ପାକିସ୍ତାନ ସରକାର, ସୋଶାଲ ମିଡିଆ, ସେନା ଓ ତଥାକଥିତ ସୋଶାଲ ମିଡିଆ ବ୍ୟକ୍ତିବିଶେଷଙ୍କ ମିଛକୁ ବେଶ ଚତୁରତାର ସହ ପର୍ଦ୍ଦାଫାସ କରି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସେ ରାଫେଲ ଯୁଦ୍ଧ ବିମାନରେ ଉଡ଼ିବା ସହ ସ୍କ୍ୱାର୍ଡନ ଲିଡର ଶିବାଙ୍ଗୀ ସିଂହଙ୍କ ସହ ଫଟୋ ଉଠାଇଛନ୍ତି। ଅପରେସନ ସିନ୍ଦୂର ବେଳେ ଯୁଦ୍ଧ ବିମାନ ପାଇଲଟ ଶିବାଙ୍ଗୀଙ୍କୁ ନେଇ ପାକିସ୍ତାନ ବେଶ ଅପପ୍ରଚାର କରିଥିଲା। ପାକିସ୍ତାନ ସେନା ତାଙ୍କୁ ଜୀବନ୍ତ ଧରିବା ସହ ପଣବନ୍ଦୀ କରି ରଖିଥିବା ପ୍ରଚାର କରିଥିଲା। ହେଲେ ଆଜି ଦେଶର ମହାମହିମ ଦ୍ରୌପଦୀ ମୁର୍ମୁ ଜାଣିଶୁଣି ରାଫେଲ ଯୁଦ୍ଧ ବିମାନରେ ଛିଡ଼ା ହୋଇ ଶିବାଙ୍ଗୀଙ୍କ ସହ ଫଟୋ ଉଠାଇଛନ୍ତି। ବୁଧବାର ସକାଳେ ହରିୟାଣା ଜନ୍ମିତ ସ୍କ୍ୱାର୍ଡନ ଲିଡର ଶିବାଙ୍ଗୀ ରାଷ୍ଟ୍ରପତି ମୁର୍ମୁଙ୍କ ସହ ଅମ୍ବାଲା ଏୟାରଫୋର୍ସ ବେସ୍ରେ ବେଶ ସ୍ୱାଭାବିକ ଢଙ୍ଗରେ ଫଟୋ ପୋଜ ଦେଇଛନ୍ତି। ରାଷ୍ଟ୍ରପତି ମୁର୍ମୁଙ୍କୁ ସେ ରାଫେଲ ଯୁଦ୍ଧ ବିମାନରେ ବୁଲାଇ ଏହାର ରଣକୌଶଳ ସମ୍ପର୍କରେ ବୁଝାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ଓ ଶିବାଙ୍ଗୀ ଏକାଠି ଫଟୋ ଉଠାଇ ପାକିସ୍ତାନର ଆଉ ଏକ ଅପ୍ରଚାରର ଧଜିଆ ଉଡ଼ାଇ ଦେଇଛନ୍ତି।
ପାକିସ୍ତାନ ସହ ସାମରିକ ବିବାଦ ସମୟରେ ରାଫେଲର ଡେବ୍ୟୁ ହୋଇଥିଲା। ଆଜି ସେହି ରାଫେଲ ଯୁଦ୍ଧ ବିମାନରେ ରାଷ୍ଟ୍ରପତି ମୁର୍ମୁ ବସି ଉଡ଼ାଣ ଭରିଛନ୍ତି। ୫ ମାସ ତଳେ ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ଅପରେସନ ସିନ୍ଦୂର କରିଥିଲା। ଏହି ସମୟରେ ରାଫେଲ ଯୁଦ୍ଧ ବିମାନ ସୀମା ସେପଟେ ଥିବା ଆତଙ୍କୀ କ୍ୟାମ୍ପ ଧ୍ୱଂସ କରିଥିଲା। ଆଜି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଯୁଦ୍ଧ ବିମାନ ପାଇଲଟଙ୍କ ଭଳି ସୁଟ ପିନ୍ଧି ରାଫେଲ କକପିଟରେ ପାଦ ରଖିଥିଲେ। ଏହାପରେ ତାଙ୍କୁ ଧରି ଫ୍ରାନ୍ସ ନିର୍ମିତ ଯୁଦ୍ଧ ବିମାନ ଅମ୍ବାଲା ବାୟୁସେନା ବେସରୁ ଉଡ଼ାଣ ଭରିଥିଲେ। ରାଷ୍ଟ୍ରପତି ମୁର୍ମୁ ଦ୍ୱିତୀୟ ଥର ପାଇଁ କୌଣସି ଯୁଦ୍ଧ ବିମାନରେ ଉଡ଼ାଣ ଭରିଛନ୍ତି। ଭାରତୀୟ ସଶସ୍ତ୍ର ବଳରେ ସୁପ୍ରିମ କମାଣ୍ଡର ରାଷ୍ଟ୍ରପତି ମୁର୍ମୁ ୨୦୨୩ ଏପ୍ରିଲ ୮ରେ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରେ ଉଡ଼ାଣ ଭରିଥିଲେ। ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ଏପରି ଉଡ଼ାଣ ହୋଇଥିଲା। ଦେଶର ତୃତୀୟ ରାଷ୍ଟ୍ରପତି ଓ ଦ୍ୱିତୀୟ ମହିଳା ମୁଖିଆ ଭାବେ ମୁର୍ମୁ ସୁଖୋଇ ଯୁଦ୍ଧ ବିମାନରେ ଉଡ଼ାଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ପୂର୍ବରୁ ଏପିଜେ ଅବଦୁଲ କଲାମ ଓ ପ୍ରତିଭା ପାଟିଲ ସୁଖୋଇ-୩୦ ଏମକେଆଇରେ ଉଡ଼ାଣ ଭରିଥିଲେ। ତେବେ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିବାର ରେକର୍ଡ କରିଛନ୍ତି।














