ଭଦ୍ରକ: ଜିଲ୍ଲାରେ ସାଳନ୍ଦୀ ନଦୀର ଜଳସ୍ତର ଫୁଲି ଉଠିଥିବାବେଳେ ବନ୍ୟାଜଳ ଅନେକ ତଳିଆ ବସ୍ତି ଓ ଗାଁରେ ପ୍ରବେଶ କରି ଲୋକଙ୍କୁ ଜଳବନ୍ଦୀ ଭିତରେ ରଖିଛି। ଲୋକେ ଏହି କାରଣରୁ ଭୟଭୀତ ଅବସ୍ଥାରେ ଅଛନ୍ତି। ଦୁଇ ଦିୁନର ଲଘୁଚାପଜନିତ ବର୍ଷାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବୈତରଣୀରେ ବନ୍ୟାଜଳ ପ୍ରବାହିତ ହେବା ପରେ ଭଦ୍ରକ ଜିଲ୍ଲାର ୪ଟି ପଞ୍ଚାୟତର ଲୋକେ ଆତଙ୍କିତ ହୋଇପଡିଛନ୍ତି। ବୈତରଣୀର ଆଖୁଆପଦା ଆନିକଟ ନିକଟରେ ବନ୍ୟାଜଳ ସତର୍କ ସଙ୍କେତର ଜଳସ୍ତର ୧୭.୮୩ ମିଟର ରହିଥିବା ବେଳେ ବିପଦ ସଂକେତ ୧୮.୩୩ ମିଟର ରହିଛି।
ଆଜି ସଂଧ୍ୟା ୬ଟା ସୁଦ୍ଧା ଏଠାରେ ନଦୀର ଜଳସ୍ତର ବିପଦ ସଂକେତର ୧୮.୭୫ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଆଜି ରାତି ଓ ଆସନ୍ତାକାଲି ସକାଳ ସୁଦ୍ଧା ବୈତରଣୀ ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇ ୧୯.୦୦ ମିଟର ଆଡକୁ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।
ବୈତରଣୀର ବନ୍ୟାଜଳ ଏବେ କୂଳ ଲଂଘି ଥିବା ବେଳେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର ୮ ପଞ୍ଚାୟତ, ତିହିଡ଼ି ବ୍ଲକର ୭ ପଞ୍ଚାୟତ, ଧାମନଗର ବ୍ଲକ ୨୦ ପଞ୍ଚାୟତ ଓ ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ନଦୀ କୂଳିଆ ଲୋକ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସାମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର, ଚାନ୍ଦବାଲିର ବିଡିଓ ଓ ତହସିଲଦାରଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ନଦୀକୂଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଇ ସ୍କୁଲ ଘର ଓ ଉଚ୍ଚ ସ୍ଥାନକୁ ଅଣାଯିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସଂଧ୍ୟାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଜିଲ୍ଲାପାଳ ଦିଲୀପ ରାଉତରାୟ ଧାମନଗରର ବନ୍ୟା ଅଞ୍ଚଳ ବୁଲିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି।
ଆଖୁଆପଦା ଠାରେ ବୈତରଣୀନଦୀର ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ତଳମୁଣ୍ଡରେ ଅର୍ଥାତ୍ ଚାନ୍ଦବାଲି ବ୍ଲକର ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଆଦି ନଦୀକୂଳିଆ ଲୋକ ଆତଙ୍କିତ ହୋଇ ପଡିଛନ୍ତି । ବିଶେଷକରି କୁଆଖିଆ-ଆଖଣ୍ଡଳମଣି ଜାତୀୟ ରାଜପଥ ବୋଡକ ନିକଟରେ ବୈତରଣୀ ନଦୀକୂଳ ଦେଇ ଯାଇଥିବାରୁ ଗତ ୨ବର୍ଷ ହେବ ୨ଶହ ଫୁଟର ରାସ୍ତା ନଦୀ ଆଡକୁ ଢଳି ରହିବା ସହ କିଛି ଅଂଶ ଦବି ଯାଇଛି । ବୈତରଣୀ ନଦୀରେ ଆସୁଥିବା ବନ୍ୟାପାଣି ରାସ୍ତାକୁ ବାଡାଇବାର ଆଶଙ୍କା ଦେଖାଦେଇଥିବାରୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ରାସ୍ତା କଡ଼ରେ ବାଉଁଶ ବାଡା ସହ କିଛି ବାଲିବସ୍ତା ପକାଯାଇଛି । ଏପଟେ ଧାମରା ଠାରେ ସମୁଦ୍ର ଅଶାନ୍ତ ହୋଇ ପଡ଼ିଥିବାରୁ ଉଚ୍ଚ ଜୁଆର ଢେଉ ବଢ଼ିବାରେ ଲାଗିଛି । ଯାହାକି ବୈତରଣୀ ନଦୀର ଉପରମୁଣ୍ଡରୁ ଆସୁଥିବା ବନ୍ୟାପାଣି ନିସ୍କାସନରେ ବାଧକ ସାଜି ପାରେ । ବୈତରଣୀ ନଦୀରେ ଏବେ ବନ୍ୟାପାଣି ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଆରଡି ନିକଟ ମୁଆ କଜଳା ମାହାରା ନିକଟରେ ନଦୀବନ୍ଧ ଅତ୍ୟନ୍ତ ଦୁର୍ବଳ ଥିବା ବେଳେ, ସାଠିବାଙ୍କୁଡା ଓ ସୁନ୍ଦରପୁର ଗାଁ ନିକଟରେ ନଦୀବନ୍ଧ ଦୁର୍ବଳ ରହିଛି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ନଦୀକୂଳିଆ ।














