ଜଳେଶ୍ୱର: ପଶ୍ଚିମବଙ୍ଗରେ ଆରଜି କର୍ ମେଡିକାଲ୍ କଲେଜ ଘଟଣା ଘଟିବାର କିଛି ମାସ ନପୁରୁଣୁ ପୁଣି ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଜଳେଶ୍ଵର ଅଞ୍ଚଳର ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପୀଡ଼ିତା ମେଡିକାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ଦୁର୍ଗାପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବେଗ ବ୍ୟକ୍ତ କରିଛନ୍ତି । ଛାତ୍ରୀଙ୍କ ଆଶୁଆରୋଗ୍ୟ କାମନା କରିବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତରୀ ଛାତ୍ରୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଶୁକ୍ରବାର ରାତି ପ୍ରାୟ ସାଢେ ୮ଟା ବେଳେ କ୍ୟାମ୍ପସ୍ ବାହାରେ ଥିବା ଏକ କ୍ୟାଣ୍ଟିନକୁ ଖାଇବାକୁ ଯାଇଥିଲେ। ଖାଇସାରି ଫେରିବା ରାସ୍ତାରେ ୪ ରୁ ୫ ଜଣ ଅଜ୍ଞାତ ଯୁବକ ତାଙ୍କୁ ଟାଣିନେଇ କଲେଜ ଓ ହସ୍ପିଟାଲ ପଛପଟେ ଥିବା ଏକ ଶୂନଶାନ୍ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ଛାତ୍ରୀଙ୍କୁ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣାରେ ଏବେ ଦୁର୍ଗାପୁର ପୁଲିସ ତଦନ୍ତ ଆରମ୍ଭ କରିଛି। ପୁରୁଷ ବନ୍ଧୁଙ୍କୁ ମଧ୍ୟ ଦୁର୍ଗାପୁର ପୁଲିସ ଅଟକ ରଖିଛି। ଛାତ୍ରୀଙ୍କ ପୁରୁଷବନ୍ଧୁଙ୍କୁ ପଚରାଉଚରା କରାଯାଉଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି। ଅପର ପକ୍ଷରେ ମେଡିକାଲ କଲେଜର ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦବେଗ
ଓଡ଼ିଆ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ‘ଏକ୍ସ’ ଆକାଉଣ୍ଟରେ ଏହି ଘଟଣାକୁ କଡ଼ା ନିନ୍ଦା କରିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଜଣେ ଓଡ଼ିଆ ଛାତ୍ରୀଙ୍କ ସହ ଘଟିଥିବା ଦୁର୍ଭାଗ୍ୟଜନକ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡ଼ାଦାୟକ । ଏହି ଖବର ଶୁଣି ମୁଁ ଗଭୀର ଭାବରେ ମର୍ମାହତ । ଏହି ସମ୍ବେଦନଶୀଳ ଘଟଣାରେ, ଅଭିଯୁକ୍ତମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି । ଏହାସହିତ ସେ ପୀଡ଼ିତାଙ୍କ ଆଶୁଆରୋଗ୍ୟ କାମନା କରିବା ସହ ପଶ୍ଚିମବଙ୍ଗ ସରକାରଙ୍କ ସଙ୍ଗେ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମଧ୍ୟ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ‘ଏକ୍ସ’ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି ।














