ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମିକନ୍ ଇଣ୍ଡିଆ-୨୦୨୫ ସମ୍ମିଳନୀରେ ଥିବା ‘ଓଡ଼ିଶା ପାଭିଲିୟନ’କୁ ଆଜି ଉଦଘାଟନ କରିଛନ୍ତି। ଏହି ପାଭିଲିୟନ ରାଜ୍ୟର ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଉଦ୍ଭାବନୀ ସାମର୍ଥ୍ୟ, ପ୍ରଗତିଶୀଳ ନୀତି, ଏବଂ ବିନିଯୋଗ-ଅନୁକୂଳ ପରିବେଶକୁ ପ୍ରଦର୍ଶନ କରିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜକୁ ତାଙ୍କର ହାଇ ପରଫର୍ମାନ୍ସ ମଲ୍ଟିପ୍ଲାୟାର ଆଇସି ପାଇଁ ପ୍ରଶଂସା କରି କହିଛନ୍ତି, ମୁଁ ପିଏମଇସି ବ୍ରହ୍ମପୁରକୁ ସି୨ଏସ୦୦୬୧ ଚିପ୍ ବିକାଶ ପାଇଁ ଅଭିନନ୍ଦନ ଜଣାଉଛି । ଏହା ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଏହି ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାରେ ନିର୍ମିତ ତିନୋଟି ସେମିକଣ୍ଡକ୍ଟର ଚିପକୁ ପ୍ରଦାନ କରିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଚିପଗୁଡ଼ିକ ଓଡ଼ିଶାର ଶିକ୍ଷା ଅନୁଷ୍ଠାନମାନଙ୍କ ଉଦ୍ଭାବନୀ କ୍ଷମତାକୁ ପ୍ରତିଫଳିତ କରୁଛି ଏବଂ ରାଜ୍ୟକୁ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରୁଛି । ସୂଚନାଯୋଗ୍ୟ, ନୂଆଦିଲ୍ଲୀର ଯଶୋଭୂମିଠାରେ ସେପ୍ଟେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ସେମିକନ୍ ଇଣ୍ଡିଆ-୨୦୨୫ ସମ୍ମିଳନୀ ଆୟୋଜିତ ହୋଇଛି । ଏହା ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ୍) ଏବଂ ବିଶ୍ୱ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ଆସୋସିଏସନ ସେମି ଦ୍ୱାରା ମିଳିତ ଭାବେ ଆୟୋଜିତ ହେଉଛି । ଏହି ସମ୍ମିଳନୀ ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ବିଶ୍ୱସ୍ତରୀୟ ମାନଚିତ୍ରରେ ପ୍ରତିଷ୍ଠିତ କରାଇବାକୁ ଲକ୍ଷ୍ୟ ରଖାଯାଇଛି ।














