• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ: ୨୦୩୬ ପାଇଁ ପ୍ରସ୍ତୁତ ହୋଇଛି ୩୬ ସ୍ୱତନ୍ତ୍ର ଯୋଜନା: ମୁଖ୍ୟମନ୍ତ୍ରୀ

FNN WEB by FNN WEB
August 16, 2025
in ଓଡ଼ିଶା, ମୁଖ୍ୟ ଖବର
0
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ: ୨୦୩୬ ପାଇଁ ପ୍ରସ୍ତୁତ ହୋଇଛି ୩୬ ସ୍ୱତନ୍ତ୍ର ଯୋଜନା: ମୁଖ୍ୟମନ୍ତ୍ରୀ
0
SHARES
2
VIEWS

ଜଗନ୍ନାଥ ଧାମକୁ ଐତିହାସିକ ଧର୍ମୀୟ-ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ସରକାର ପ୍ରତିବଦ୍ଧ
ଓଡ଼ିଶାର ଭିତ୍ତିଭୂମି ବିକାଶରେ ଡବଲ ଇଞ୍ଜିନ ସରକାର ଦୁଇଗୁଣା ଗତିରେ କାମ କରୁଛି
ଓଡ଼ିଆ ଅସ୍ମିତାକୁ ଆମ ସରକାର ଗୁରୁତ୍ବ ଦେଉଛନ୍ତି
ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗତ ୧୧ ବର୍ଷରେ ଭାରତର ଅସାଧାରଣ ପ୍ରଗତି ହୋଇଛି

ଭୁବନେଶ୍ୱର : ଆଗାମୀ ଦଶ ବର୍ଷ “ଓଡିଶାର ଦଶକ” ହେବାକୁ ଯାଉଛି। ୨୦୩୬ ରେ ଯେତେବେଳେ ଆମେ ସ୍ବତନ୍ତ୍ର ରାଜ୍ୟ ପ୍ରତିଷ୍ଠାର ଶତ ବାର୍ଷିକୀ ପାଳନ କରିବୁ, ସେତେବେଳେ ଆମ ରାଜ୍ୟ ହୋଇଥିବ ସମୃଦ୍ଧ ଓଡିଶା, ଏବଂ ଦେଶର ପାଞ୍ଚଗୋଟି ସର୍ବଶ୍ରେଷ୍ଠ ରାଜ୍ୟ ଭିତରେ ସାମିଲ ହୋଇଥିବ। ୨୦୩୬ ସୁଦ୍ଧା, ରାଜ୍ୟର ଅର୍ଥନୀତି ୫୦ ହଜାର କୋଟି ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହେବ। ଏହା ନିଶ୍ଚିତ ଭାବେ ସମ୍ଭବ। କାରଣ, ସରକାରଙ୍କ ଇଚ୍ଛାଶକ୍ତି ଅଛି, ଦୂରଦୃଷ୍ଟି ଅଛି, ସମ୍ବଳ ଅଛି ଏବଂ ରାଜ୍ୟବାସୀଙ୍କ ସହଯୋଗ ଅଛି। ସମୃଦ୍ଧ ଓଡିଶା ଗଠନ ଓଡିଶାବାସୀଙ୍କ ଏକ ସାମୁହିକ ଓ ସମାବେଶୀ ଯାତ୍ରା। ୨୦୩୬କୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ଆମେ ୩୬ଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସ୍ବାଧୀନତା ସଂଗ୍ରାମ ବିଶ୍ବର ଏକମାତ୍ର ସ୍ବାଧୀନତା ଆନ୍ଦୋଳନ ଯାହା ମୁଖ୍ୟତଃ ଶାନ୍ତି ଓ ଅହିଂସା ମାଧ୍ୟମରେ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ, ବିଭିନ୍ନ ବିଚାରଧାରାର ବ୍ୟକ୍ତିତ୍ଵ ସମସ୍ତେ ଗୋଟିଏ ମଞ୍ଚରେ ଆସିଥିଲେ, ଏବଂ ସମସ୍ତଙ୍କର ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥିଲା, ଦେଶକୁ ବ୍ରିଟିଶ ଶାସନ କବଳରୁ ମୁକ୍ତ କରିବା ।

ଏ ଦେଶ, ମହାନ ସ୍ବତନ୍ତ୍ରତା ସଂଗ୍ରାମୀ ପଣ୍ଡିତ ଜବାହାରଲାଲ୍ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବାଲ ଗଙ୍ଗାଧର ତିଲକ, ବୀର୍ ସାବରକର୍, ସହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଡଃ ବାବା ସାହେବ ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଲାଲ ବାହାଦୁର ଶାସ୍ତ୍ରୀ, ମୌଲାନା ଆଜାଦଙ୍କ ତ୍ୟାଗ ଓ ବଳିଦାନ ଆଗରେ ନତ ମସ୍ତକ। ମୁଁ ଏହି ମହାନ ବ୍ୟକ୍ତିତ୍ଵ ତଥା ଲକ୍ଷ ଲକ୍ଷ ନାମହୀନ, ପରିଚୟହୀନ ସଂଗ୍ରାମୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସ୍ୱାଧୀନତା ଆନ୍ଦୋଳନରେ ଓଡିଶାର ନେତୃବୃନ୍ଦଙ୍କ ଅକଳ୍ପନୀୟ ତ୍ୟାଗ, ସଂଘର୍ଷ ଓ ସଂଗ୍ରାମର ପରାକାଷ୍ଠା, ଓଡିଶାକୁ ଜାତୀୟ ଆନ୍ଦୋଳନର ମୁଖ୍ୟ ସ୍ରୋତରେ ସାମିଲ କରିଥିଲା।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ସହିଦ୍ ମାଧୋ ସିଂହ, ଚକରା ବିଶୋଇ, ରେଣ୍ଡୋ ମାଝୀ, ମା’ ରମାଦେବୀ, ମା’ ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ମା’ ପାର୍ବତୀ ଗିରିଙ୍କ ପରି ମହାନୁଭବଙ୍କ ଅସୀମ ବଳିଦାନକୁ ମନେ ପକାଇ ସେମାନଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

୧୮୫୭ ମସିହାର ସିପାହୀ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଅଭିହିତ କରାଯାଏ। କିନ୍ତୁ, ଏହି ବିଦ୍ରୋହର ପ୍ରାୟ ୪୦ ବର୍ଷ ପୂର୍ବେ ୧୮୧୭ ମସିହାରେ ଓଡିଶାରେ ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ, ଯାହା ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଥିଲା ଏକ ମାଇଲଖୁଣ୍ଟ। ଏହି ଅବସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁଙ୍କ ପରି ମହାନ ଦେଶପ୍ରେମୀ ଓ ବୀର ଯୋଦ୍ଧାଙ୍କ ପ୍ରତି ମୋର ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ପ୍ରତିରକ୍ଷା ବାହିନୀର ବୀର ସୈନିକ ଓ ସୁରକ୍ଷା ବାହିନୀର ଅମର ଯବାନ ମାନଙ୍କ ପ୍ରତି ମଧ୍ୟ, ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଆଜିର ଦିନ ସ୍ବାଧୀନତା ସଂଗ୍ରାମ ପାଳନ କରିବା ପାଇଁ କେବଳ ଏକ ପ୍ରତୀକାତ୍ମକ ଉତ୍ସବ ନୁହେଁ। ଆଜିର ଦିନ ଆମକୁ କଷ୍ଟଲବ୍ଧ ସ୍ବାଧୀନତା ବିଷୟରେ ସଚେତନ କରିବା ସହିତ, ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ପ୍ରତି ମୂହୁର୍ତ୍ତରେ ଚେତାଇ ଦେଇଥାଏ।

ଆତଙ୍କବାଦ ବିରୁଦ୍ଧରେ ଦେଶର ନୀତି ଆହୁରି ଦୃଢ ଓ କଠୋର ହୋଇଛି । ଦେଶରେ, ବିଶେଷକରି ଜାମ୍ମୁ ଓ କାଶ୍ମୀରରେ ଶାନ୍ତି ଫେରି ଆସୁଥିବା ବେଳେ, ପଡୋଶୀ ଦେଶ ଆତଙ୍କବାଦକୁ ଅସ୍ତ୍ର ଭାବେ ବ୍ୟବହାର କରି, ଭାରତରେ ଅଶାନ୍ତି ଏବଂ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ପ୍ରୟାସ କରିଆସୁଛି। ଏହାର ସବୁଠାରୁ ବଡ ପ୍ରମାଣ ହେଲା, ଗତ ଏପ୍ରିଲ ୨୨ ତାରିଖର ପହଲଗାମ ହତ୍ୟାକାଣ୍ଡ। ଯେପରି ଭାବେ ନିରୀହ ଲୋକଙ୍କୁ ଧର୍ମ ପଚାରି ବର୍ବୋରୋଚିତ ଭାବେ ହତ୍ୟା କରାଗଲା, ତାହା କେବଳ ଏକ ସାଧାରଣ ଆତଙ୍କୀ ଆକ୍ରମଣ ନ ଥିଲା, ଏହା ଭାରତର ଜାତୀୟତା, ସାର୍ବଭୌମ୍ୟତା ଏବଂ ଅଖଣ୍ଡତା ଉପରେ ଥିଲା ଆକ୍ରମଣ।

ବୋଧହୁଏ ପଡୋଶୀ ଦେଶ, ଉରି ସର୍ଜିକାଲ ଷ୍ଟ୍ରାଇକ ଓ ବାଲାକୋଟ ବାୟୁ ସେନାର ଆକ୍ରମଣରୁ କିଛି ଶିକ୍ଷାଲାଭ କରି ନ ଥିଲା। ତେଣୁ, ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ଵରେ ଭାରତୀୟ ସେନା ‘ଅପରେସନ ସିନ୍ଦୁର’ କରିଥିଲା। ଭାରତର ସେନା ବାହିନୀ ଶତ୍ରୁ ଦେଶର ୯ଟି ଆତଙ୍କବାଦୀଙ୍କ ଆଡ୍ଡା, ତଥା ୧୧ଟି ପାକିସ୍ତାନୀ ସାମରିକ ଘାଟିକୁ ନଷ୍ଟଭ୍ରଷ୍ଟ କରିଦେଇଥିଲେ। ମୁଁ ଅତ୍ୟନ୍ତ ଗର୍ବିତ ଯେ, ଦେଶର ସୁରକ୍ଷାର ଡୋର ଏପରି ଜଣେ ଜନନାୟକଙ୍କ ହାତରେ ଅଛି, ଯାହାଙ୍କ ପାଇଁ, ମା’ ଭାରତୀର ସୁରକ୍ଷା ହେଉଛି ସର୍ବୋପରି। ଦେଶର ମା’ ଏବଂ ଭଉଣୀଙ୍କ ଅସ୍ମିତାକୁ ଯିଏ ଆଖି ଦେଖାଇବ, ତାହାର କେବଳ ଗୋଟିଏ ମାତ୍ର ପରିଣତି, ଯାହା ୯ଟି ଆଡ୍ଡାରେ ଲୁଚିଥିବା ଆତଙ୍କବାଦୀଙ୍କର ହୋଇଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱକୁ ମୁଁ ସମ୍ମାନ ଜଣାଇବା ସହିତ, ଭାରତୀୟ ସେନା ବାହିନୀର ବୀରତ୍ୱକୁ ପ୍ରଶଂସା କରୁଛି, ସହୃଦୟ ସଲାମ କରୁଛି।

ଅପରେସନ ସିନ୍ଦୁର, ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପାଇଁ, ଏକ ନୂଆ ପରିଚୟ ସୃଷ୍ଟି କରିଛି। ସବୁଠାରୁ ଆନନ୍ଦର ବିଷୟ ହେଉଛି, ଏହି ଅପରେସନରେ, ପ୍ରଥମ ଥର ପାଇଁ ଭାରତର ନିଜସ୍ବ ଡିଫେନ୍ସ ଟେକ୍ନୋଲୋଜିର ପରାକାଷ୍ଠା ପ୍ରଦର୍ଶିତ ହୋଇଛି । ଯେଉଁ ଦୂରଦୃଷ୍ଟି ସହିତ ମୋଦୀଜୀ “ମେକ ଇନ ଇଣ୍ଡିଆ” କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ତାହାର ସୁପରିଣାମ ଆଜି ଅପରେସନ ସିନ୍ଦୁର ରେ ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ଆଜି ଭାରତର ଯୁବ ବର୍ଗଙ୍କ ପ୍ରତିଭା, ଶକ୍ତି ଓ ଆତ୍ମବିଶ୍ବାସକୁ ଏକ ନୂଆ ସ୍ତରକୁ ନେଇ ପାରିଛି ।

ଇତି ମଧ୍ୟରେ, ଦେଶ ସ୍ବାଧୀନ ହେବାର ୭୮ ବର୍ଷ ବିତି ଯାଇଛି। ଭାରତ ବିଭିନ୍ନ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଛି। ସ୍ବାଧୀନତା ପରେ ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ନିଜ ନିଜ ସାମର୍ଥ୍ୟ, ଉପଲବ୍ଧ ସମ୍ବଳ, ସାଂପ୍ରତିକ ରାଜନୈତିକ ଓ ସାମାଜିକ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଦେଶର ପ୍ରଗତି ପାଇଁ ନିଜ ନିଜ ଅବଦାନ ଦେଇଛନ୍ତି। କିନ୍ତୁ, ସାଧାରଣରେ ସମସ୍ତେ ଅନୁଭବ କରନ୍ତି ଯେ, ଭାରତ ନିଜ ସାମର୍ଥ୍ୟ ଅନୁସାରେ ଯେତେ ପ୍ରଗତି କରିବା କଥା, ବୋଧହୁଏ ସେତେ ପ୍ରଗତି କରିପାରିନାହିଁ। ଯଥେଷ୍ଟ ଅଧିକ ହୋଇ ପାରିଥାନ୍ତା।

ସାଧାରଣ ଜନତାଙ୍କ ଏହି ଭାବନାକୁ ଗତି ମିଳିଥିଲା ୨୦୧୪ ମସିହା ମଇ ମାସରେ, ଯେତେବେଳେ ମାନନୀୟ ମୋଦୀ ଜୀ ଦେଶର ପ୍ରଧାନମନ୍ତ୍ରୀ ଭାବେ, ପ୍ରଥମ ପାଳିର ନେତୃତ୍ଵ ନେଇଥିଲେ। ଏଥିସହିତ ବିକାଶର ଏକ ନୂଆ ମଡେଲ ଆରମ୍ଭ ହୋଇଥିଲା, ଯାହାଥିଲା ‘ନାଗରିକ-କୈନ୍ଦ୍ରିକ’ ବିକାଶ। ଉଦାହରଣ ସ୍ୱରୂପ, ପ୍ରଧାନମନ୍ତ୍ରୀ ହେବା ପରେ ମାତ୍ର ଅଢେଇ ମାସ ପରେ ମୋଦୀ ଜୀ, ଲାଲକିଲ୍ଲାର ପ୍ରାଚୀରରୁ ଅଭିଭାଷଣରେ ଡାକରା ଦେଇଥିଲେ –

“ସ୍ବଚ୍ଛ ଭାରତ”। ସ୍ବଚ୍ଛତା ଓ ଶୌଚାଳୟ ପରି ଯେଉଁ ମୌଳିକ ସୁବିଧା ଦେଶବାସୀଙ୍କୁ ୬୬ ବର୍ଷରେ ବି ଦିଆ ଯାଇ ପାରି ନ ଥିଲା, ମାତ୍ର ଚାରି ବର୍ଷରେ, ଦେଶର ସମସ୍ତ ପରିବାରଙ୍କୁ ଶୌଚାଳୟ ପ୍ରଦାନ କରାଯାଇପାରିଥିଲା। ଏହା ହେଉଛି, ନାଗରିକ-କୈନ୍ଦ୍ରିକ ବିକାଶର ଏକ ପ୍ରକୃଷ୍ଟ ପ୍ରମାଣ।

ଗତ ୧୧ ବର୍ଷରେ ଭାରତର ଅସାଧାରଣ ପ୍ରଗତି ହୋଇଛି। ଆଜି ଆମ ଦେଶ ବିଶ୍ବର ଚତୁର୍ଥ ବୃହତ୍ତମ ଅର୍ଥନୀତି ଏବଂ ବହୁତ ଶୀଘ୍ର ୫ ଟ୍ରିଲିଅନ ଡଲାର ସହିତ ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ଦୂରଦର୍ଶୀ ନୀତି, ସଂସ୍କାର ଏବଂ ଜନହିତରେ ନୀତି ପ୍ରଣୟନ ଯୋଗୁଁ ଏହା ସମ୍ଭବ ହୋଇଛି। ପୂର୍ବ ସରକାର ଅମଳରେ, ‘ପଲିସି ପାରାଲିସିସ’ କାରଣରୁ ଦେଶର ପ୍ରଗତିର ଚକ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଅର୍ଥନୀତିରେ ଉନ୍ନତି ସହିତ, ଦେଶ ଆଜି ସ୍ୱତନ୍ତ୍ର ବିଦେଶ ନୀତି ଅବଲମ୍ବନ କରି ବିଶ୍ୱ ଭୂ-ରାଜନୈତିକ ପରିବେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ଆଜି ସମଗ୍ର ବିଶ୍ୱର ଅର୍ଥନୈତିକ ଓ ଭୂ-ରାଜନୈତିକ ପରିବେଶରେ ଏକ ଅସ୍ଥିରତା ଦେଖାଦେଇଛି। ଆଜି ଆଉ ସେ ଯୁଗ ନାହିଁ, ଭାରତ ଆଉ କାହା ଇସାରାରେ ପରିଚାଳିତ ହେବ, ଭାରତର ବିଦେଶ ନୀତି ଆଉ କାହାଦ୍ଵାରା ସ୍ଥିରିକୃତ ହେବ। ଯେତେ ଶକ୍ତିଶାଳୀ ଦେଶ ହେଲେ ମଧ୍ୟ, ମାନନୀୟ ମୋଦୀ ଜୀ ସ୍ପଷ୍ଟଭାବେ କହିଛନ୍ତି, ରାଷ୍ଟ୍ରହିତ ସର୍ବୋପରି। ଦେଶର କୃଷକ, ମତ୍ସ୍ୟଜୀବୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ବାର୍ଥରେ ସାମାନ୍ୟତମ ଆଞ୍ଚ୍ ଆଣିବାକୁ ଦେବେ ନାହିଁ। ଏଥିପାଇଁ ମାନନୀୟ ପ୍ରଧାନମନ୍ତ୍ରୀ “ଭୋକାଲ ଫର ଲୋକାଲ” ଡାକରା ଦେଇଛନ୍ତି। ଦେଶରେ ଏକ ନୂଆ ସ୍ବଦେଶୀ ଆନ୍ଦୋଳନର ଆବଶ୍ୟକତା ଦେଖା ଦେଇଛି। ତେଣୁ, ଏହି ଅଶ୍ବମେଧ ଯଜ୍ଞରେ ଆମ ସମସ୍ତଙ୍କୁ ନିଜ ନିଜର ଯୋଗଦାନ କରିବାକୁ ପଡିବ। ଆସନ୍ତୁ, ଆମେ ସମସ୍ତେ ଭାରତରେ ପ୍ରସ୍ତୁତ ଉତ୍ପାଦିତ ସାମଗ୍ରୀକୁ ବ୍ୟବହାର କରିବା ପାଇଁ ଆଗେଇ ଆସିବା ।

ଗତ ଚଉଦ ମାସ ହେବ, ଓଡିଶା ବି ବିକାଶର ଏକ ନୂଆ ଯାତ୍ରାରେ ସାମିଲ ହୋଇଛି। ଆଜିର ଦିନ ରାଜନୀତି ପ୍ରସଙ୍ଗ ନୁହେଁ। କିନ୍ତୁ, ଏ କଥା ବି ସତ୍ୟ ଯେ ଓଡିଶାବାସୀ ଏକ ନୂତନ ସୁର୍ଯ୍ୟୋଦୟ ଆଶାରେ ଏକ ନୂତନ ସରକାରକୁ ନିର୍ବାଚିତ କରି ଆଣିଥିଲେ। ମୋତେ ଆଜି କହିବାରେ ସାମାନ୍ୟତମ ସଙ୍କୋଚ ନାହିଁ ଯେ, ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ, ଆମ ସରକାର ସଂପୂର୍ଣ୍ଣ ଭାବେ ସଫଳ ହୋଇଛି। ମାତ୍ର, ଗୋଟିଏ ବର୍ଷରେ ଅନେକ କାର୍ଯ୍ୟ ପ୍ରଥମ ଥର ପାଇଁ ହୋଇଛି, ଯାହା ହୁଏତ ଆଗରୁ ହୋଇପାରିଥାନ୍ତା।

ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵ ଓ ଦିଗଦର୍ଶନରେ ରାଜ୍ୟର ଚାରି ମୁଖ୍ୟ ବର୍ଗଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏମାନେ ହେଲେ, ମହିଳା, ଅନ୍ନଦାତା, ଗରିବ ଏବଂ ଯୁବ ବର୍ଗ। ଏହାର ରୂପାୟନ କରିବା ପାଇଁ ସରକାର ଚାରିଗୋଟି ମୁଖ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇଛନ୍ତି, ଆପଣମାନେ ଜାଣିଛନ୍ତି ଯେ ଜୁନ ୧୨, ୨୦୨୪ ରେ ମାତ୍ର ୨୪ ମିନିଟ ସମୟ ମଧ୍ୟରେ ଚାରିଗୋଟି ଐତିହାସିକ ନିଷ୍ପତ୍ତିରୁ ଆରମ୍ଭ ହୋଇଥିଲା, ନୂତନ ଓଡିଶା ଗଢିବାର ବ୍ରତ।

ଓଡିଶା ହେଉଛି ମୁଖ୍ୟତଃ ଏକ କୃଷି ଭିତ୍ତିକ ଅର୍ଥନୀତି। ରାଜ୍ୟର ପ୍ରାୟ ୬୦ ପ୍ରତିଶତ ଲୋକେ ଏହା ଉପରେ ନିର୍ଭର କରିଥାନ୍ତି। କିନ୍ତୁ, କେବଳ କୃଷି ଦ୍ଵାରା ରାଜ୍ୟର ପ୍ରଗତି ଅସମ୍ଭବ। କୃଷି ସହିତ, ଉଦ୍ୟୋଗ ଏବଂ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ କରିବା ଆବଶ୍ୟକ। ଓଡିଶାରେ କେବଳ କୃଷି କାର୍ଯ୍ୟକରି ଆୟକୁ ବହୁଗୁଣିତ କରିହେବ ନାହିଁ, କାରଣ ଆମ ରାଜ୍ୟର ପ୍ରାୟ ୯୨ ପ୍ରତିଶତ ହେଉଛନ୍ତି, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ। ତେଣୁ, କୃଷି ସହିତ ମତ୍ସ, ପ୍ରାଣୀପାଳନ, ଗୋ ପାଳନ କରିବା ଆବଶ୍ୟକ। କୃଷି ଉଦ୍ୟୋଗ ପ୍ରତିଷ୍ଠା ପାଇଁ “ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା”ରେ ଏକ କୋଟି ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆ ଯାଉଛି। ମୁଁ ସମସ୍ତଙ୍କୁ, ବିଶେଷ କରି ଯୁବ ଉଦ୍ୟୋଗୀଙ୍କୁ ନିବେଦନ କରିବି, ଆପଣମାନେ ଏହି ସବୁ ଯୋଜନାର ଲାଭ ଉଠାଇ, ଆତ୍ମ ନିର୍ଭରଶୀଳ ହୁଅନ୍ତୁ।

ଆମର ସମୃଦ୍ଧ କୃଷକ ଯୋଜନା ତଥା ପିଏମ୍ ଓ ସିଏମ କିଷାନ ଯୋଜନାରେ ଓଡିଶାର ୫୦ ଲକ୍ଷରୁ ଅଧିକ ଚାଷୀ ଭାଇ ଭଉଣୀଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ସହାୟତା ମିଳୁଛି। ଆମ ସରକାରଙ୍କ ବିଭିନ୍ନ ଯୋଜନାରୁ ଚାଷୀ ପରିବାରଙ୍କ ରୋଜଗାର ବର୍ଷକୁ ଅତିକମ୍‌ରେ ୩୦ ହଜାର ଟଙ୍କା ବୃଦ୍ଧି ପାଇଛି।

ଜୀବନ ଜୀବିକାର ଆଉ ଏକ ଦିଗ ହେଉଛି “ଶିଳ୍ପାୟନ”। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେଉ କିମ୍ବା ଆଉ କୌଣସି କାରଣରୁ ହେଉ, ଓଡିଶାର ସାମର୍ଥ୍ୟ ଅନୁସାରେ ରାଜ୍ୟରେ ଶିଳ୍ପାୟନ ହୋଇ ପାରିନାହିଁ। ରାଜ୍ୟର ହାତଗଣତି କିଛି ଅଞ୍ଚଳକୁ ଛାଡିଦେଲେ ଅନ୍ୟ କୌଣସି ଅଞ୍ଚଳରେ କୌଣସି ବଡ କିମ୍ବା ମଧ୍ୟମ ଆକାରର ଉଦ୍ୟୋଗ ନାହିଁ। କିନ୍ତୁ, ଆମ ସରକାର ଆସିବା ପରେ, ଶିଳ୍ପ ନୀତିରେ ଆମୂଳଚୁଳ ପରିବର୍ତ୍ତନ ଆଣିଛନ୍ତି। ବର୍ତ୍ତମାନ, ରାଜ୍ୟର ପ୍ରତିଟି ଜିଲ୍ଲାରେ ହେବ ଶିଳ୍ପାୟନ।

ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଏବଂ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସହିତ, ଏହି କାର୍ଯ୍ୟକ୍ରମ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ଆମ ସରକାର ପ୍ରଚାର ସର୍ବସ୍ବ ନୁହେଁ, କେବଳ କ୍ୟାମେରା ପାଇଁ ଆମେ ଇଭେଣ୍ଟ ମ୍ୟାନେଜମେଣ୍ଟ କରୁନା। ଏହାର ପ୍ରମାଣ ହେଉଛି ଗତ ୬-୭ ମାସ ମଧ୍ୟରେ ଓଡିଶାରେ ୬୦ରୁ ଅଧିକ ଶିଳ୍ପ ସ୍ଥାପନ କରାଯାଇ ୧ ଲକ୍ଷ ୮୦ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ହୋଇପାରିଛି। ଏହାଦ୍ୱାରା ୧ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବା ସୁନିଶ୍ଚିତ ହୋଇପାରିଛି।

କେବଳ ବଡ ଉଦ୍ୟୋଗ ନୁହେଁ, ରାଜ୍ୟର ବୁଣାକାରଙ୍କ ମଙ୍ଗଳ ପାଇଁ ସରକାର ଚେଷ୍ଟିତ। ନିକଟରେ ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ୍‌ର ଆୟୋଜନ କରାଯାଇଥିଲା, ଯେଉଁଥିରେ ୭ ହଜାର ୮୦୦ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ସହିତ ୫୩ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶାର ହସ୍ତତନ୍ତ ହେଉଛି ଆମର ଗୌରବ, ଆମର ଅସ୍ମିତା । ଆମ ହସ୍ତତନ୍ତରୁ ନିର୍ମିତ ପୋଷାକକୁ ଦେଶ ଓ ବିଦେଶର ଆକର୍ଷଣୀୟ ବ୍ରାଣ୍ଡ ଭାବେ ବିକଶିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ଅବସରରେ ମୁଁ ଅନୁରୋଧ କରୁଛି, ଆପଣମାନେ ସପ୍ତାହରେ ଅତି କମ୍ ରେ ଗୋଟିଏ ଦିନ, ହସ୍ତତନ୍ତ ପୋଷାକ ପିନ୍ଧନ୍ତୁ ।

ସରକାରୀ କ୍ଷେତ୍ରରେ ଦକ୍ଷତା ବୃଦ୍ଧିପାଇଁ ଉପଯୁକ୍ତ ସଂଖ୍ୟାରେ ଲୋକବଳ ଅତ୍ୟନ୍ତ ଆବଶ୍ୟକ। ପୂର୍ବରୁ ସରକାରୀ କ୍ଷେତ୍ରରେ ଅନେକ ପଦବୀ ଖାଲି ରହିଥିବା ସତ୍ତ୍ୱେ, ଏହାକୁ ପୂରଣ କରିବା ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଇ ନଥିଲା। ଆମ ସରକାର ଆସିବା ପରଠାରୁ ରାଜ୍ୟରେ ୨୮ ହଜାର ୩୯୨ଟି ପଦବୀ ପୂରଣ ହୋଇ ସାରିଛି। ଏହା ସହିତ ୩୪ ହଜାର ୫୦୦ଟି ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ବିଭିନ୍ନ ଆୟୋଗ ପକ୍ଷରୁ ଜାରି ରହିଛି। ଆହୁରି ମଧ୍ୟ ୨୨,୮୯୬ଟି ଖାଲି ପଦବୀ ପୂରଣ ପାଇଁ ମଧ୍ୟ ଖୁବଶୀଘ୍ର ଅନୁମତି ପ୍ରଦାନ କରାଯିବ। ୨ ବର୍ଷରେ ଆମେ ୬୫ ହଜାର ସରକାରୀ ପଦବୀ ପୂରଣ କରିବାର ଲକ୍ଷ୍ୟ ରଖିଥିଲୁ; ତେବେ ଏହି ସମୟ ଭିତରେ ଅତି କମ୍‌ରେ ୮୫ ହଜାର ପଦବୀ ପୂରଣ ହେବାକୁ ଯାଉଛି। ନିଯୁକ୍ତି କ୍ଷେତ୍ରରେ କେବଳ ଲକ୍ଷ ହାସଲ ନୁହେଁ, ଲକ୍ଷ ଅତିକ୍ରମ କରିବାର ସାମର୍ଥ୍ୟ ନେଇ ଖୁବ ଅଧିକ ବେଗରେ ଗତି କରୁଛି ଆମ ସରକାର ।

ଆମ ଦେଶର ଯୁବବର୍ଗଙ୍କୁ ଦକ୍ଷ ଓ ସଶକ୍ତ କରି ଦେଶସେବାରେ ନିୟୋଜିତ କରିବା ପାଇଁ ଅଗ୍ନିବୀର ହେଉଛି ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ଏକ ଅଭିନବ ପ୍ରୟାସ। ଏହି ଯୋଜନାରେ ଓଡିଶାର ଯୁବକ ଯୁବତୀମାନେ ଯେପରି ଅଧିକ ସଂଖ୍ୟାରେ ସାମିଲ ହୋଇପାରିବେ, ସେଥିପାଇଁ ରାଜ୍ୟ ସରକାର ଅଗ୍ନିବୀର ପ୍ରଶିକ୍ଷଣ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସରକାରୀ କ୍ଷେତ୍ର ବ୍ୟତୀତ ବେସରକାରୀ କ୍ଷେତ୍ରରେ ରୋଜଗାର ବୃଦ୍ଧି ପାଇଁ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ତିନି ଦିନ ତଳେ କେନ୍ଦ୍ରୀୟ କ୍ୟାବିନେଟ ଓଡିଶାରେ ସେମି-କଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ସମ୍ମତି ଦେଇଛନ୍ତି। ଏହାଦ୍ଵାରା ଓଡିଶାରେ ଇଲେକଟ୍ରୋନିକ୍ସ ଓ ଆଇଟି କ୍ଷେତ୍ରରେ ଏକ ରିଭୋଲ୍ୟୁସନ୍ ହେବାକୁ ଯାଉଛି।

ଠିକ୍ ସେହିପରି, ଫାର୍ମା କ୍ଷେତ୍ର ବି ଅବହେଳିତ ହୋଇ ରହିଥିଲା। କିନ୍ତୁ, ସରକାର ରାଜ୍ୟରେ ଏକ ଫାର୍ମା କନକ୍ଳେଭ୍ କରିବାକୁ ଯାଉଛନ୍ତି, ଯାହାଦ୍ଵାରା ଆସନ୍ତା କିଛି ଦିନରେ, ଦେଶ ବିଦେଶର ପ୍ରମୁଖ ଫାର୍ମା କମ୍ପାନୀମାନେ ନିଜ ନିଜର ପ୍ରତିଷ୍ଠାନ ନିର୍ମାଣ କରିବାକୁ ଆଗଭର ହେବେ। ଏହାଦ୍ଵାରା ଆଗାମୀ ଦିନରେ ଓଡିଶା ଦେଶର ଫାର୍ମା ହବ୍ ହୋଇପାରିବ, ଏବଂ କେବଳ ଏହି କ୍ଷେତ୍ରରେ ୨ ଲକ୍ଷ ୫୦ ହଜାରରୁ ଅଧିକ ରୋଜଗାର ସୃଷ୍ଟି ହେବ।

ଆମର ଦ୍ଵିତୀୟ ସ୍ତମ୍ଭ ହେଉଛି ସାମାଜିକ ବିକାଶ ଓ ସଶକ୍ତିକରଣ। ରାଜ୍ୟର ପ୍ରତ୍ୟେକ ବର୍ଗଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରି ସଶକ୍ତ କରିବା ଆମର ଲକ୍ଷ୍ୟ। ଆମ ପାଇଁ ନାରୀ ସଶକ୍ତିକରଣ କେବଳ ଏକ ସ୍ଲୋଗାନ କିମ୍ବା ଭୋଟବ୍ୟାଙ୍କ ନୁହେଁ। ପ୍ରତିଶ୍ରୁତିକୁ ପୂରଣ କରି ଆମ ସରକାର ଆସିବା ମାତ୍ରେ ଏକ କୋଟିରୁ ଅଧିକ ମହିଳାଙ୍କୁ “ସୁଭଦ୍ରା ଯୋଜନା”ରେ ସାମିଲ କରିସାରିଛି। ଏଇ ଅଳ୍ପଦିନ ତଳେ, ସେମାନେ ସମସ୍ତେ ତୃତୀୟ କିସ୍ତି ସହିତ ୧୫ ହଜାର ଟଙ୍କା ପାଇ ସାରିଲେଣି ଏବଂ ଖୁସିର କଥା ଏହି ସମ୍ବଳକୁ ବିନିଯୋଗ କରି, ଲକ୍ଷ ଲକ୍ଷ ମା’ ମାନେ କ୍ଷୁଦ୍ର ଉଦ୍ୟୋଗ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଏଥି ସହିତ ଓଡିଶା ପ୍ରାୟ ୧୭ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ସୃଷ୍ଟିକରି, ଦେଶରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି, ଯାହା ଆମ ମା’ ମାନଙ୍କୁ ସ୍ବାବଲମ୍ବୀ କରିବା ସହ ସଶକ୍ତ ବି କରୁଛି। କେବଳ ମହିଳାଙ୍କ ପାଇଁ ଚଳିତ ବଜେଟରେ ସ୍ବତନ୍ତ୍ର ଭାବେ ୮୯ ହଜାର ୮୬୧ କୋଟି ଟଙ୍କାର ପ୍ରବଧାନ କରାଯାଇଛି, ଯାହା ରାଜ୍ୟର ମହିଳାଙ୍କ ପାଇଁ ସରକାରଙ୍କ ପ୍ରତିବଦ୍ଧତା।

ମହିଳା ସଶକ୍ତିକରଣର ଆଉ ଗୋଟିଏ ଦିଗ ହେଉଛି “ମହିଳା ସୁରକ୍ଷା”। ମୁଁ ବିଭିନ୍ନ ମଞ୍ଚରୁ କହିଛି, ମହିଳା ସୁରକ୍ଷା ପାଇଁ ସରକାର “ଶୂନ୍ୟ ସହନଶୀଳତା” ନୀତି ଅବଲମ୍ବନ କରୁଛନ୍ତି। ମହିଳାଙ୍କ ବିରୁଦ୍ଧରେ ହିଂସା କରୁଥିବା ବ୍ୟକ୍ତି, ଯେତେ ପ୍ରତିପତ୍ତିଶାଳୀ କିମ୍ବା ପ୍ରଭାବଶାଳୀ ହେଲେ ମଧ୍ୟ, ତାଙ୍କର ସ୍ଥାନ ଜେଲ୍‌ର ଚାରିକାନ୍ଥ ମଧ୍ୟରେ, ସଭ୍ୟ ସମାଜରେ ତାଙ୍କର ସ୍ଥାନ ନାହିଁ । ଏଥିପାଇଁ, ଯେତେବଡ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଅଛି, ସେଥିପାଇଁ ପୋଲିସ ବିଭାଗକୁ ସଂପୂର୍ଣ୍ଣ କ୍ଷମତା ଦିଆ ଯାଇଛି। ମହିଳା ସୁରକ୍ଷାରେ ଯଦି କେହି ଅବହେଳା କରନ୍ତି, ଆଇନ ଅନୁସାରେ ପଦକ୍ଷେପ ନେବା ପାଇଁ ଅବଶ୍ୟକୀୟ ନିର୍ଦ୍ଦେଶ ମୁଁ ଦେଇ ସାରିଛି।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ନିୟନ୍ତ୍ରଣାଧୀନ ଅଛି। କିନ୍ତୁ, ଏହାକୁ ଆହୁରି ଅଧିକ ପ୍ରଭାବୀ ଓ ସଶକ୍ତ କରିବାର ଆବଶ୍ୟକତା ରହିଛି। ଅପରାଧ ବୃଦ୍ଧିର ଗୋଟିଏ ବଡ କାରଣ ହେଉଛି ନିଶା କାରବାର। ତେଣୁ, ଓଡିଶାରେ ନିଶା ନିବାରଣକୁ ଆହୁରି ଜୋରଦାର କରାଯିବ ଏବଂ ଏଥିରେ ସମ୍ପୃକ୍ତ ନିଶା ମାଫିଆଙ୍କୁ ସଂପୂର୍ଣ୍ଣ ଭାବେ ଦମନ କରାଯିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଛି। ରାଜ୍ୟରେ ଗାଁରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ, ଗୁଣ୍ଡାରାଜକୁ ଦୃଢ ହସ୍ତରେ ଦମନ କରାଯିବ। ଏଥିପାଇଁ ଅପରାଧୀଙ୍କୁ ଚିହ୍ନଟ ପ୍ରକ୍ରିୟା ଚାଲିଛି, ଆଇନ ଅନୁଯାୟୀ କଠୋରରୁ କଠୋରତମ ଦଣ୍ଡ ବିଧାନ କରାଯିବ। ସଂଗଠିତ ଅପରାଧକୁ ନିର୍ମୂଳ କରିବା ପାଇଁ ଆବଶ୍ୟକ ହେଲେ, ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା ପାଇଁ ସରକାର ତିଳେମାତ୍ର ସଙ୍କୋଚ କରିବେ ନାହିଁ। ଦାଦାବଟି, ଜବରଦସ୍ତ ଚାନ୍ଦା ଆଦାୟ ବା ହପ୍ତା ଅସୁଲି ସଂପୂର୍ଣ୍ଣ ଭାବେ ବେଆଇନ ଏବଂ ଏହାକୁ ସଂଘଟିତ ଅପରାଧ ଶ୍ରେଣୀ ଭାବେ ବିଚାର କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବିଶେଷ ଭାବେ କଲେଜ ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ “ସୁରକ୍ଷିତ ଅଞ୍ଚଳ” ଭାବେ ଘୋଷଣା କରାଯିବ ଏବଂ କ୍ୟାମ୍ପସ ଗୁଡିକରେ ମଦ୍ୟପାନ ଓ ନିଶା ସେବନକୁ ସଂପୂର୍ଣ୍ଣ ରୂପେ ବାରଣ କରାଯିବା ସହିତ, ଅଣଛାତ୍ରଙ୍କ ଅସାମାଜିକ କାର୍ଯ୍ୟକଳାପକୁ ସଂପୂର୍ଣ୍ଣ ଭାବେ ଦମନ କରାଯିବ। ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବା ପାଇଁ “ଶକ୍ତିଶ୍ରୀ” କାର୍ଯ୍ୟକ୍ରମ ଲାଗୁ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ତ୍ଵରିତ ଅଭିଯୋଗ ଶୁଣାଣି ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଉଛି।

ସମାଜର ବିକାଶ ପାଇଁ ଦୁଇଟି ମୁଖ୍ୟ ଅସ୍ତ୍ର ହେଉଛି ଶିକ୍ଷା ଓ ସ୍ୱାସ୍ଥ୍ୟ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ସରକାର ଆସିବା ମାତ୍ରେ, ଗୁଣାତ୍ମକ ଶିକ୍ଷା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥି ସହିତ ନୂତନ ଜାତୀୟ ଶିକ୍ଷାନୀତି, ପିଏମ୍-ଉଷା, ପିଏମ୍-ଶ୍ରୀ, ନିପୁଣ ଓଡିଶା, ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନ ପରି କାର୍ଯ୍ୟକ୍ରମ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବ। ଉଚ୍ଚଶିକ୍ଷାରେ ଓଡିଶାର ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାର ଉଚ୍ଚ ଶିକ୍ଷାରେ ୧୧.୨୫ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି। ଯୁବବର୍ଗଙ୍କ ପ୍ରତିଭାର ବିକାଶ ପାଇଁ ସ୍ନାତକ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ଇଣ୍ଟର୍ଣ୍ଣସିପ୍ କରିବା ପାଇଁ ପ୍ରୋତ୍ସାହିତ କରାଯିବ। ଏଥିପାଇଁ ଏକ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯାଉଛି।

ସ୍ୱାସ୍ଥ୍ୟ ଆମର ମୌଳିକ ଅଧିକାର। ଦେଶର କୋଟି କୋଟି ଲୋକଙ୍କ ସେହି ମୌଳିକ ଅଧିକାରର ସୁରକ୍ଷା ପାଇଁ ଆମ ସରକାର ଆସିବା ମାତ୍ରେ ଏହି ଯୋଜନାକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ମିଳିତ ଭାବେ କାର୍ଯ୍ୟକାରୀ କରିଛନ୍ତି। ତା ସହିତ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ସାମିଲ କରାଯାଇଛି। ଆଜି ଆମ ରାଜ୍ୟର ୮୨ ପ୍ରତିଶତରୁ ଅଧିକ ଲୋକେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି, ଯାହା ପ୍ରତିଶତ ଅନୁଯାଇ ଦେଶରେ ସବୁଠାରୁ ଅଧିକ। ଏହି ତିନୋଟି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ହିତାଧିକାରୀଙ୍କୁ ପ୍ରାୟ ୯୩୬ କୋଟି ଟଙ୍କାର ଚିକିତ୍ସା ପ୍ରଦାନ କରାଯାଇଛି ।

ରାଜ୍ୟର ବିଭିନ୍ନ ଚିକିତ୍ସାଳୟର ଭିତ୍ତିଭୂମି ଗୁଡିକର ଉନ୍ନତିକରଣ କରାଯାଇ ସେଥିରେ ସମସ୍ତ ଆଧୁନିକ ଚିକିତ୍ସା ବ୍ୟବସ୍ଥା କରାଯାଉଛି। ଓଡିଶାରେ ବର୍ତ୍ତମାନ ୧୨ଟି ସରକାରୀ ମେଡିକାଲ କଲେଜ ଥିବାବେଳେ ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରଠାରେ ସରକାରୀ ମେଡିକାଲ କଲେଜ ଖୋଲାଯିବ। ଏକ ସୁଦୃଢ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ଅଧିକାରକୁ ସୁନିଶ୍ଚିତ କରି ଓଡିଶାର ସ୍ୱାସ୍ଥ୍ୟ ଦୃଶ୍ୟପଟକୁ ବିଶ୍ୱସ୍ତରୀୟ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ବ୍ରହ୍ମପୁର ମେଡିକାଲ କଲେଜର ଉନ୍ନତି କରାଯାଇ ତାକୁ ଏମ୍ସ ପ୍ଲସ କରିବାପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ଅଛି। ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ। ରାଜ୍ୟର ତିନିଗୋଟି ବୃହତ୍ତମ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀଙ୍କ ସହିତ ଆସୁଥିବା ଆତ୍ମୀୟସ୍ବଜନଙ୍କ ପାଇଁ ରାଜ୍ୟ ସରକାର ସୁଲଭ ମୂଲ୍ୟରେ ରହଣି ବ୍ୟବସ୍ଥା କରିବାକୁ ଯାଉଛନ୍ତି। ଏଥିପାଇଁ ପ୍ରାୟ ୨ ହଜାର ୨୫୦ ଶଯ୍ୟାର ସୁବିଧା କରାଯାଉଛି।

ଆମ ରାଜ୍ୟର ପ୍ରାୟ ୪୦ ପ୍ରତିଶତ ହେଉଛନ୍ତି ଜନଜାତି ଏବଂ ଅନୁସୂଚିତ ଜାତି ବର୍ଗର। ସେମାନଙ୍କ ସଶକ୍ତିକରଣ ବିନା ସମାଜର ପ୍ରଗତି ସମ୍ଭବ ନୁହେଁ। ତେଣୁ, ସେମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର, ନିଜର ସ୍ବତନ୍ତ୍ର କାର୍ଯ୍ୟକ୍ରମ, ତଥା କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ବି କାର୍ଯ୍ୟକାରୀ କରୁଛନ୍ତି। ପ୍ରଥମଥର ପାଇଁ ଭଗବାନ ବୀର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜାତୀୟ ଜନଜାତି ଗୌରବ ଦିବସ ଭାବେ ମାନନୀୟ ମୋଦୀ ଜୀ ପାଳନ କରିଛନ୍ତି। ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଧରତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ, ପିଏମ-ଜନମନ, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଆଦି କାର୍ଯ୍ୟକ୍ରମ କରୁଛନ୍ତି।

ଗରିବ ଲୋକଙ୍କ କଲ୍ୟାଣ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ, ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି । ଓଡ଼ିଶାରେ ଏହି ଯୋଜନାରେ ୩ କୋଟି ୨୭ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି । ତେବେ ଆମ ରାଜ୍ୟର ପଛୁଆ ଅଞ୍ଚଳର ଲୋକଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ପାଦେ ଆଗକୁ ନେଇ, ଅଧିକ ଚାଉଳ ଯୋଗାଇ ଦେବାକୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ୮ଟି କେବିକେ ଜିଲ୍ଲା ସହିତ ବୌଦ୍ଧ, ଗଜପତି ଓ କନ୍ଧମାଳ- ସମୁଦାୟ ୧୧ ଟି ଜିଲ୍ଲାର ପ୍ରାୟ ୨୭ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ ପରିବାରଙ୍କୁ, ତିନି ମାସ ପାଇଁ, ମାସିକ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ, ମାଗଣାରେ ଯୋଗାଇ ଦେବା ପାଇଁ ନିର୍ଣ୍ଣୟ କରାଯାଇଛି । ଏଥିରେ ସମୁଦାୟ ୪୧,୦୮୨ ମେଟ୍ରିକ ଟନ ଅତିରିକ୍ତ ଚାଉଳ ବଣ୍ଟନ କରାଯିବ । ଏହା ବାବଦରେ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ପ୍ରାୟ ୧୮୦ କୋଟି ଟଙ୍କା ବହନ କରିବେ । ଦେଶର ଯୁବବର୍ଗ ହେଲେ ଦେଶର ଭବିଷ୍ୟତ। ସେମାନଙ୍କୁ ସଶକ୍ତ କରିବା ପାଇଁ ରୋଜଗାର ସହିତ ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଭିତ୍ତିଭୂମି ନିର୍ମାଣ କରାଯାଉଛି।

ଆମ ବିକାଶ ମଡେଲର ତୃତୀୟ ସ୍ତମ୍ଭ ହେଉଛି ଭିତ୍ତିଭୂମି। ବିନା ଭିତ୍ତିଭୂମିରେ କୌଣସି ସମାଜର ବିକାଶ ସମ୍ଭବ ନୁହେଁ। ତେଣୁ ସରକାର ଚଳିତ ବଜେଟରେ ପୁଞ୍ଜି ଖର୍ଚ୍ଚ ପାଇଁ ୬୫ ହଜାର କୋଟି ଟଙ୍କାର ପ୍ରାବଧାନ କରିଛନ୍ତି, ଯାହା ସାରା ଦେଶରେ, ରାଜ୍ୟ ଜିଡିପି ର ପ୍ରତିଶତ ମାପଦଣ୍ଡରେ, ସର୍ବାଧିକ। ଏହାଦ୍ଵାରା ରାଜ୍ୟରେ ସଡକଠାରୁ ଆରମ୍ଭ କରି, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ବନ୍ଦର ଇତ୍ୟାଦି କ୍ଷେତ୍ରରେ ବିକାଶ ବହୁତ ଶୀଘ୍ର ହୋଇପାରିବ। ଓଡିଶାର ଭିତ୍ତିଭୂମି ବିକାଶରେ ଡବଲ ଇଞ୍ଜିନ ସରକାର ଡବଲ ଗତିରେ କାମ କରୁଛି। ଡବଲ ଇଞ୍ଜିନ ସରକାର ଫଳରେ ବର୍ତ୍ତମାନ ଓଡିଶାରେ ଦ୍ରୁତ ଗତିରେ ରେଳ, ରାଜପଥର ନିର୍ମାଣ କାର୍ଯ୍ୟ ଚାଲିଛି। ରାଜ୍ୟ ସରକାର ବି ଆଗାମୀ ପାଞ୍ଚ ବର୍ଷରେ ୭୫ ହଜାର କିଲୋମିଟରର ଉଚ୍ଚ ମାନର ସଡକ ନିର୍ମାଣ କରିବେ।

ସେହିପରି ବିମାନ ବନ୍ଦର ଭିତ୍ତିଭୂମିରେ ମଧ୍ୟ ଉନ୍ନତିକରଣ କରାଯାଇ ଦେଶ ବିଦେଶର ନୂଆ ନୂଆ ଗନ୍ତବ୍ୟ ସ୍ଥଳକୁ ବିମାନ ଚଳାଚଳର ସୁବିଧା କରାଯାଇଛି। ରାଜ୍ୟର ବନ୍ଦର ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି। ରାଜ୍ୟରେ ତିନୋଟି ପ୍ରମୁଖ ବନ୍ଦର ଥିବାବେଳେ ଆମେ ଇଞ୍ଚୁଡି, ବାହୁଡା, ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ଠାରେ ଆଉ ୪ଟି ନୂତନ ବନ୍ଦର ନିର୍ମାଣ କରିବାର ଲକ୍ଷ୍ୟ ରଖିଛୁ।

ଭୁବନେଶ୍ବର-କଟକକୁ ବିଭିନ୍ନ କାମ ପାଇଁ ଓଡିଶାର ସବୁ ଜିଲ୍ଲାରୁ ହଜାର ହଜାର ଲୋକେ ଆସିଥାନ୍ତି। ଅଧିକାଂଶ ଲୋକେ ସ୍ୱଳ୍ପ ରହଣି ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ, ସରକାର ଭୁବନେଶ୍ବରରେ ‘ଜନ ଆଶ୍ରୟ ଭବନ’ ନିର୍ମାଣ କରିବାକୁ ଯାଉଛନ୍ତି। ଏଠାରେ ସ୍ୱଳ୍ପ ଖର୍ଚ୍ଚରେ ଲୋକେ ରହି ନିଜ ନିଜ କାର୍ଯ୍ୟ ସୁବିଧାରେ କରି ପାରିବେ। ଏହାର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ।

ଉନ୍ନତ ଭିତ୍ତିଭୂମି ଓ ସହରୀକରଣ ବିକାଶର ଏକ ଗୁରୁତ୍ଵ ପୂର୍ଣ୍ଣ ଅଂଶ । କିନ୍ତୁ ଆମ ରାଜ୍ୟର ମାତ୍ର ୧୭ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ବସବାସ କରନ୍ତି । ରାଜ୍ୟର ଦ୍ରୁତ ବିକାଶ ଓ ଅଭିବୃଦ୍ଧି ସହିତ ଜନ ସାଧାରଣଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମ ସରକାର ଆଉ ୨୧ ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଆମ ବିକାଶ ମଡେଲର ଚତୁର୍ଥ ସ୍ତମ୍ଭ ହେଉଛି ଓଡିଆ ଅସ୍ମିତା। ଜଗନ୍ନାଥ ସଂସ୍କୃତି ବିନା ଓଡିଆ ଅସ୍ମିତାକୁ କଳ୍ପନା କରାଯାଇ ପାରେନାହିଁ । ତେଣୁ ଜଗନ୍ନାଥ ଧାମକୁ ଏକ ଐତିହାସିକ ଧର୍ମୀୟ-ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ। ପୁରୀକୁ ଏକ ମହାନଗର ନିଗମ କରିବା ପାଇଁ ନିଷ୍ପତ୍ତି ନିଆଯିବା ସହିତ ସେଠାରେ ଏକ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ମ୍ୟୁଜିଅମ, ଲାଇବ୍ରେରୀ ଅନୁସନ୍ଧାନ କେନ୍ଦ୍ର, ଇଣ୍ଟରପ୍ରିଟେସନ୍ ସେଣ୍ଟର ଓ ଆକ୍ଵାରିୟମ୍ ମଧ୍ୟ ନିର୍ମାଣ କରାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ଏଥି ସହିତ ଓଡିଆ ଭାଷାକୁ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ କରାଯାଇଛି।

ଓଡିଶାର ମହାପୁରୁଷ ଓ ମହାମନୀଷୀ ମାନେ ହେଉଛନ୍ତି ଓଡିଆ ଅସ୍ମିତାର ପ୍ରାଣ। ସେମାନଙ୍କ ଜନ୍ମପୀଠ ଏବଂ ଗ୍ରାମ ଆଜି ବି ଅବହେଳିତ। ତେଣୁ, ଏହାକୁ ସୁଧାରିବା ପାଇଁ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ମହାପୁରୁଷଙ୍କ ଜନ୍ମିତ ସମଗ୍ର ଗ୍ରାମ ପଞ୍ଚାୟତକୁ ଆଦର୍ଶ ଗ୍ରାମ ଭାବେ ଗଢି ତୋଳାଯିବ। ତାହା ହେବ ମହାପୁରୁଷମାନଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ପ୍ରତ୍ୟେକ ସରକାର ନିଜ ସାମର୍ଥ୍ୟ ଓ ବିଚାରଧାରା ଅନୁଯାୟୀ ଶାସନ-ପ୍ରଶାସନ କରିଥାନ୍ତି। କିନ୍ତୁ, ସବୁବେଳେ ସାଧାରଣ ଲୋକେ କହିଥାନ୍ତି ଯେ ସେମାନଙ୍କ ଦୁଃଖସୁଖ ଶୁଣିବା ପାଇଁ କେହି ନାହାନ୍ତି ଏବଂ ଦୁର୍ନୀତି ଯୋଗୁଁ ସେମାନେ ବିଭିନ୍ନ ଯୋଜନାର ସୁଫଳ ପାଇ ପାରୁ ନାହାନ୍ତି। ଏହାକୁ ସମାଧାନ କରିବା ପାଇଁ ମୁଁ ବ୍ୟକ୍ତିଗତ ଭାବେ ଅଭିଯୋଗ ଶୁଣାଣି କରୁଛି। ଗତ ଏକ ବର୍ଷ ମଧ୍ୟରେ ୧୪ ଗୋଟି ଜନ ଶୁଣାଣି କରି ୨୦ ହଜାରରୁ ଅଧିକ ଅଭିଯୋଗ ଶୁଣା ଯାଇଥିଲା ଏବଂ ଏହାର ୯୦ ପ୍ରତିଶତରୁ ବି ଅଧିକ ସମସ୍ୟାର ସମାଧାନ କରାଯାଇଛି। ସେଥିପାଇଁ ଲୋକେ କହୁଛନ୍ତି, ‘ଆମ ସରକାର ହେଉଛି, ଲୋକଙ୍କ ସରକାର’।

ଶାସନ ପ୍ରଶାସନର ଦ୍ଵିତୀୟ ଦିଗଟିକୁ ସରକାର ଅତ୍ୟନ୍ତ ଗୁରୁତର ସହିତ ନେଇଛନ୍ତି। ପିଅନ ଠାରୁ ଆରମ୍ଭ କରି ଆଇଏଏସ ପର୍ଯ୍ୟନ୍ତ ସବୁ ଦୁର୍ନୀତିଖୋର ଅଧିକାରୀ ସରକାରଙ୍କ ସ୍କାନରରେ ଅଛନ୍ତି। ‘ଆଖି ନାହିଁ, କାନ ନାହିଁ, ବାଜି ଗଲେ ଦୋଷ ନାହିଁ’ ନ୍ୟାୟରେ ଭିଜିଲାନ୍ସ ବିଭାଗର ଖଣ୍ଡା ବୁଲୁଛି। ପ୍ରଥମେ କାର୍ଯ୍ୟାନୁଷ୍ଠାନ ନିଆଯିବ, ପରେ ପଦପଦବୀ ଦେଖାଯିବ। ଦୁର୍ନୀତିଖୋରଙ୍କ ପ୍ରତ୍ୟେକଟି ରାତ୍ରି, ଭୟ ଏବଂ ବିଷାଦରେ କଟିବ, ଏହାର ଗ୍ୟାରେଣ୍ଟି ମୁଁ ଦେଉଛି।

ପରିବେଶ ସୁରକ୍ଷା ବିନା ବିକାଶ ଅସମ୍ଭବ। ତେଣୁ ମାନନୀୟ ମୋଦୀ ଜୀ ନାଗରିକଙ୍କ ମଧ୍ୟରେ ପରିବେଶ ସୁରକ୍ଷା ସଚେତନତା ବୃଦ୍ଧି କରିବା ପାଇଁ ଗତ ବର୍ଷ “ଏକ୍ ପେଡ୍ ମା କେ ନାମ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଚଳିତ ବର୍ଷ ଓଡିଶାରେ ଏହି କାର୍ଯ୍ୟକ୍ରମକୁ ଏକ ନୂତନ ଶିଖରକୁ ନେବା ପାଇଁ ଆମ ସରକାର ମାନନୀୟ ମୋଦୀ ଜୀ ଙ୍କ ୭୫ ତମ ଜନ୍ମଦିନରେ ୭୫ ଲକ୍ଷ ଚାରା ରୋପଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଓଡିଶାକୁ ଭଲପାଉଥିବା ଏବଂ ରାଜ୍ୟର ବିକାଶକୁ ସଦା ସର୍ବଦା ଫୋକସ୍‌ରେ ରଖିଥିବା ମାନନୀୟ ମୋଦୀ ଜୀ ଙ୍କ ପ୍ରତି, ଏହାହେବ ରାଜ୍ୟବାସୀଙ୍କ ସ-ସ୍ନେହ ଉପହାର। ତେଣୁ, ମୁଁ ଆପଣମାନଙ୍କୁ ନିବେଦନ କରୁଛି, ବିଶେଷକରି ମା’ ଓ ଭଉଣୀମାନଙ୍କୁ ଅନୁରୋଧ କରୁଛି ଯେ, ଆପଣମାନେ ବହୁ ସଂଖ୍ୟାରେ ଏହି ବୃକ୍ଷରୋପଣ ଅଭିଯାନରେ ସାମିଲ ହୋଇ ଏହାକୁ ସଫଳ କରନ୍ତୁ।

ଆଗାମୀ ଦଶ ବର୍ଷ “ଓଡିଶାର ଦଶକ” ହେବାକୁ ଯାଉଛି। ୨୦୩୬ ରେ ଯେତେବେଳେ ଆମେ ସ୍ବତନ୍ତ୍ର ରାଜ୍ୟ ପ୍ରତିଷ୍ଠାର ଶତ ବାର୍ଷିକୀ ପାଳନ କରିବୁ, ସେତେବେଳେ ଆମ ରାଜ୍ୟ ହୋଇଥିବ ସମୃଦ୍ଧ ଓଡିଶା, ଏବଂ ଦେଶର ପାଞ୍ଚଗୋଟି ସର୍ବଶ୍ରେଷ୍ଠ ରାଜ୍ୟ ଭିତରେ ସାମିଲ ହୋଇଥିବ। ୨୦୩୬ ସୁଦ୍ଧା, ରାଜ୍ୟର ଅର୍ଥନୀତି ୫୦ ହଜାର କୋଟି ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହେବ। ଏହା ନିଶ୍ଚିତ ଭାବେ ସମ୍ଭବ। କାରଣ, ସରକାରଙ୍କ ଇଚ୍ଛାଶକ୍ତି ଅଛି, ଦୂରଦୃଷ୍ଟି ଅଛି, ସମ୍ବଳ ଅଛି ଏବଂ ରାଜ୍ୟବାସୀଙ୍କ ସହଯୋଗ ଅଛି। ସମୃଦ୍ଧ ଓଡିଶା ଗଠନ ଓଡିଶାବାସୀଙ୍କ ଏକ ସାମୁହିକ ଓ ସମାବେଶୀ ଯାତ୍ରା। ୨୦୩୬କୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ଆମେ ୩୬ଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ-

ଆଜିର ଦିନରେ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଆମର ପୋଲିସ ଏବଂ ସୈନ୍ୟ ବାହିନୀ, ଯେଉଁମାନଙ୍କ ହାତରେ ଦେଶର ସୁରକ୍ଷା, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାର ଗୁରୁ ଦାୟିତ୍ଵ ଅର୍ପିତ ଅଛି। ଦଳମତ ନିର୍ବିଶେଷରେ ସେମାନଙ୍କୁ ସମ୍ମାନ ଜଣାଇବା ଏବଂ ତାଙ୍କୁ ନେଇ ଗର୍ବ କରିବା ଆମ ସମସ୍ତଙ୍କର ଦାୟିତ୍ଵ। ତେଣୁ, ଆମ ସରକାର ରାଜ୍ୟରେ ଡ୍ୟୁଟି ସମୟରେ ପ୍ରାଣବଳି ଦେଇଥିବା ପୋଲିସ କର୍ମଚାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପୋଲିସ ମେମୋରିଆଲ ନିର୍ମାଣ କରିବେ, ଯାହା ତାଙ୍କ ତ୍ୟାଗ ଓ ବଳିଦାନ ପାଇଁ ହେବ ଶ୍ରେଷ୍ଠ ନିଦର୍ଶନ।

ଆଜିର ଏହି ପବିତ୍ର ଅବସରରେ ମୁଁ ସମସ୍ତଙ୍କୁ ଗୋଟିଏ ନିବେଦନ କରିବି। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଗଣତନ୍ତ୍ରରେ ସରକାରଙ୍କୁ ସମାଲୋଚନା କରିବାର ଅଧିକାର ସମସ୍ତଙ୍କର ଅଛି, ହେବା ଉଚିତ ମଧ୍ୟ। କିନ୍ତୁ, ସରକାରଙ୍କୁ ସମାଲୋଚନା କରୁ କରୁ ବେଳେ ବେଳେ ‘ସରକାର’ ଓ ‘ରାଷ୍ଟ୍ର’ ଭିତରେ ଥିବା ସୀମାକୁ କିଛି ବ୍ୟକ୍ତି ଓ ସଂଗଠନ ଲଙ୍ଘି ଯାଉଛନ୍ତି, ଯାହା ରାଷ୍ଟ୍ର ପାଇଁ କେବେ ବି ମଙ୍ଗଳମୟ ନୁହେଁ। ଆମ ଓଡିଆରେ ଗୋଟିଏ କଥା ଅଛି, ‘ମଇଁଷି ସିଂଘ ଫଟା, ଯୁଝିଲା ବେଳକୁ ଗୋଟା’। ଆମ ଦେଶର ସଂସ୍କୃତି ରହି ଆସିଛି ଯେ, ଆମ ଭିତରେ ଯେତେ ବିଭେଦ ଥାଉ ନା କାହିଁକି, ଦେଶ ଉପରେ ଯେତେବେଳେ ବି ସଙ୍କଟ ଆସିଛି, ସମସ୍ତେ ଏକ ହୋଇ ଯାଇଛନ୍ତି। କିନ୍ତୁ, ଗତ କିଛି ବର୍ଷ ହେଲା ଏଥିରେ କିଛି ବ୍ୟତିକ୍ରମ ଦେଖା ଯାଉଛି। ତେଣୁ ମୁଁ ସମସ୍ତଙ୍କୁ ନିବେଦିନ କରୁଛି, ଦେଶର ସୁରକ୍ଷା, ଏକତା ଓ ଦେଶର ବିକାଶ ପାଇଁ ଆମେ ସମସ୍ତେ ଏକ ମନ, ଏକ ପ୍ରାଣ ହୋଇ କାମ କରିବା । ଆମ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଆମେ ମତଭେଦ ଭୁଲି, ନିଜକୁ ଗୁଣ୍ଡୁଚି ମୂଷା ଭଳି ସମର୍ପି ଦେବା । ଓଡ଼ିଶା ହେଉ ଆମ ହୃଦୟର ସ୍ୱର। ଓଡିଶା ହେଉ ଆମ ଅସ୍ମିତା ଓ ଚେତନାର ମନ୍ଦିର।

ଶେଷରେ, ଆମ ଓଡ଼ିଆ ଜାତି ଝଡ଼ଝଞ୍ଜାରେ ବି ଅତୀତରେ ହାରିନି, କି ଆଗକୁ ବି ହାରିବନାହିଁ। ଆମ ଓଡ଼ିଆ ଜାତିକୁ, ଏମିତି ମହାପ୍ରଭୁଙ୍କ ଅପାର କରୁଣା ଘଣ୍ଟ ଘୋଡେଇ ରଖିଥାଉ । ସମଗ୍ର ରାଜ୍ୟବାସୀ ତଥା ଦେଶର କଲ୍ୟାଣ ପାଇଁ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

Previous Post

ବିକଶିତ ଭାରତ ଲକ୍ଷ୍ୟ ନେଇ ଆଗକୁ ବଢୁଛି ଦେଶ: ପ୍ରଧାନମନ୍ତ୍ରୀ

Next Post

ଗର୍ବ କରିବା ଶିଖାଉଛି ଭାରତୀୟମ୍‌: ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ଗର୍ବ କରିବା ଶିଖାଉଛି ଭାରତୀୟମ୍‌: ମୁଖ୍ୟମନ୍ତ୍ରୀ

ଗର୍ବ କରିବା ଶିଖାଉଛି ଭାରତୀୟମ୍‌: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.