ଭୁବନେଶ୍ବର : ଭୁବନେଶ୍ଵର ଏସଓଏସ୍ ଭିଲେଜରେ କୁନି କୁନି ପିଲାଙ୍କ ଗହଣରେ ଜନ୍ମଦିନ ପାଳନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। । ସେମାନଙ୍କ ସହିତ ସମୟ ବିତାଇବା ସହ ପିଲାଙ୍କୁ ଚକୋଲେଟ, ମିଠା ବାଣ୍ଟିଥିଲେ। ପିଲାମାନଙ୍କୁ ନିଜ ଜନ୍ମଦିନ ଅବସରରେ ଉପହାର ମଧ୍ୟ ଦେଇଥିଲେ ନବୀନ। ପିଲାଙ୍କ ସହିତ ନିଜର ଜନ୍ମଦିନ ପାଳନ କରି ନବୀନ ପଟ୍ଟନାୟକ ଯେତେ ଖୁସି ଥିଲେ, ପିଲାମାନେ ବି ସେତିକି ଖୁସି ହୋଇଥିଲେ ।
ନିଜ ଜନ୍ମଦିନରେ ଓଡ଼ିଶାବାସୀଙ୍କୁ ନବୀନ କହିଛନ୍ତି, ମୁଁ ସବୁବେଳେ ଆପଣଙ୍କ ସହ ଅଛି ଓ ରହିବି। ଶେଷ ସମୟ ଯାଏ ଓଡ଼ିଶା ମାଆର ସେବା ଜାରି ରଖିବି। ନିଜ ଜନ୍ମଦିନରେ ବିଜେଡିର ଜନସଂପର୍କ ପଦଯାତ୍ରାରେ ସାମିଲ ହୋଇ ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ କହିଛନ୍ତି, ବିଜେଡି ହେଉଛି ଆପଣମାନଙ୍କ ବଳ, ଓଡ଼ିଶାବାସୀଙ୍କ ବଳ। ବିଜେଡିର ଜନ ସଂପର୍କ ପଦଯାତ୍ରାରେ ସାମିଲ ହୋଇ ବହୁତ ଖୁସି ବୋଲି ସେ କହିଛନ୍ତି। ବିଜେଡିର ଏହି ଜନସଂପର୍କ ପଦଯାତ୍ରା ହୋଇଥିଲା ଏକାମ୍ର ଭୁବନେଶ୍ୱରର ଗଙ୍ଗନଗରରେ। ବିଜୁ ଆଦର୍ଶ କଲୋନୀର ପଦଯାତ୍ରାରେ ସେ ସାମିଲ ହୋଇଥିଲେ ।
ନବୀନଙ୍କୁ ସ୍ୱାଗତ କରିବାକୁ ବସ୍ତିର ପ୍ରତି ଘର ଆଗରେ ଶୁଭ କଳସ ବସିଥିଲା। ଝୋଟି ବି ହୋଇଥିଲା। ମହିଳାମାନେ ଥାଳିରେ ଫୁଲ ଧରି ନବୀନଙ୍କ ବାଟକୁ ଅପେକ୍ଷା କରିଥିଲେ। ନବୀନ ବସ୍ତି ରାସ୍ତାରେ ଚାଲି ଚାଲି ଯିବାବେଳେ ଫୁଲରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନରେ ଖଣ୍ଡ ମଣ୍ଡଳ କମ୍ପିଥିଲା ।
ବିଜେଡି ଜିଲ୍ଲା ସଭାପତି ଅଶୋକ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସାଂସଦ ଦେବାଶିଷ ସାମନ୍ତରାୟ, ସୁଲତା ଦେଓ, ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ବିଭୁତି ବଳବନ୍ତରାୟ, ମେୟର ସୁଲୋଚନା ଦାସ, ପ୍ରଣବ ବଳବନ୍ତରାୟ ପ୍ରମୁଖ ପହଞ୍ଚି ଥିଲେ। ନବୀନଙ୍କ ଝଲକ ଟିକିଏ ପାଇବାକୁ ପ୍ରବଳ ଭିଡ଼ ହୋଇଥିଲା।














