ନୂଆପଡା: ନୂଆପଡା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ ଘୋଷଣା କରିଛନ୍ତି । ଜିଲ୍ଲାବାସୀଙ୍କ ପାଇଁ ୧୧୦୧ କୋଟି ଟଙ୍କାର ୯୫୭ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଜଳସେଚନର ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଇ ସ୍ବତନ୍ତ୍ର ଭାବେ ୮୦୨ କୋଟି ୯ ଲକ୍ଷ ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନଙ୍କ ଏହି ଘୋଷଣା ଚାଷୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ । ନୂଆପଡା ମାଟିରୁ ରାଜ୍ୟର ସବୁ ତହସିଲରେ ସବ୍-ରେଜିଷ୍ଟ୍ରେସନ ଅଫିସ ଖୋଲିବା ନେଇ ମୋହର ମାରିଛନ୍ତି ମୋହନ । ଏବେ ୩୧୭ ବ୍ଲକରୁ ୧୦୭ ତହସିଲରେ ନାହିଁ ସବ୍-ରେଜିଷ୍ଟ୍ରେସନ ଅଫିସ । ପ୍ରଥମ ପର୍ଯ୍ୟାୟରେ ନୂଆପଡାର ୩ଟି ସିନାପାଲି, କୋମନା ଓ ବୋଡେନ ସମେତ ମାଲକାନଗିରିର ୪ଟି ତହସିଲରେ ଖୋଲଛି ସବ୍-ରେଜିଷ୍ଟ୍ରେସନ ଅଫିସ । ଦୂର ହେଉ ବା ପାଖ, ରାଜ୍ୟର ସବୁ ଅଞ୍ଚଳରେ ବିକାଶ ପହଞ୍ଚାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଡବଲ ଇଞ୍ଜିନ ସରକାରରେ ନୂଆପଡାକୁ ଡବଲ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖରିଆର ରୋଡ୍କୁ ମୁନିସପାଲିଟି, କୋମନାକୁ ଏନ୍ଏସି, ସିନାପାଲି ପଞ୍ଚାୟତ ଓ ଗୋଡାଲ ପଞ୍ଚାୟତକୁ ମିଶାଇ ସିନାପାଲି ଏନଏସି ପାଇଁ ଘୋଷଣା କରିଛନ୍ତି ମୋହନ ମାଝୀ । ଡବଲ ଇଞ୍ଜିନ ସରକାରରେ ନୂଆପଡାବାସୀ ଯୋଡି ହେବାକୁ ଚାହୁଁଛନ୍ତି ବୋଲି କହିଛି ବିଜେପି । ଅନ୍ୟପଟେ ବିଜେଡି କହିଛି, ନୂଆପଡା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି କୋଟି କୋଟି ଟଙ୍କା ଘୋଷଣା ହୋଇଛି । ଲୋକେ ଏବେ ବି ବିଜେଡି ସହ ଅଛନ୍ତି । ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ନୂଆପଡାର ଦାୟିତ୍ବ ନିଜେ ନେବେ ବୋଲି ପୂର୍ବରୁ କହିଥିଲେ ମୁଖ୍ୟମନ୍ତ୍ରୀ । ଗତ ୭ ମାସ ଭିତରେ ନୂଆପଡାକୁ ୧୪୨୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୋହନ ମାଝୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପୂର୍ବ ସରକାରଙ୍କ ଅନାଗ୍ରହ ଯୋଗୁ ନୂଆପଡ଼ା ଜିଲ୍ଲାର ଯେଉଁଭଳି ବିକାଶ ହେବା କଥା ତାହା ହୋଇନାହିଁ। ବିଜେପି ସରକାର ଜିଲ୍ଲାବାସୀଙ୍କ ସମସ୍ତ ଦାବି ପୂରଣ କରିବେ। ସରକାର ସବୁ ଜିଲ୍ଲାକୁ ସମାନ ଦୃଷ୍ଟିରେ ଦେଖୁଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ କଳାହାଣ୍ଡି ସାଂସଦ ମାଳବିକା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ। ମାତ୍ର ଖଡ଼ିଆଳ ବିଧାୟକ ଅନୁପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।














