସହରାଞ୍ଚଳର କୌଣସିଠାରେ ଟ୍ରାଫିକ୍ ଜାମ୍ ସମସ୍ୟାର ମୁକାବିଲା ପାଇଁ ନିଷ୍ପତ୍ତି ନେଇହେବ। ସେହିପରି ଆଣ୍ଟି ଡ୍ରୋନ୍ ସିଷ୍ଟମ୍, ବହୁ ସଂଖ୍ୟାରେ ଆଣ୍ଟି ସାବୋଟାଜ୍ ଟିମ୍, ଡଗ୍ ସ୍କ୍ବାଡ୍ ମୁତୟନ ରହିଛି।
ସେହିପରି ଚଳିତବର୍ଷ ୨୧ ଆଇପିଏସ୍, ୧୨ଶହ ଅଫିସରଙ୍କ ସହିତ ୨୦୫ ପ୍ଲାଟୁନ୍ ପୁଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି। ଜଳପଥ ତଟ ସୁରକ୍ଷା ପାଇଁ ମେରାଇନ୍ ପୁଲିସ ଟିମ୍, କୋଷ୍ଟଗାର୍ଡ, ନୌବାହିନୀ (ନାଭାଲ୍)ର ପାଟ୍ରୋଲିଂ ରହିବ। କୋଷ୍ଟଗାର୍ଡର ଆଉ ଏକ ଟିମ୍ ଆକାଶମାର୍ଗରୁ ସମୁଦ୍ରକୂଳକୁ ତୀକ୍ଷ୍ଣ ନଜର ରଖିବେ। ଟ୍ରାଫିକ୍ ବ୍ୟବସ୍ଥାର ସୁବନ୍ଦୋବସ୍ତ କରିବା ପାଇଁ ଏକ ନୂଆ ଆପ୍ ଖୋଲାଯିବ। ଏହି ଆପ୍ ମାଧ୍ୟମରେ ଲୋକମାନେ ଯା’ଆସ କରିବାକୁ ଅନୁରୋଧ କରାଯାଇଛି।














