ସହରକୁ ଜଗିଛି ୫୦ରୁ ୬୦ ପ୍ଲାଟୁନ ଫୋର୍ସ, କଟକରେ ଥମିନି ଅଶାନ୍ତି
ଭୁବନେଶ୍ୱର: ଭୁବନେଶ୍ୱର : ଦୁର୍ଗାପୂଜା ମେଢ଼ ଭସାଣ ବେଳେ ଗୋଷ୍ଠୀ ବିବାଦକୁ ନେଇ କଟକରେ ଲାଗିରହିଥିବା ଉତ୍ତେଜନା ମଧ୍ୟରେ ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବୃଦ୍ଧି କରାଯାଇଛି। ସୋସିଆଲ୍ ମିଡିଆରେ ମିଥ୍ୟା, ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରଣ କରାଯାଉଥିବାରୁ ରାଜ୍ୟ ସରକାର କଟକ ସହରରେ ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିଥିଲେ। ତେବେ ଏହି କଟକଣାକୁ ଆଉ ୨୪ ଘଣ୍ଟା ବୃଦ୍ଧି କରାଯାଇ ଅକ୍ଟୋବର ୭ ତାରିଖ ଅର୍ଥାତ ଆସନ୍ତାକାଲି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବଢାଇଦିଆଯାଇଛି। ଏନେଇ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ନିକଟରେ କଟକ ସହରରେ ଦେଖାଯାଇଥିବା ଗଣ୍ଡଗୋଳ ପରିପ୍ରେକ୍ଷୀରେ କଟକ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଅସାମାଜିକ ତତ୍ତ୍ୱମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ଇଣ୍ଟରନେଟ୍ ସେବା ବନ୍ଦର ପଦକ୍ଷେପ ନିଆଯାଇଛି। କଟକ ମହାନଗର ନିଗମ ଅଞ୍ଚଳ, ସିଡ଼ିଏ ଅଞ୍ଚଳ ଓ ୪୨ ମଉଜା ଅଞ୍ଚଳରେ ଏହି ପ୍ରତିବନ୍ଧ ଲାଗୁ କରାଯାଇଛି।
ଗୋଷ୍ଠୀ ବିବାଦ ଘଟଣା ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ବଡ଼ ପଦକ୍ଷେପ ନେଇଛି। ଗତକାଲି ଠାରୁ ପୁଲିସ ୩୬ ଘଣ୍ଟା ପାଇଁ କଟକର ୧୩ଟି ଥାନା ଅଞ୍ଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି। କର୍ଫ୍ୟୁ ଜାରି କରାଯାଇଥିବା ଅଞ୍ଚଳଗୁଡ଼ିକ ହେଲା ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟାଳିସମୌଜା, ସଦର, ବିଡ଼ାନାସୀ, ମାଲଗୋଦାମ ଥାନା ଅଧୀନରେ ଥିବା କିଛି ଅଞ୍ଚଳ। ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ଗତକାଲି ଏହି ସୂଚନା ଦେଇଛନ୍ତି। କର୍ଫ୍ୟୁ ଜାରି ସମୟରେ ଜରୁରୀକାଳୀନ ସେବାକୁ କୋହଳ କରାଯାଇଛି। କିନ୍ତୁ ପ୍ରଦର୍ଶନ, ଶୋଭାଯାତ୍ରା ତଥା ଲୋକ ଗହଳିକୁ ବାରଣ କରାଯାଇଛି। ପୁଲିସ ଘଟଣା ଉପରେ ନଜର ରଖିଛି। ଦରକାର ପଡ଼ିଲେ କର୍ଫ୍ୟୁର ସମୟ ବଢ଼ିପାରେ।
ସେପଟେ ଦୁର୍ବୃତ୍ତଙ୍କୁ ଧରିବାକୁ ସବୁ କୌଶଳ ଆପଣାଇଛି ପୋଲିସ । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ଚେତାବନୀ ଦେଇଛନ୍ତି ଏଡିଜି ସଂଜୟ କୁମାର । ତା’ ଛଡ଼ା ଗୁଜବଠୁ ଦୂରେଇ ରହି ପୋଲିସର ତଥ୍ୟ ଉପରେ ବିଶ୍ବାସ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ଲୋକଙ୍କ ସୁରକ୍ଷା ଓ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହରରେ ୫୦ରୁ ୬୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ୬ କଂପାନି CAPF ମୁତୟନ ହୋଇଛନ୍ତି । ବେଆଇନ ଭାବେ ଏକାଠି ହେବାକୁ ବାରଣ କରାଯାଇଛି । ଅତ୍ୟାବଶ୍ୟକ ସେବା ଖୋଲା ରହିବ ବୋଲି ସେ ସୂଚନା ଦିଆଯାଇଛି । ସେପଟେ କଟକ ସହରରେ ହିଂସା ଘଟଣାକୁ ନେଇ ମୋଟ୍ ୩ଟି ମାମଲା ରୁଜୁ ହୋଇଛି । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ । ତେବେ ଗିରଫଦାରୀ ଆରମ୍ଭ ହୋଇଯାଇଛି । ଏବେ ସଂଖ୍ୟା କହି ହେବନି ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ସେପଟେ ADG ଆଇନ ଶୃଙ୍ଖଳା ସଂଜୟ କୁମାର କହିଛନ୍ତି କଟକ ସହରର ବିଶୃଙ୍ଖଳାକାରୀ ସିସିଟିଭିରୁ ଚିହ୍ନଟ କରାଯାଇଛି ।
ଗଣମାଧ୍ୟମକୁ ସୂଚନା ଦେଇ ପୁଲିସ କମିସନର କହିଛନ୍ତି, ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ୨୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏମାନଙ୍କର ମଧ୍ୟରୁ ୮ ଜଣ ଗୁରୁତର ଅଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ପ୍ରଥମେ ବିକଳ୍ପ ଉପାୟ ନେଇଥିଲା। ମାତ୍ର ଉପଦ୍ରବକାରୀମାନେ ଅମାନିଆ ହେବାରୁ କାର୍ଯ୍ୟାନୁଷ୍ଠାନ ନେଇଛି। ଉଦଦ୍ରବକାରୀମାନଙ୍କୁ ଧରିବା ପାଇଁ ପୁଲିସ ଛାନ୍ଭିନ୍ ଜାରି କରିଛି। କଟକ ସହରରେ ଦେଖାଯାଇଥିବା ଉତ୍ତେଜନା ପରିସ୍ଥିତି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଅଞ୍ଚଳରେ ଦୁଇଟି ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି, ଯାହା ହିଂସାତ୍ମକ ଘଟଣା ଘଟାଇଛି। ଇଣ୍ଟରନେଟର ଅପବ୍ୟବହାର ଦ୍ୱାରା ସାମ୍ପ୍ରଦାୟିକ ହିଂସା ପ୍ରସାରଣ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ମିଥ୍ୟା, ଉତ୍ତେଜନାପୂର୍ଣ୍ଣ ଏବଂ ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରଣ ନେଇ ଚିନ୍ତା ପ୍ରକାଶ କରିଛନ୍ତି।














