ଭୁବନେଶ୍ୱର : ରାଜ୍ୟକୁ ପୁଣି ଫେରିବ ବର୍ଷା। ପ୍ରାୟ ଦୁଇ ସପ୍ତାହର ବିରତି ପରେ ସକ୍ରିୟ ହେବ ମୌସୁମୀ। ବଙ୍ଗୋପସାଗରରେ ପଛକୁ ପଛ ଦୁଇଟି ଲଘୁଚାପ ଆସୁଥିବା ବେଳେ ଏହା ପୁଣି ଥରେ ମୌସୁମୀକୁ ସକ୍ରିୟ କରାଇବା ସହ ରାଜ୍ୟରେ ବର୍ଷା ପାଇଁ ପାଗ ଅନୁକୂଳ ହେବ। ପ୍ରଥମ ଲଘୁଚାପଟି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା କରାଇବା ସହ ଦ୍ୱିତୀୟ ଲଘୁଚାପ ଉତ୍ତର ଓଡ଼ିଶାରେ ଭଲ ବର୍ଷା କରାଇବ। ତେଣୁ ମୋଟାମୋଟି ଭାବେ ଆଗକୁ ସାରା ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୧୩ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ଉତ୍ତର ପଶ୍ଚିମ ଓ ତା’ର ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିବ। ଏହାର ପ୍ରଭାବରେ ୧୨ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିବା ସହ ବର୍ଷା ପାଇଁ ସ୍ଥିତି ଅନୁକୂଳ ହେବ। ୧୨ରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ମଧ୍ୟ ଆକଳନ କରାଯାଇଛି। ତେବେ କନ୍ଧମାଳ, ରାୟଗଡ଼ା, ଗଜପତି, ଗଜପତି, କୋରାପୁଟ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ। ୧୩ ଓ ୧୪ ତାରିଖରେ ବର୍ଷାର ପ୍ରଭାବ ସବୁଠୁ ଅଧିକ ରହିବ। ତେବେ ସ୍ୱାଧୀନତା ଦିବସରେ ପାଗ ଅନୁକୂଳ ରହିବାର ସମ୍ଭାବନା ରହିଛି।
ସମ୍ଭାବ୍ୟ ଲଘୁଚାପ ଯୋଗୁଁ ସମୁଦ୍ର ମଧ୍ୟରେ ପବନର ବେଗ ଅଧିକ ରହିବା ସହ ସମୁଦ୍ର ଅଶାନ୍ତ ରହିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୨ ଓ ୧୩ ତାରିଖ ଦୁଇ ଦିନ ଯାଏ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ଏହା ପରେ ୨୦ କିମ୍ବା ୨୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରର ପଶ୍ଚିମବଙ୍ଗ-ଓଡିଶା ଉପକୂଳ ନିକଟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ପରବର୍ତ୍ତୀ ସମୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ଅନ୍ୟପଟେ ଜୁନ ୧ରୁ ଆଜି ଯାଏଁ ରାଜ୍ୟରେ ୬୪୭.୨ ମିମି ବର୍ଷା ରେକର୍ଡ ହୋଇଛି। ଏହି ସମୟ ମଧ୍ୟରେ ସ୍ୱାଭାବିକ ୬୭୭.୦ ମିଲିମିଟର ବର୍ଷା ତୁଳନାରେ ୪ ପ୍ରତିଶତ କମ୍ ବର୍ଷା ହୋଇଛି। ଏହି ସମୟରେ ରାଜ୍ୟର ୯ଟି ଜିଲ୍ଲାରେ ବର୍ଷା ସ୍ଥିତି ନିଅଣ୍ଟିଆ ରହିଛି।














